Latest Odisha News

BREAKING NEWS

ମୋଦୀଙ୍କ ସହ ମିଟିଂ ପରେ ଆହୁରି ଘାତକ ହୋଉଛନ୍ତି ଭାରତୀୟ ସେନା, ଛାନିଆ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ କେବେ ଓ କିପରି ଆକ୍ରମଣ ହେବ, ତାହା ଭାରତୀୟ ସେନା ନିଷ୍ପତ୍ତି ନେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ସେନାର ମୁଖ୍ୟମାନଙ୍କ ସହ ହୋଇଥିବା ବୈଠକରେ ଏହି ବିଷୟ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ମୁକ୍ତ ହସ୍ତର ଅନୁମତି ମିଳିବା ପରେ ଭାରତୀୟ ସେନା ଆହୁରି ଘାତକ ହୋଇଉଠିଛି। ଏହାର ପ୍ରମାଣ ସେନା ପୂର୍ବରୁ ଦେଇ ସାରିଛି। ପାକିସ୍ତାନ ମଧ୍ୟ ଏହା ସ୍ୱୀକାର କରେ। ସେଥିପାଇଁ ତ ସେ ଭୟଭୀତ ଅଛି ଏବଂ ତାକୁ ଡର ଲାଗୁଛି ଯେ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ତା ଉପରେ ଆକ୍ରମଣ କରିପାରେ।

ଯେତେବେଳେ ମିଳିଛି ମୁକ୍ତ ହସ୍ତ, ସେନା ହୋଇଛି ଘାତକ
ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ମୁକ୍ତ ହସ୍ତ ଦେଇଛନ୍ତି। ଏହାପୂର୍ବରୁ ଉରୀ, ପୁଲଓ୍ୱାମା ଆକ୍ରମଣ ପରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋଲା ଅନୁମତି ଦେଇଥିଲେ। ଏହା ବ୍ୟତୀତ ୨୦୨୦ ମସିହାରେ ଚୀନ୍ ସହ ଗଲଓ୍ୱାନ ଉପତ୍ୟକାରେ ସଂଘର୍ଷ ପରେ ମଧ୍ୟ ସେନାକୁ ମୁକ୍ତ ହସ୍ତ ଦିଆଯାଇଥିଲା।

୨୦୧୬ ମସିହା: ଉରୀରେ ସର୍ଜିକାଲ ଷ୍ଟ୍ରାଇକ୍
୨୦୧୬ ମସିହା। ସ୍ଥାନ- ଜମ୍ମୁ କଶ୍ମୀରର ଉରୀ। ପାକିସ୍ତାନର ଆତଙ୍କବାଦୀମାନେ ୧୮ ସେପ୍ଟେମ୍ବରରେ ସେନା ଶିବିର ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୧୮ ଜଣ ଯବାନ ଶହୀଦ ହୋଇଥିଲେ। ଏହି ଘଟଣା ପରେ ଦେଶ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଦାବି କରୁଥିଲା। ତାକୁ ମୁହଁତୋଡ଼ ଜବାବ ଦେବାର କଥା ଉଠୁଥିଲା। ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ସେନାକୁ ମୁକ୍ତ ହସ୍ତ ଦେଇଥିଲେ।
ସେନା ସରକାର ଓ ଦେଶର ଆଶାକୁ ପୂରଣ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଦେଶର ସାହସୀ ଯବାନମାନେ ଆତଙ୍କବାଦୀଙ୍କର ଅନେକ ଠିକଣାକୁ ଧ୍ୱଂସ କରିଥିଲେ। ସେନା କହିଥିଲା ଯେ ସେମାନେ ବୃହତ୍ ପରିମାଣରେ ଆତଙ୍କବାଦୀଙ୍କର ମୌଳିକ ଭିତ୍ତିଭୂମିକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି, ଯାହା ପାକିସ୍ତାନ ଦ୍ୱାରା କଶ୍ମୀରରେ ଆଇନ ଓ ଶୃଙ୍ଖଳାକୁ ଅସ୍ଥିର କରିବା ପାଇଁ ବ୍ୟବହୃତ ହେଉଥିଲା।

