Latest Odisha News

BREAKING NEWS

ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ

ରାଉରକେଲା:ଗତ ଦୁଇ ବର୍ଷରେ ସୁନ୍ଦରଗଡ଼ରେ ସାପକାମୁଡାରେ ୮୯ରୁ ଅଧିକ ଜୀବନ ଗଲାଣି । ବର୍ଷା ଦିନେ ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ପୁଣି ଜିଲ୍ଲାରେ ସର୍ପାଘାତରେ ଗୋଟିଏ ଦିନରେ ଯାଇଛି ୪ ଜୀବନ । ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗିରିଜଟୋଲିରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସମୀର ହରୋ (୧୦) ଓ ତାଙ୍କ ଭଉଣୀ ସାଇରେନ ହରୋ (୮)। ସେହିପରି ବଣାଇ ଟିକାୟତପାଲି ତିଲେଇମାଲର ଅଜା ଓ ନାତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ରବି ଭୂୟାଁ (୭୬) ଓ ତାଙ୍କ ନାତି ସଞ୍ଜୟ ନାଏକ (୮)।

ଖବରମୁତାବକ, ଗତକାଲି ରାତିରେ ସମୀର ତା’ର ଭଉଣୀ ସାଇରେନ୍‌ ଖାଇସାରିବା ପରେ ବାପା-ମା’ଙ୍କ ନିକଟରେ ଖଟ ଉପରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ ସମୀର ଖଟରୁ ଉଠି କିଏ କାମୁଡି ଦେଲା, ପେଟ କାଟୁଛି ବୋଲି ମା’ଙ୍କୁ କହିଥିଲା। କିଛି ସମୟ ପରେ ଭଉଣୀ ସାଇରେନ ମଧ୍ୟ ସମାନ କଥା କହିଥିଲା। ଦୁହେଁ ଅସୁସ୍ଥ ‌ହୋଇପଡିବାରୁ ପରିବାର ଲୋକ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟ ୯ଟାରେ ଡାକ୍ତର ଉଭୟ ଭାଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ବଣାଇ ଟିକାୟତପାଲି ତିଲେଇମାଲର ର ରବି ଓ ତାଙ୍କର ନାତି ସଞ୍ଜୟ ଖାଇପିଇ ଘରେ ତଳେ ଶୋଇଥିଲେ। ବିଷାକ୍ତ ସାପ କାମୁଡି ଦେବାରୁ ଉଭୟ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.