Latest Odisha News

BREAKING NEWS

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ଭୁବନେଶ୍ବର : ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ । ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏନେଇ ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ ।

ବିନୟ ଶ୍ରୀକାନ୍ତ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବେ ସେ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ବିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.