Latest Odisha News

BREAKING NEWS

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି ଦେଖିବାକୁ ମିଳିଛି।

ଶୁକ୍ରବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଏହି ବିଦ୍ୟୁତ୍ ତାତି ଦେଖିବାକୁ ମିଳିଥିଲା। ବିଜୁଳି ସରପ୍ଲସ ବା ବଳକା ରାଜ୍ୟ ଓଡ଼ିଶା ହୋଇଥିଲେ ମଧ୍ୟ ଓଡ଼ିଶାରେ ଦର ବୃଦ୍ଧି ଧାରା ଜାରି ରହିଛି ବୋଲି ବିଜେପି ଅଭିଯୋଗ କରିଛି। ସେହିପରି ନିଜର କ୍ଷତିକୁ ଭରଣା କରିବା ପାଇଁ ବିତରଣ କମ୍ପାନୀ ଟାଟା ପାଓ୍ୱାର ଜନସାଧାରଣଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରୁଛି ବୋଲି ବିଜେପି କହିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଟାଟା ପାଓ୍ୱାର ସରକାରଙ୍କ ସହ ହାତ ମିଳାଇଛି। ଏହି ବିତରଣ କମ୍ପାନୀ କ୍ଷତିର ଭରଣା କରିବା ପାଇଁ ଖୁଚୁରା ଉପଭୋକ୍ତାଙ୍କ ଉପରେ ଅଯଥା ଶୁଳ୍କ ଆଦାୟ କରୁଛି।
ଓଡ଼ିଶା ଏବେ ବି ବିଦ୍ୟୁତ୍ ବିଭ୍ରାଟ ସମସ୍ୟାର ସମ୍ମୁଖୀନ ହେଉଛି ଯାହା ଓଡ଼ିଶା ସରକାର ଓ ଶକ୍ତି ବିଭାଗର ସମ୍ପୂର୍ଣ୍ଣ ବିଫଳତାକୁ ସୂଚାଉଛି ବୋଲି ସେ କହିଛନ୍ତି।

କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ବିପିଏଲ କାର୍ଡ ଥିବା କିଛି ଆଦିବାସୀଙ୍କୁ ଟାଟା ପାଓ୍ୱାରରୁ ହଜାର ହଜାର ଟଙ୍କାର ବିଲ୍ ମିଳିଛି। ସେମାନେ ଏହାକୁ ଦେବାକୁ ଟଙ୍କା କେଉଁଠୁ ପାଇବେ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ରାଜ୍ୟ ସରକାର ଟାଟା ପାଓ୍ଲାରକୁ ସୁରକ୍ଷା ଦେଉଛନ୍ତି। ସାଧାରଣ ଲୋକ ଏମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ। ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ସହ ସମାନ ଭାବେ ଓଡ଼ିଶାକୁ ଅଧିକ ମାଗଣା ୟୁନିଟ୍ ଦିଆଯାଉ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ତେବେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଶାସକ ବିଜେଡି ଖଣ୍ଡନ କରିଛି। ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଲୋକଙ୍କ ୭୮୮୬ କୋଟି ଟଙ୍କାର ବିଜୁଳି ବିଲ୍ ବାକି ରହିଛି। ଟଙ୍କା ନଦେଲେ ପୁଣି ଟ୍ୟାକ୍ସ ବାବଦରେ ସାଧାରଣ ଲୋକଙ୍କ ଉପରେ ଆଦାୟ କରାଯିବ। ଟାଟା ପାଓ୍ୱାର ଉପରେ ସରକାରଙ୍କର ଏକ ଲ୍ୟାଶ୍ ରହିଛି ଏବଂ ଏଥିସହିତ ଉପଭୋକ୍ତାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିବା ପାଇଁ ଏକ ଓ୍ୱାନ ଟାଇମ୍ ସେଟଲମେଣ୍ଟ୍ ସ୍କିମ୍ ଆରମ୍ଭ କରାଯାଇଛି। ଯଦି ଆମେ ମାଗଣାରେ ସବୁକିଛି ଯୋଗାଇ ଦେବୁ, ତେବେ ଆମେ ଆଉ ଏକ ଶ୍ରୀଲଙ୍କା ହେବା ପୂର୍ବରୁ ବିଳମ୍ବ ହେବ ନାହିଁ।

Leave A Reply

Your email address will not be published.