Latest Odisha News

ପଦମପୁରରେ ପୁଣିଥରେ ବର୍ଷା, ପ୍ରଦୀପ ହେବେ ମୁହାଁମୁହିଁ !

ଭୁବନେଶ୍ୱର: ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୀତି ସେତିକି ଚଳଚଂଚଳ ହେଉଛି। ପ୍ରମୁଖ ଦଳ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି କିମ୍ବା ଆଶାୟୀ ସମସ୍ତେ ଆକ୍ଟିଭ ହୋଇପଡିଛନ୍ତି। ପାଞ୍ଚ ବର୍ଷର ପରିଶ୍ରମ ଓ ପ୍ରତୀକ୍ଷା ପରେ ସୁଯୋଗ ଆସିଛି। ତେଣୁ ଏହାକୁ ହାତ ଛଡା କରିବାକୁ କେହି ଚାହୁଁ ନାହାନ୍ତି।

ଆଗାମୀ ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବେଶ ଚଳଚଂଚଳ ହୋଇଉଠିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଫଳ ଦେଖିବାକୁ ମିଳେ।

କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ଆଉ ବିଜେଡି। କିନ୍ତୁ ଗତ କିଛି ଦିନର ଇତିହାସକୁ ଦେଖିଲେ ଏହି ଆସନରେ ଶାସକ ବିଜେଡିର ପ୍ରଭାବ ଅଧିକ ରହିଛି। ବିଜେଡିରୁ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁର ଆସନରୁ ଜିତିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ।

ବରିହା ୧୯୯୦ ରୁ ୨୦୦୦ ପର୍ଯ୍ୟନ୍ତ ଲଗାତର ଜିତିଥିବା ବେଳେ ୨୦୦୯ ଓ ୨୦୧୯ ରେ ଜିତିଥିଲେ। ୨୦୦୪ ନିର୍ବାଚନରେ କଂଗ୍ରେସର ସତ୍ୟଭୂଷଣ ସାହୁ ଜିତିଥିବା ବେଳେ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇଥିଲେ।

୨୦୦୯ ରେ ବିଜୟ ରଞ୍ଜନ ସିଂ ବରିହା କଂଗ୍ରେସର ବିଧାୟକ ଥିବା ସତ୍ୟଭୂଷଣ ସାହୁଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ପ୍ରଦୀପ ପୁରୋହିତ ଏହି ନିର୍ବାଚନରେ ୨୯ ହଜାର ୬୫୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ ରେ କିନ୍ତୁ ଚିତ୍ର ବଦଳିଥିଲା। ୨୦୦୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪୫୧୩ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟ ବରିହାଙ୍କୁ ହରାଇଥିଲେ।

କଂଗ୍ରେସ ପ୍ରାର୍ଥୀ ବଦଳାଇ ପ୍ରକାଶ ନାରାୟଣ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ୩୧ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ରେ ବିଜୟ ବରିହା ଓ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡା ଫାଇଟ ହୋଇଥିଲା। କିନ୍ତୁ ବିଜୟ ବରିହା ବାଜି ମାରି ନେଇଥିଲେ।

୫୭୩୪ ଖଣ୍ଡ ଭୋଟରେ ସେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ହରାଇଥିଲେ। କଂଗ୍ରେସ ପୁଣିଥରେ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ତୃତୀୟ ସ୍ଥାନରେ ରହିଥିଲେ।

ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ୨୦୨୨ ରେ ପଦମପୁର ଉପନିର୍ବାଚନ ହୋଇଥିଲା। ଯାହାକି ଶାସକ ବିଜେଡି ପାଇଁ ଏକ ବଡ଼ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଥିଲା।

ଧାମନଗର ଉପନିର୍ବାଚନ ହାରିଥିବା ବିଜେଡି ପାଇଁ ଏହି ଉପନିର୍ବାଚନ ଏକ ବଡ଼ ଚେତାବନୀ ହୋଇ ଛିଡା ହୋଇଥିଲା। ଦଳ ବିଜୟ ରଂଜନ ସିଂ ବରିହାଙ୍କୁ ଝିଅ ବର୍ଷା ସିଂ ବରିହାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ବିଜେପି ମଧ୍ୟ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିଲେ।

