Latest Odisha News

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପିଇଓ ଦେବାନନ୍ଦ ସାଗରଙ୍କ ବିରୋଧରେ  ପଞ୍ଚାୟତର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଜିଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଥିଲେ।

ପିଇଓ ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝିଙ୍କ ଜାଲ୍‌ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ଏବିଡିଓ ବିଭୂତିଭୂଷଣ ଶତପଥୀ, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇଥିଲା ।

ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ପିଇଓ ସାଗରଙ୍କୁ ନିଲମ୍ବନ କରାଯାଇଥିଲା। ପୂର୍ବରୁ ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ସେ ଏପରି କାରନାମା କରିଥିବା ସହିତ ୫୮ ଲକ୍ଷ ୭୨ ହଜାର ୬୧୬ ଟଙ୍କା ହଡପ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଉଭୟ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଏହା ପରେ ଦେବାନ୍ଦଙ୍କ ମାନସିକ ସ୍ଥିତି ଭଲ ନଥିଲା। ଏହି କାରଣରୁ ଦେବାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.