କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇଏକ ଚମତ୍କାର ବାକ୍ୟ କହିଥିଲେ- “ସରକାର କୌଣସି ରାଷ୍ଟ୍ର ସମ୍ପର୍କିତ କାଗଜପତ୍ରର ନିର୍ମାଣ ନୁହେଁ, ଏହା ହେଉଛି ଲୋକଙ୍କ ଇଚ୍ଛାର ଅଭିବ୍ୟକ୍ତି’’।
ଅତି ସରଳ ଭାବରେ କହିଲେ ସରକାର ଲୋକଙ୍କ ଇଚ୍ଛାରେ ତିଆରି ହୋଇଥାଏ ଓ ଏହା ଲୋକଙ୍କ ପାଇଁ କାମ କରିଥାଏ । ତେବେସତୁରୀ ବର୍ଷ ପରେ ଆଜି ହଠାତ ସରକାରର ସଜ୍ଞା ବଦଳିଗଲା ପରି ମନେହେଉଛି। ସରକାରର ଇଚ୍ଛା ଏବେ ସର୍ବୋପରି ।
ଲୋକଙ୍କ ଇଚ୍ଛାରେ ସରକାର ଚାଲିବା ବଦଳରେ, ସରକାରର ଇଚ୍ଛାରେ ଲୋକ ଚାଲିବା ଦରକାର ବୋଲି ଏକଧାରଣା ଏବେ ସାରାଦେଶରେ ତିଆରି କରାହୋଇଛି ଲୋକଙ୍କ ତୁଳନାରେ କ୍ଷମତାରେ ଥିବା ସରକାର ହିଁ ଏକପ୍ରକାର “ମାଇଁବାପ” ପାଲଟି ଯାଉଛନ୍ତି।
ଭୋଟ ପାଇ ନିର୍ବାଚିତ ହୋଇଥିବା ଭାରତର ଏକ ସରକାର ତାର ନାଗରିକମାନଙ୍କୁ ଏବେ ନିର୍ଦ୍ଦେଶ ଦେଉଛି- ତମ ହାତରେ ଥିବା ଟଙ୍କା ତୁମର ନୁହେଁ । ବ୍ୟାଙ୍କରେ ଥିବା ତମର ଟଙ୍କା କେବେ ବି କୌଣସି ସମୟରେ ଅଚଳ ହୋଇଯାଇପାରେ।
ତମ ପାଖରେ ଥିବା ତମର ଭୋଟର ପରିଚୟ ପତ୍ର , ଆଧାରକାର୍ଡ, ରାସନକାର୍ଡ, ପାସପୋର୍ଟ ଇତ୍ୟାଦି ତମର ନାଗରିକ ହେବାର ପ୍ରମାଣପାତ୍ର ନୁହେଁ।
କିଛି ବର୍ଷ ତଳେ ଯେତେବେଳେ ସୁପ୍ରିମକୋର୍ଟରେ ଆଧାରକାର୍ଡର ବୈଧତାକୁ ନେଇ ଶୁଣାଣି ଚାଲିଥିଲା, ସେ ସମୟରେ ଭାରତ ସରକାରଙ୍କ ତରଫରୁ ଯୁକ୍ତି ରଖି ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଥିଲେ, ଏପରିକି ନିଜ ଦେହ ଉପରେ ମଧ୍ୟର ନାଗରିକର ସାର୍ବଭୌମ ଅଧିକାର ନାହିଁ। ଏ ପ୍ରକାର ଯୁକ୍ତି କୌଣସି ସଭ୍ୟ ଗଣତାନ୍ତ୍ରିକ ଦେଶରେ କରାଯାଇପାରିବନାହିଁ।
କରୋନା ଭୂତାଣୁର ସଂକ୍ରମଣ ଓ ଏହା ମହାମାରୀର ରୂପ ପାଇବା ପାଇବା ପରେ ଭାରତୀୟ ଗଣତନ୍ତ୍ରର ଆଉ ଏକ ଭୟଙ୍କର ଚେହେରା ଆମେ ଦେଖୁଛେ। ମାସ ମାସ ଧରି ଗଣତନ୍ତ୍ର, ସ୍ଵାଧୀନତା, ନାଗରିକର ମୌଳିକ ଅଧିକାର ଓ ସମ୍ବିଧାନର କୌଣସି ଅର୍ଥ ଏବେ ଆମ ଜୀବନରେ ଗତ ସାଢେ ଚାରି ମାସ ହେଲା କାମ କରୁନାହିଁ । ବିପର୍ୟୟ ମୁକାବିଲା ଲାଗି ତିଆରି ହୋଇଥିବା ଏକ ଆଇନ ନାଗରିକର ସବୁ ଅଧିକାର ଛଡାଇ ନେଇ ଏକ ନୂଆ ଇମର୍ଜେନ୍ସି ଭଳି ବ୍ୟବସ୍ଥା ଦେଶରେ ତିଆରି କରିଛି। ଏବେ ସରକାର ହିଁ ସବୁକିଛି, ନାଗରିକ ସରକାର ଅଧୀନରେ ସଖୀ କଣ୍ଢେଇ ମାତ୍ର!!