ବର୍ଷା ଏକ ଲକ୍ଷ ୨୦ ହଜାରରୁ ଅଧିକ ଭୋଟ ପାଇ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ହରାଇଥିଲେ। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୫୯୪ ଭୋଟ ପାଇ ଅମାନତ ହରାଇଥିଲେ। ଯାହା କି କଂଗ୍ରେସକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ଏବେ ଆଗାମୀ ନିର୍ବାଚନ ପାଇଁ ପୁଣିଥରେ ପ୍ରସ୍ତୁତି ଜୋରଦାର ହେଲାଣି। ଶାସକ ବିଜେଡି ମହିଳାଙ୍କୁ ଅଧିକ ଗୁରୁତ୍ଵ ଦେଉଥିବାବେଳେ ବର୍ଷା ସିଂ ବରିହା ମଧ୍ୟ ବେଶ ଆକ୍ଟିଭ ହୋଇ କାମ କରୁଛନ୍ତି। ନିର୍ବାଚନ ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଚଳଚଂଚଳ କରିବା ହେଉ କିମ୍ବା ବିରୋଧୀଙ୍କୁ ରାଜ୍ୟସ୍ତରୀୟ ପ୍ରସଙ୍ଗରେ କାଉଣ୍ଟର କରିବା ସବୁ କ୍ଷେତ୍ରରେ ତାଙ୍କୁ ଦେଖିବାକୁ ମିଳୁଛି।

ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ସେ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି। ସେପଟେ ପ୍ରଦୀପ ପୁରୋହିତ ହାରିଲେ ମଧ୍ୟ ଜନ ସମ୍ପର୍କ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରୁଛନ୍ତି।

ଲୋକଙ୍କ ସମସ୍ୟାରେ ଛିଡା ହେବା ସହ ବିଜେପି ନେତା ପ୍ରଦୀପ ପୁରୋହିତ ନାଚ ଗୀତରେ ମଧ୍ୟ ସାମିଲ ହେଉଛନ୍ତି। ଏପରିକି ଚାଷୀ ବହୁଳ ଏହି ଅଞ୍ଚଳରେ ଚାଷୀଙ୍କ ସମସ୍ୟାକୁ ନେଇ ପ୍ରଦୀପ ପୁରୋହିତ ସରକାରଙ୍କୁ ଘେରୁଛନ୍ତି। କେନ୍ଦୁପତ୍ର ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ପ୍ରଦୀପ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ସହ ଯୋଡି ହୋଇ ରହୁଛନ୍ତି।

ଆଗାମୀ ନିର୍ବାଚନରେ ବିଜେଡି ପୁଣିଥରେ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ବିଜେପି ମଧ୍ୟ ପ୍ରଦୀପ ପୁରୋହିତଙ୍କ ଉପରେ ପୁଣିଥରେ ଭରଷା କରିବା ପ୍ରାୟ ସ୍ପଷ୍ଟ। ତେଣୁ ଆଗାମୀ ନିର୍ବାଚନରେ ବର୍ଷା ପ୍ରଦୀପ ଲଢେଇ ହେବା ଜଣାପଡୁଛି।

କଂଗ୍ରେସ କିନ୍ତୁ ପୁଣିଥରେ ଟ୍ରାକକୁ ଫେରିବ କି ନାହିଁ ତାକୁ ନେଇ ଆଲୋଚନା ହେଉଛି। ଦଳ ଏଥର ସତ୍ୟଭୂଷଣ ସାହୁଙ୍କ ବଦଳରେ ନୂଆ ଚେହେରାକୁ ମଇଦାନକୁ ଓଲ୍ହାଇପାରେ।

ସେପଟେ ଉପନିର୍ବାଚନ ବେଳେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ନେଇ କୁହାଯାଇଥିବା ବେଳେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ କହିଥିଲେ। ଆସନ୍ତା ଡିସେମ୍ବର ମାସରେ ପଦମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯିବ ବୋଲି ବର୍ଷା ସିଂ ବରିହା କହିଛନ୍ତି।

ଏହା ମଧ୍ୟ ଏକ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ହୋଇପାରେ। ତେଣୁ ଆଗାମୀ ନିର୍ବାଚନରେ ପଦ୍ମପୁରରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.