୨୦୧୯ ମସିହା: ପୁଲଓ୍ୱାମା ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍
ଏହା ପରେ ଆସିଲା ୨୦୧୯ ମସିହା। ଫେବୃଆରୀ ମାସରେ ଆତଙ୍କବାଦୀମାନେ ପୁଲଓ୍ୱାମାରେ ସିଆରପିଏଫର କାଫିଲା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୁଦ୍ଧରେ ଆକ୍ରୋଷର ମାହୋଲ ସୃଷ୍ଟି ହୋଇଥିଲା। ତାକୁ କଡ଼ା ଜବାବ ଦେବାର ଦାବି ଉଠିଥିଲା। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ମୁକ୍ତ ହସ୍ତ ଦେଇଥିଲେ।
ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ହତ୍ୟାକାରୀ ଓ ତାଙ୍କ ସମର୍ଥକମାନଙ୍କୁ କିପରି, କେବେ, କେଉଁଠାରେ ଓ କିଏ ଦଣ୍ଡ ଦେବ, ତାହା ଆମର ସେନା ନିଷ୍ପତ୍ତି ନେବ, ଯେଉଁମାନେ ଏହି ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ। ପ୍ରଧାନମନ୍ତ୍ରୀ ସେନାର ମନୋବଳ ବୃଦ୍ଧି କରି କହିଥିଲେ ଯେ ଆତଙ୍କବାଦୀମାନେ ଯେଉଁଠାରେ ଲୁଚି ରହିଛନ୍ତି, ଆମର ସୁରକ୍ଷାବଳ ସେମାନଙ୍କୁ ବାହାର କରି ଦଣ୍ଡିତ କରିବେ। ଏହା ପରେ ଭାରତୀୟ ବାୟୁସେନା ଯାହା କରିଥିଲା, ତାହା ସାରା ବିଶ୍ୱ ସାମ୍ନାରେ ଅଛି। ସେମାନେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରିଥିଲା।

ଚୀନକୁ ମଧ୍ୟ ମିଳିଛି ମୁହଁତୋଡ଼ ଜବାବ
୨୦୧୬ ଓ ୨୦୧୯ରେ ପାକିସ୍ତାନକୁ କଡ଼ା ଜବାବ ମିଳିସାରିଥିଲା। ଏବେ ଥିଲା ତାର ଗୁରୁ ଚୀନର ପାଳି। ୨୦୨୦ ମସିହାରେ ଚୀନର ସୈନିକମାନେ ଭାରତୀୟ ସୈନିକମାନଙ୍କୁ ଉସୁକାଇଥିଲେ। ୨୦ ଜୁନରେ ଗଲଓ୍ୱାନ ଉପତ୍ୟକାରେ ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ଏଥିରେ ଚୀନର ମଧ୍ୟ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଚୀନ କେବେ ସଂଖ୍ୟା ପ୍ରକାଶ କରିନଥିଲା।
ଏହି ସଂଘର୍ଷରେ ଭାରତୀୟ ସୈନିକମାନେ ଚୀନକୁ ଦୃଢ଼ ଜବାବ ଦେଇଥିଲେ ଏବଂ ସେମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ। ଯେତେବେଳେ ଏହି ଘଟଣା ଘଟିଥିଲା, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ସେନାକୁ ଭାରତୀୟ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପୂର୍ଣ୍ଣ ଅନୁମତି ଦିଆଯାଇଛି। ସେ କହିଥିଲେ ଯେ ଚୀନ ଦ୍ୱାରା ଉଠାଯାଇଥିବା ପଦକ୍ଷେପରୁ ସମଗ୍ର ଦେଶ ଆହତ ଓ କ୍ରୋଧିତ। ଭାରତ ଶାନ୍ତି ଓ ମୈତ୍ରୀ ଚାହେଁ, କିନ୍ତୁ ସାର୍ବଭୌମତ୍ୱକୁ ବଜାୟ ରଖିବା ସର୍ବୋପରି।

 

Comments are closed.