Latest Odisha News

BREAKING NEWS

ଜଙ୍ଗଲରେ ନିଆଁ: ଓଃ ବର୍ଷା ବଞ୍ଚେଇଦେଲା!

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ଭିତରେ ଏକ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ବଦଳିଥିବା ପାଣିପାଗ ଆଧାରରେ କିଛି ସ୍ଥାନରେ ବର୍ଷା ହୋଇଛି। ଆଉ ଏହି କାରଣରୁ ଜଙ୍ଗଲରେ ଯେଉଁଭଳି ଭାବେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା ତାହା ଏବେ ପ୍ରଶମିତ ହୋଇଛି ବା ଲିଭିଯାଇଛି। ଟିକିଏ ବର୍ଷା ହିଁ ଏତେ ବଡ ଘଟଣାକୁ କାବୁ କରିବାରେ ସହଜ କରିଦେଇଛି ବୋଲି ପିସିସିଏଫ କହିଛନ୍ତି।

ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ଶୁକ୍ରବାର ସୂଚନା ଦେଇଛନ୍ତି ଯେ ବର୍ଷା ହେବା ଦ୍ୱାରା ରାଜ୍ୟରେ ସାମଗ୍ରିକ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରି ଦେଇଛି। ୧୭୦୦ରୁ ୧୮୦୦ ଜଙ୍ଗଲ ଅଗ୍ନିକାଣ୍ଡର ପ୍ରମୁଖ ପଏଣ୍ଟ ଥିବା ବେଳେ ଗତ କିଛି ଦିନ ମଧ୍ୟରେ ଏହା ଏବେ ୧୦୦ରୁ ୨୦୦କୁ ଖସିଆସିଛି। ଗତ ଦୁଇ ଦିନ ଧରି ବର୍ଷା ଓ ପବନ ଯୋଗୁଁ ଏପରି ହୋଇଛି । ଯେହେତୁ ଓଡ଼ିଶାରେ ଜଙ୍ଗଲରେ ନିଆଁ ପ୍ରାୟତଃ ତୃଣମୂଳ ସ୍ତରରେ ଲାଗିଥାଏ। ଏବେ ବର୍ଷା ଲାଗି ହେଉଥିବାରୁ ପାହାଡର ଉପରି ଭାଗରେ  ନିଆଁ ଲାଗିଥିଲେ ଆଉ ହେଲିକପ୍ଟର ଦ୍ୱାରା ନିଆଁ ଲିଭାଇବାର ଆବଶ୍ୟକତା ନାହିଁ। କାରଣ ପାହାଡର ଉପରି ଭାଗରେ ନିଆଁ ଲାଗିଲେ ସାଧାରଣତଃ ବଡ଼ ବଡ଼ ଗଛରେ ନିଆଁ ଲାଗିଥାଏ ବୋଲି ପିସିସିଏଫ କହିଛନ୍ତି।

ତାଙ୍କ କହିବାନୁସାରେ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଭାଗର ମୁଖ୍ୟ ଚିନ୍ତା। ବର୍ତ୍ତମାନ ସୁଦ୍ଧା ଏଭଳି ଉଲ୍ଲଙ୍ଘନ ବିରୋଧରେ ୬୦ଟି ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ଦେବୀଦତ୍ତ ବିଶ୍ୱାଳ ଆହୁରି ସୂଚନା ଦେଇଛନ୍ତି ଯେ, ଜଙ୍ଗଲ ନିଆଁ ଲିଭାଇବା କ୍ଷେତ୍ରରେ ସଫଳତାର ହାର ପ୍ରାୟ ୯୮ ପ୍ରତିଶତ ରହିଛି। କେବଳ ସେତିକି ନୁହେଁ, ରାଜ୍ୟରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.