Latest Odisha News

BREAKING NEWS

Rath Yatra 2026: ଭକ୍ତଙ୍କ ଅପେକ୍ଷା ଶେଷ, ଆରମ୍ଭ ହେଲା ଠାକୁରଙ୍କ ପହଣ୍ଡି, ବଡଦାଣ୍ଡରେ ଝୁଲି ଝୁଲି ଆସୁଛନ୍ତି ବଡ ଭାଇ ବଳଭଦ୍ର

ପୁରୀ: ପହଣ୍ଡି ବିଜେରେ କମ୍ପୁଛି ବଡ଼ଦାଣ୍ଡ । ରଥାରୂଢ଼ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେଉଛନ୍ତି ଲକ୍ଷାଧିକ ଭକ୍ତ । ବିଶ୍ୱବନ୍ଦିତ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ସବୁଠୁ ଆକର୍ଷଣୀୟ ଓ ଭାବବିହ୍ୱଳ ପରମ୍ପରା ‘ପହଣ୍ଡି ବିଜେ’ ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଝାଞ୍ଜ, “ହରିବୋଲ” ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର। ଭକ୍ତି, ଉଲ୍ଲାସ ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ମଧ୍ୟରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ରଥ ଆଡ଼କୁ ବିଜେ କରୁଛନ୍ତି ମହାପ୍ରଭୁ।

ପାରମ୍ପରିକ ନୀତି ଅନୁଯାୟୀ ସର୍ବପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ସମ୍ପନ୍ନ ହୋଇଛି। ସେବାୟତମାନେ ତାଙ୍କୁ କାନ୍ଧରେ ବହନ କରି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରାଇଛନ୍ତି। ଏହାପରେ ଆରମ୍ଭ ହୋଇଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି। ପାରମ୍ପରିକ ‘ଗୋଟି ପହଣ୍ଡି’ ଶୈଳୀରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ପ୍ରଭୁ ବଳଭଦ୍ର ଧୀରେ ଧୀରେ ତାଙ୍କ ରଥ ତାଳଧ୍ୱଜ ଆଡ଼କୁ ଅଗ୍ରସର ହେଉଛନ୍ତି।

ଶ୍ରୀବଳଭଦ୍ରଙ୍କ ପହଣ୍ଡି ପରେ କ୍ରମାନୁସାରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ। ତାଙ୍କୁ ଦର୍ପଦଳନ ରଥରେ ବିଜେ କରାଯିବ। ଶେଷରେ ସମସ୍ତଙ୍କ ଅପେକ୍ଷାର ଅବସାନ ଘଟାଇ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ। ପ୍ରଭୁଙ୍କ ନୃତ୍ୟମୟ ପହଣ୍ଡି ଦର୍ଶନ କରିବା ପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରିଥାନ୍ତି।

ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତମାନେ ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ କରି ନିଜକୁ ଧନ୍ୟ ଓ କୃତାର୍ଥ ମନେ କରୁଛନ୍ତି। “ଜୟ ଜଗନ୍ନାଥ” ଓ “ହରିବୋଲ” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ଭକ୍ତିରସରେ ଉଲ୍ଲସିତ ହୋଇଉଠିଛି।

ରଥଯାତ୍ରାରେ ପହଣ୍ଡି ବିଜେ କେବଳ ଏକ ଧାର୍ମିକ ନୀତି ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନର ପ୍ରତୀକ। ଆଜି ମହାପ୍ରଭୁ ନିଜେ ଶ୍ରୀମନ୍ଦିରର ଗର୍ଭଗୃହ ଛାଡ଼ି ଭକ୍ତଙ୍କ ପାଖକୁ ଆସୁଛନ୍ତି। ବଡଦାଣ୍ଡରେ ଏକାକାର ହେବେ ଭକ୍ତ ଏବଂ ଭଗବାନ । ଏହି ଅବସରରେ ଜାତି, ଧର୍ମ, ବର୍ଣ୍ଣ ଓ ସୀମାର ସମସ୍ତ ବିଭେଦ ଲିଭିଯାଇ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକାଠି ହୋଇଛନ୍ତି।

ପହଣ୍ଡି ନୀତି ସମ୍ପୂର୍ଣ୍ଣ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ନିଜ ନିଜ ରଥରେ ବିଜେ କରିବେ। ଏହାପରେ ଗଜପତି ମହାରାଜଙ୍କ ପବିତ୍ର ଛେରା ପହଁରା ନୀତି ଅନୁଷ୍ଠିତ ହେବ। ତା’ପରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଯେଉଁଥିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଲକ୍ଷାଧିକ ଭକ୍ତ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଯିବେ। ଏହି ଐତିହାସିକ ଓ ଆଧ୍ୟାତ୍ମିକ ମହାପର୍ବକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି।

Leave A Reply

Your email address will not be published.