ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ। ଆଜିଠୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ପିଠା ଅନ୍ ହ୍ୱିଲ ମାଧ୍ୟମରେ ଉପଲବ୍ଧ ହେବ।
ଓଟିଡ଼ିସି ପରିଚାଳିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେଶାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ସେ କହିଲେ, ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ। ଘରେ ରହି କୋଭିଡ଼୍ ଗାଇଡ଼ଲାଇନ ମାନି ଏହି କରୋନା ରୂପକ ବିପଦକୁ ସମସ୍ତେ ମିଳିତଭାବେ ଦୂରେଇ ଦେଇପାରିବା।
ପାନ୍ଥନିବାସ କର୍ମଚାରୀ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପ୍ରକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତି ମିଶ୍ର କହିଛନ୍ତି। ଓଟିଡ଼ିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଲେ, କୋଭିଡ଼୍ ଗାଇଡ଼ଲାଇନ ଓ କଟକଣା ଭିତରେ ପିଠା ପ୍ରସ୍ତୁତ ହେବା ସହ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି।
ଭୁବନେଶ୍ୱର, କଟକ, ସମ୍ବଲପୁର ପାନ୍ଥନିବାସ ସମେତ ଭୁବନେଶ୍ୱର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, କଟକ ସିଲଭରସିଟି ବୋଟ୍ କ୍ଲବରେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲାଯାଇ ଏହି ପିଠା ବିକ୍ରି ଆଜିଠୁ ଆରମ୍ଭ ହେବ। ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକରେ ଏବଂ କଟକ ସିଲଭରସିଟି ବୋର୍ଟ କ୍ଲବ ଓ ସିଡ଼ିଏଠାରେ ପିଠା ଅନ୍ ହ୍ୱିଲ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ।
ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଲେ, ଚଳିତ ଦଶହରା ପୂଜାର ୪ଦିନ ଆରିଷା ପିଠା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀର ଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ। ନିଜସ୍ୱ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ପାରମ୍ପରିକ ବ୍ୟଞ୍ଜନ ସହ ବୁଟ ଡ଼ାଲି ବରା, ଓ ପାତାଳଘଣ୍ଟା ଚଟନୀ, ନିମନ୍ତ୍ରଣ ଚିକେନ କୋଫ୍ତା, ସୋରିଷ ବଟା ଫିସ ଫିଙ୍ଗର, ପତ୍ରପୋଡ଼ା ମଶରୁମ, ପ୍ରନ୍ ଛେଚା, ବାଲି ପ୍ରନ୍, କାକରା-ଘୁଗୁନି, ପାମ୍ପଡ଼ି ଚାଟ୍, ବରା-ଘୁଗୁନି, ଦହିବରା ଆଦି ବ୍ୟଞ୍ଜନ ଏସବୁ କାଉଣ୍ଟରରେ ମିଳିବ।
Comments are closed.