ଗଣତନ୍ତ୍ରରେ ନାଗରିକକୁ ସର୍ବାଧିକ ମୁକ୍ତିର ସୁଯୋଗ ମିଳିଥାଏ। ହଠାତ ଭାରତରେ ସରକାର ଲୋକଙ୍କ ଅଭିଭାବକ ହେବା ଭଳି ବ୍ୟବହାର କରିବା, ଆମ ଗଣତନ୍ତ୍ରର ଭବିଷ୍ୟତ ଆଗରେ ଏକ ବଡ ପ୍ରଶ୍ନ ଚିହ୍ନ ଲଗାଇଦେଇଛି।
ସେଇ ପୃଷ୍ଠଭୂମିରେ ଆଜି ଯେତେବେଳେ ଆମେ ଗଣତନ୍ତ୍ର ଓ ସମ୍ବିଧାନକୁ ନେଇ ଚର୍ଚ୍ଚା କରୁଛୁ,ସେତେବେଳେ ସମ୍ବିଧାନର ମୁଖବନ୍ଧ ଓ ସମ୍ବିଧାନ ପ୍ରଣୟନ ହେବା ସମୟରେଦେଶର ପ୍ରଥମ ପଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଯେଉଁ ଉଦ୍ଦେଶ୍ୟ ପ୍ରସ୍ତାବତାକୁ ପଢିବା ଏବଂ ଜାଣିବା ସବୁଠୁ ଜରୁରୀ ।
୧୩, ଡିସେମ୍ବର,୧୯୪୬ ଦିନରେ ସମ୍ବିଧାନ ସଭାରେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟପତ୍ର ଉପସ୍ଥାପନ କରି ନେହେରୁ ଯାହା କହିଥିଲେ, ତାହାର ସାରମର୍ମ ଆମ ସମ୍ବିଧାନର ମୁଖବନ୍ଧରେ ବର୍ଣ୍ଣିତ ହୋଇଛି।
ସମ୍ବିଧାନ ଗୃହୀତ ହେବାର ସତୁରୀ ବର୍ଷ ପରେ ଦ୍ଵିତୀୟଥର ପାଇଁ ଆମେ ଆଜି ସାମ୍ବିଧାନିକ ଅଧିକାରକୁ ନେଇ ବିତର୍କ, ସଂଘର୍ଷ ଓ ଆନ୍ଦୋଳନ କରିବାକୁ ବାଧ୍ୟହେଉଛୁ । ସଂସଦରୁ ସଡକ ପର୍ଯ୍ୟନ୍ତ, ସମ୍ବିଧାନ ବଞ୍ଚିବା ଜରୁରୀ ବୋଲି ଆଜି ଚର୍ଚ୍ଚା ହେଉଛି । ଏହାର କାରଣ କଣ?
ଏକ ନିର୍ବାଚିତ ସରକାର ହାତରେ ଆମ ସମ୍ବିଧାନର ମର୍ଯ୍ୟାଦା ସୁରକ୍ଷିତ ନୁହେଁ କି?
ସମ୍ବିଧାନର ମୂଳ ଆଦର୍ଶରୁ ବିଚ୍ୟୁତ ହୋଇ ଆଜିର ସରକାର କାମକରୁଛି କି?
