ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନଙ୍କୁ ପଚରାଉଚରା କରାଯାଉଛି। ସମ୍ପତ୍ତି ବିବାଦର ସମାଧାନ ପାଇଁ ଉଭୟ ଏଭଳି କରିଥିବା ଜଣାଯାଇଛି। ଜମି-ଜମା ମାମଲାରେ ମଧ୍ୟସ୍ଥି ସାଜି ଲଗାଉଥିଲେ ଚୂନା।
ଆଙ୍କୁଲିର ପ୍ରଦୀପ ମଣ୍ଡଳ ସେନାରେ କାମ କରିବା ସମୟରେ ବାହାରେ ରହୁଥିଲେ। ସେହି ସମୟରେ ତାଙ୍କ ଭାଇମାନେ ତାଙ୍କୁ ପୈତୃକ ସମ୍ପତ୍ତି ମାଲିକାନାରୁ ବାଦ ଦେଇଥିଲେ। ଉତ୍ତରାଧିକାରୀ ପ୍ରମାଣପତ୍ରରେ ତାଙ୍କ ନାମ ମଧ୍ୟ ନଥିଲା। ସେ ବ୍ରହ୍ମପୁର ଫେରିବା ପରେ ଏ ସମ୍ପର୍କରେ ଜାଣିଥିଲ । ପୈତୃକ ସମ୍ପତ୍ତି ଫେରି ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ପ୍ରଦୀପ। ସେ ତାଙ୍କ ବନ୍ଧୁ ଦୁର୍ଗାଙ୍କୁ ଡାକି ସହାୟତା ମାଗିଥିଲେ। ଏଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିଚୟ ପତ୍ର ପ୍ରସ୍ତୁତ କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଦୁର୍ଗା ନିଜକୁ ‘ର’ ଏଜେଣ୍ଟ ଏବଂ ପ୍ରଦୀପ ନିଜକୁ ଆଇବି ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ। ପରେ ସେମାନେ ଭିଜିଲାନ୍ସ ଅଫିସକୁ ଯାଇ ମଧ୍ୟ ନିଜକୁ ସେହିଭଳି ପରିଚିତ କରାଇଥିଲେ।
ପରବର୍ତ୍ତୀ ସମୟରେ ଉଭୟ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ଙ୍କୁ ସାକ୍ଷାତ କରି ଆଇବି ଓ ର ଏଜେଣ୍ଟ ବୋଲି ପରିଚୟ ଦେବା ପରେ ସେ ସନ୍ଦେହ କରିଥିଲେ। ସେମାନେ କଥା ହୋଇ ଫେରିବା ପରେ ଉଭୟଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସେମାନେ ସମ୍ପତ୍ତି ବିବାଦର ସମାଧାନ କରିବାକୁ ଏଭଳି ପରିଚୟ ଦେଉଥିଲେ ବୋଲି ଜଣାପଡ଼ିଥିଲା। ଏଏସ୍ଆଇ ଅନନ୍ତ ପ୍ରଧାନ ଉଭୟଙ୍କ ନାମରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ କରିବା ସହ ପ୍ରଦୀପ ଓ ଦୁର୍ଗାଙ୍କୁ ଗିରଫ କରିଛି।