Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟରେ ୭୪%ରୁ ଅଧିକ ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଷ୍ଟାଲ ବାଲଟ୍ କୁ ବାଦ୍ ଦେଲେ ଏହି ଭୋଟ୍ ପ୍ରତିଶତ ସାର୍ବଜନୀନ କରାଯାଇଛି। ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ପଡ଼ିଥିଲା।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆସନ ଗୁଡ଼ିକରେ ମୋଟ ମତଦାନ ୭୪.୪୫% ଥିବା ବେଳେ ୨୦୧୯ ନିର୍ବାଚନରେ ଏହା ୭୧.୩୬% ଥିଲା। ସମ୍ବଲପୁର ଲୋକସଭା ଆସନରେ ଏହି ପର୍ଯ୍ୟାୟ ମତଦାନରେ ସର୍ବାଧିକ ୭୯.୫୦% ମତଦାନ ହୋଇଛି। ଏହାପରେ କେନ୍ଦୁଝରରେ ୭୮.୯୭%, ଢେଙ୍କାନାଳରେ ୭୮.୦୧%, କଟକରେ ୭୧.୨୦%, ପୁରୀରେ ୭୫.୪୩% ଓ ଭୁବନେଶ୍ୱରରେ ୬୪.୪୯% ରହିଛି।

ତୃତୀୟ ପର୍ଯ୍ୟାୟ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଛି। ଇଭିଏମ୍ ତ୍ରୁଟି ଯୋଗୁଁ ପୁରୀ ସହରର ବିଭିନ୍ନ ବୁଥରେ ୨ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା। ଏହାକୁ ନେଇ ବ୍ରହ୍ମଗିରିର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଲୋକ ଭୋଟର ତାଲିକାରୁ ସେମାନଙ୍କ ନାମ ନଥିବା ନେଇ ଅଭିଯୋଗ କରିଥିଲେ।

ସେହିପରି ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ମତଦାନ ଚାଲିଥିବା ବେଳେ ବେଗୁନିଆ ବିଧାନସଭା ଆସନ ଅନ୍ତର୍ଗତ ବୋଲଗଡ଼ର ଏକ ବୁଥରେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ରହିଛି। ଅନ୍ୟପଟେ ଛେଣ୍ଡିପଦାରେ ବିଜେଡି ବିଧାୟକ ସୁଶାନ୍ତ ବେହେରା ଭୋଟରଙ୍କୁ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.