ଏହାର ଉତ୍ତରରେ ଦୁଇଟି କଥା ଆମେ ଶୁଣିବା । କିଛି ଲୋକ କହିବେ ହଁ, କିଛି ଲୋକ କହିବେ ନା। ତେବେ ସମ୍ବିଧାନ ଓ ତାର ଆଦର୍ଶ କଥାଉଠିଲେ, ସେଠି କୌଣସି ପ୍ରକାର ବାଦ-ବିବାଦର ଅବସର ନାହିଁ। ସମ୍ବିଧାନର ମୌଳିକ ଆଦର୍ଶ ସ୍ଥିର ଓ ଏହାକୁ ବଦଳାଇ ହେବନାହିଁ ।
ଯେଉଁମାନେ ଏହାକୁ ଅସ୍ଵୀକାର କରୁଛନ୍ତି, ସେମାନେ ସମ୍ବିଧାନ, ଗଣତନ୍ତ୍ର ଓ ସର୍ବୋପରି ଦେଶର ବିରୋଧୀ ।
ଆଜି ସାମ୍ବିଧାନିକ ବିଚାର ସଙ୍କଟରେ ବୋଲି ଭାବିବାର ଅନେକ କାରଣ ଭିତରୁ ଗୋଟେ ଦୁଇଟି କାରଣକୁ ସ୍ପଷ୍ଟ ଭାବରେ ଆଲୋଚନା କରିବାକୁ ପଡିବ। କିଛି ମାସ ତଳେ ନାଗରିକତା ସଂଶୋଧନ ଆଇନ ଉପରେ ଆଲୋଚନା କରିବାକୁ ଯାଇ ଶାସକ ଦଳର ଜଣେ ବଡ ନେତା କହିଲେ, ତାଙ୍କ ଘରେ କାମ କରୁଥିବା କିଛି ମୂଲିଆ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସେ ନିଶ୍ଚିତ ହୋଇଗଲେ କାରଣ ସେମାନେ ଚୂଡାଉପମା (ପୋହା) ଖାଉଥିଲେ। ଯଦିଖାଇବା,ପିନ୍ଧିବା ଓ କଥାହେବାର ଶୈଳୀରେ ଏକ ନିର୍ଦ୍ଦିଷ୍ଟ ଢଙ୍ଗହିଁ ଭାରତୀୟ ହେବାର ପ୍ରମାଣ, ତାହେଲେ ଏ ଦେଶରେ ୯୦ଭାଗ ଲୋକଙ୍କର ନାଗରିକତା ଚାଲିଯିବ ।
ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ଶ୍ରମଜୀବୀ ଗରୀବ ମଣିଷର ଖାଇବା ଦେଖି ତାର ଜାତୀୟତା ଉପରେ ସନ୍ଦେହ ପ୍ରକଟ କରିବା, ସବୁଠୁ ବଡ ଅଶ୍ଳୀଳତା ବୋଲି କୁହାଯିବା କଥା। ହେଲେ ଆଜିର ତାରିଖରେ ଭାରତର ଶାସକଦଳ ଏ ପ୍ରକାର ଅପରାଧୀ ଚିନ୍ତା ଓ ବିଚାର ରଖିଥିବା ଲୋକଙ୍କୁ ବଡଆସନରେ ବସାଇଛନ୍ତି।
ଏଠି ମନେ ପକାଇ ଦେବା ଉଚିତ ହେବ ଯେ ୨୮, ସେପ୍ଟେମ୍ବର, ୨୦୧୫ ରେ ଉତ୍ତର ପ୍ରଦେଶର ଦାଦ୍ରୀରେ ମହମ୍ମଦ ଆଖଲାଖଙ୍କୁ ସେ କଣ ଖାଉଛନ୍ତି ବୋଲି ସନ୍ଦେହ କରି ପିଟିପିଟି ହତ୍ୟା କରାଯାଇଥିଲା। ତାହା ହିଁ ଥିଲା ଆମ ଗଣତନ୍ତ୍ର ଉପରେ ଆକ୍ରମଣର ପ୍ରଥମସଙ୍କେତ। ତାକୁ ଅଣଦେଖା କରି କରି ଆମେ ଆଜି ବିଶ୍ଵର ଗଣତନ୍ତ୍ର ଇଣ୍ଡେକ୍ସରେ ୧୦ଟି ସ୍ଥାନ ତଳକୁ ଖସିଛୁ ଓ ବିଶ୍ଵର ଗଣମାଧ୍ୟମ ଆଜି ଆମକୁ ଗଣତନ୍ତ୍ର ବିରୋଧୀ ବୋଲି ରୋଜ ପ୍ରମାଣପତ୍ର ଦେଉଛନ୍ତି।
କରୋନା ମହାମାରି ଆଜି କେବଳ ଜୀବନ ଓ ଜୀବିକାକୁ ନୁହେଁ, ବରଂ ଆମର ସମ୍ବିଧାନ ଓ ଗଣତନ୍ତ୍ରକୁ ସବୁଠୁ ଅଧିକ ସଙ୍କଟରେ ପକାଇଛି।
Comments are closed.