ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ ନିଦର୍ଶନ
କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ
ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର । ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରେକର୍ଡ ସମେତ ଅନେକ ଆଧିକାରିକ ଦସ୍ତାବିଜ଼ରେ ଏହି ମନ୍ଦିରର ନାମ ଦକ୍ଷପ୍ରଜାପତି ଉଲ୍ଲେଖ ଥିଲେ ମଧ୍ୟ ସ୍ଥାନୀୟ ଲୋକ ତଥା ମନ୍ଦିରରେ କୌଳିକ ଭାବେ ପୂଜା କରିଆସୁଥିବା ସେବକମାନେ ଏହାକୁ ଦକ୍ଷେଶ୍ୱର ମହାଦେବ ମନ୍ଦିର କହିବାର ନଜିର ରହିଛି । ସେହିଭଳି କୌଣସି ଶିବ ମନ୍ଦିର ଦକ୍ଷପ୍ରଜାପତି ମନ୍ଦିର ନାମରେ ରହିବା ମଧ୍ୟ ସମ୍ପୂର୍ଣ୍ଣ ନିଆରା ।
ସୂକ୍ଷ୍ମ କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହା ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜତ୍ୱ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଇଛି । କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ମଧ୍ୟ ପାରମ୍ପରିକ ରେଖା ଦେଉଳ ବା ବିମାନ ସହିତ ପିଢା ଦେଉଳ ଢାଞ୍ଚାର ମୁଖଶାଳା ବା ଜଗମୋହନ ରହିଛି । ତେବେ ଏଠାରେ ମୁଖ୍ୟ ମନ୍ଦିର ଓ ମୁଖଶାଳା ସହିତ ରହିଛି ଆଉ ଏକ ପିଢା ଦେଉଳ ଢାଞ୍ଚାର ନାଟ ମଣ୍ଡପ ଏବଂ ତାକୁ ଲାଗି ଏକ ଭୋଗ ମଣ୍ଡପ । ଉଭୟ ବିମାନ ବା ମୁଖ୍ୟ ମନ୍ଦିର ଓ ମୁଖଶାଳା ଭୂମି ସହ ସମାନ ସ୍ତରରେ ରହିଥିବା ବେଳେ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଉଚ୍ଚ ପିଣ୍ଡି ଉପରେ ରହିଛି । ସେହିଭଳି କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ଦୃଷ୍ଟିରୁ ମଧ୍ୟ ମୁଖ୍ୟ ମନ୍ଦିର ଓ ମୁଖଶାଳାଠାରୁ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହି ଦୃଷ୍ଟିରୁ ଏହି ମନ୍ଦିରରେ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ମୂଳ ମନ୍ଦିର ନିର୍ମାଣ ସମୟର ନହୋଇ ପରବର୍ତ୍ତୀ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଇଛି ବୋଲି ବିଶିଷ୍ଟ ପ୍ରତ୍ନତତ୍ଵବିଦ ବିଜୟ କୁମାର ରଥ ପ୍ରକାଶ କରିଛନ୍ତି ।
ପୌରାଣିକ କଥା ଅନୁସାରେ ଦକ୍ଷପ୍ରଜାପତି ଶକ୍ତି ବା ଶିବଙ୍କ ପତ୍ନୀ ସତୀଙ୍କ ପିତା ହୋଇଥିବା କୁହାଯାଇଥିବାବେଳେ ବାଣପୁରର ଏହି ଦକ୍ଷପ୍ରଜାପତି ମନ୍ଦିରର ମୁଖଶାଳାରେ ରହିଛି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଭଗବତୀ ବା କାଠି ଠାକୁରାଣୀ । ଏକାଧିକ ରଙ୍ଗୀନ ଶାଢୀରେ ପୂର୍ଣ୍ଣ ଭାବରେ ଆବୃତ କଦମ୍ବ କାଠର ଏହି ଲମ୍ବା କାଠି ଭଗବତୀ ବା କାଠି ଠାକୁରାଣୀ ପ୍ରତିମା ମୁଖଶାଳାର ଭିତର ପାର୍ଶ୍ୱରେ ତଳୁ ଚୁଡା ଯାଏଁ ଡେରା ହୋଇ ରହିଥାନ୍ତି । ପାର୍ବଣ ସମୟ ବ୍ୟତୀତ ଅନ୍ୟ ସମୟରେ ପ୍ରତି ମଙ୍ଗଳବାର ଏହି କାଠି ଠାକୁରାଣୀ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ମନ୍ଦିରକୁ ବିଜେ ହୋଇଥାନ୍ତି । ଅଶୋକାଷ୍ଟମୀ ଭଳି ଅନେକ ପର୍ବ ପର୍ବାଣିରେ ମଧ୍ୟ ମା ଭଗବତୀଙ୍କ ଏହି ଚଳନ୍ତି ପ୍ରତିମା କାଠି ଭଗବତୀ ବା କାଠି ଠାକୁରାଣୀ ନଗର ବିଜେ କରିଥାନ୍ତି । ସେହିଭଳି ବାଣପୁରର ପ୍ରସିଦ୍ଧ ପଂଚୁଦୋଳ ମେଳଣରେ ମଧ୍ୟ କାଠି ଭଗବତୀ ବା କାଠି ଠାକୁରାଣୀ ବିଜେ କରିଥାନ୍ତି ।
ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସଂରକ୍ଷଣରେ ରହିଥିବା ଏହି ମନ୍ଦିରର ବିମାନ ବା ରେଖା ଦେଉଳ ଶୈଳୀରେ ନିର୍ମିତ ମୂଳ ମନ୍ଦିରର ଉଚ୍ଚତା ପ୍ରାୟ ୧୫ ମିଟର । ସବୁ ମହାଦେବଙ୍କ ମନ୍ଦିର ଭଳି ଏଠାରେ ବି ପାର୍ଶ୍ୱ ଦେବତା ଭାବରେ ରହିଛନ୍ତି ଅଗ୍ରପୂଜ୍ୟ ଗଣେଶ, କାର୍ତ୍ତିକେୟ ଏବଂ ଦେବୀ ପାର୍ବତୀ । ମୂଳ ମନ୍ଦିର ଓ ମୁଖଶାଳାରେ ରହିଥିବା ପ୍ରମୁଖ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ମଧ୍ୟରେ ରହିଛି ନାଗ ସ୍ତମ୍ଭ, ଦିଗପାଳଙ୍କ ପ୍ରତିମା, ଗଜଲକ୍ଷ୍ମୀ, ବ୍ରହ୍ମା, ଗଣେଶ, ଇନ୍ଦ୍ର, ବୟାଳ, ଗଜବିଦଳ, ଅଳସ କନ୍ୟା ଇତ୍ୟାଦି ତଥା ବିଭିନ୍ନ ପଶୁ ଏବଂ ପ୍ରକୃତିକୁ ନେଇ ସୁନ୍ଦର ଭାବରେ ଖୋଦିତ ଭଳିକି ଭଳି ଡାଳି ଲତାର ଧଡ଼ି ବା ପଟି । ମନ୍ଦିର ବାଡ଼ରେ ଯୁଦ୍ଧ ବା ସମର ସମୟର କେତେକ ଚିତ୍ର ବେଶ ସ୍ପଷ୍ଟ ଭାବେ ଖୋଦିତ ରହିଛି ।
ପୂର୍ବ ଦିଗକୁ ମୁହଁ କରିଥିବା ମୂଳ ମନ୍ଦିରରେ ଦକ୍ଷେଶ୍ୱର ମହାଦେବ ପାତାଳଫୁଟା ଶିବଲିଙ୍ଗ ଭାବରେ ପୂଜା ପାଉଥିବା ବେଳେ, ଶିବଲିଙ୍ଗ ଗୋଲାକାର ଶକ୍ତି ଠାରୁ ନିମ୍ନରେ ରହିଛି । ମନ୍ଦିର ବେଢାରେ ରହିଛ ପରବର୍ତ୍ତୀ ସମୟରେ ନିର୍ମିତ ହୋଇଥିବା ଆଉ ତିନୋଟି ଛୋଟ ଛୋଟ ମନ୍ଦିର । ଏଥି ମଧ୍ୟରୁ ଗୋଟିଏ ବୁଢାଲିଙ୍ଗ ମହାଦେବଙ୍କର ହୋଇଥିବା ବେଳେ ଆଉ ଗୋଟିଏ ହେଉଛି ବୁଢ଼ୀ ସାଆନ୍ତାଣୀଙ୍କ ମନ୍ଦିର । ଅନ୍ୟଟି ହେଉଛି ହନୁମାନଙ୍କ ମନ୍ଦିର । ମନ୍ଦିର ପରିସରରେ ଏକ ପୁରାତନ ବାମ୍ଫି ମଧ୍ୟ ରହିଛି । ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁସାରେ ମୂଳ ମନ୍ଦିରରେ ଗର୍ଭଗୃହଟି ଭୂମି ସ୍ତରରୁ ତଳେ ରହିଥିବା ବେଳେ ବର୍ଷାଦିନେ ସ୍ୱତଃପ୍ରବୃତ ଭାବରେ ଭୂମି ତଳୁ ପାଣି ଉପରକୁ ଝରି ଆସି ଶକ୍ତି ଓ ଶିବଲିଙ୍ଗ କେତେକାଂଶରେ ଜଳମଗ୍ନ ରହିଥାଏ ।
ଏହି ମନ୍ଦିରରେ ମଧ୍ୟାହ୍ନରେ ସଙ୍ଖୁଡି ଭୋଗ କରାଯାଉଥିବାବେଳେ ସନ୍ଧ୍ୟାରେ ବିନା ନଡ଼ିଆ ପୁରର କାକରା ଭୋଗ କରାଯାଇଥାଏ । ସେବାୟତଙ୍କ ମଧ୍ୟରେ ପୂଜକ ବା ପରିଛା ସେବକ ଓ ମାଳୀ ସେବକ ରହିଥିବା ବେଳେ ମା ଭଗବତୀଙ୍କ ପୀଠରେ କୌଳିକ ଭାବରେ କାହାଳି ବାଦନ ସେବା କରୁଥିବା କିଛି ପରିବାର ପକ୍ଷରୁ ଏଠାରେ ମଧ୍ୟ ପାଳି କରି ସେବା ପ୍ରଦାନର ବ୍ୟବସ୍ଥା ରହିଛି ।
ତେବେ ଏହି ବିଗତ କିଛି ଦଶନ୍ଧି ମଧ୍ୟରେ ଆନ୍ତରାଜ୍ୟ ମୂର୍ତ୍ତୀ ଚୋର ମାନେ ଦୁଇ ଥର ଏହି ପ୍ରାଚୀନ ମନ୍ଦିର ଭିତରେ ରହିଥିବା ଅନେକ ବିରଳ ଓ ଦୁର୍ମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତୀ ଚୋରି କରିନେଇଥିବାରୁ ଏହାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed.