ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ କର୍କଟରେ ପୀଡିତ ଥିଲେ ।
୧୯୮୧ରେ ଭାରତ ସରକାରଙ୍କ ଯୌଥ ଉଦ୍ୟୋଗ ମାରୁତି ଉଦ୍ୟୋଗ ଲିମିଟେଡ୍ ସହ ସହଯୋଗିତା ସ୍ଥାପନ କରି ସେ ସୁଜୁକିକୁ ଭାରତ ଆଣିଥିଲେ। ୧୯୭୮ରୁ ୨୦୨୧ ମଧ୍ୟରେ ସେ କଂପାନୀର ପ୍ରେସିଡେଣ୍ଟ, ଚେୟାରମ୍ୟାନ ଓ ସିଇଓ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀର କାରବାର ୩୦୦ ଅରବ ୟେନରୁ ବୃଦ୍ଧି ପାଇ ୩ ଟ୍ରିଲିୟନ ୟେନରେ ପହଞ୍ଚି ଯାଇଥିଲା।
୧୯୩୦ ମସିହା ଜାନୁଆରୀ ୩୦ ତାରିଖରେ ଜାପାନର ଗେରୋରେ ଜନ୍ମ ହୋଇଥିଲେ ଓସାମୁ। ତାଙ୍କ ନାଁ ଥିଲା ଓସାମୁ ମତସୁଦା। ୧୯୫୮ରେ ସେ ଶୁଞ୍ଜୋ ସୁଜୁକିଙ୍କ ଝିଅଙ୍କୁ ସେ ବାହା କରଥିଲେ। ତା’ପରେ ସେ ତାଙ୍କ ପତ୍ନୀଙ୍କ ପାରିବାରିକ ନାମ ‘ସୁଜୁକି’କୁ ଆପଣାଇ ନେଇଥିଲେ ଓ ତାଙ୍କ ନାଁ ହୋଇଯାଇଥିଲା ଓସାମୁ ସୁଜୁକି।
ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ବିଶ୍ୱ ଅଟୋମୋବାଇଲ ଶିଳ୍ପରେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଓସାମୁ ସୁଜୁକିଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ତାଙ୍କ ନେତୃତ୍ୱରେ, ସୁଜୁକି ମୋଟର କର୍ପୋରେସନ ଏକ ବିଶ୍ୱସ୍ତରୀୟ ପାୱାରହାଉସ୍ ହେଲା, ତା’ ମଧ୍ୟରେ ଆସିଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ସେ ସଫଳତାପୂର୍ବକ ସାମ୍ନା କରିଥିଲେ। ତାଙ୍କର ଭାରତ ପ୍ରତି ଗଭୀର ସ୍ନେହ ଥିଲା ଏବଂ ମାରୁତି ସହ ମିଶି ଭାରତୀୟ ଅଟୋମୋବାଇଲ ବଜାରରେ ପରିବର୍ତ୍ତନ ଆଣିଥିଲେ।