Latest Odisha News

BREAKING NEWS

ପହିଲି ପଞ୍ଚୁକରେ ଲୋକାରଣ୍ୟ ଧବଳେଶ୍ବର ପୀଠ

କଟକ: ପବିତ୍ର କାର୍ତ୍ତିକମାସର ଶେଷ ପର୍ବ ପଞ୍ଚୁକର ଆଜି ପ୍ରଥମ ଦିନ । ଆଜିଠାରୁ ବାବା ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା ବ୍ରତ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । କାର୍ତ୍ତିକ ବ୍ରତ ତଥା ବଡଓଷା କରିଥିବା ଭକ୍ତ ମାନେ ଶେଷ ପଞ୍ଚୁକରେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି।

ପହିଲି ପଞ୍ଚୁକ ଅବସରରେ ଶୁକ୍ରବାର ରାତି ଦୁଇଟା ବେଳେ ଦ୍ଵାର ଫିଟା ଯାଇ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ , ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଛି । ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା ।

ପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ହେବାକୁ ଥିବା ବେଳେ ପୂର୍ଣ୍ଣିମା ଦିନ ବାବା ଯୋଗୀ ବେଶରେ ଦର୍ଶନ ଦେବେ।

ଧବଳେଶ୍ବର ପୀଠରେ ହେବାକୁ ଥିବା ବଡଓଷା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ।

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ମହାନଦୀ କୂଳରେ ୫ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଏହାଛଡା ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ କଟକ ଓ ଧବଳେଶ୍ବର ଥରେ ୬ଟି ଘାଟ ପ୍ରସ୍ତୁତ କରାଯାଇଛି । କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଘାଟ ଗୁଡିକରେ ଓଡ୍ରାଫ ଟିମ, ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏହାଛଡା, ଧବଳେଶ୍ବରର ଝୁଲାପୋଲ ନିକଟରେ ସୁରକ୍ଷକର୍ମୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବ । ଏହାସହ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

ଶ୍ରଦ୍ଧାଳୁଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଏନଏସଏସ ସ୍ବେଚ୍ଛାସେବୀ, ଏନସିସି କ୍ୟାଡଟ, ଏନଜିଓ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରିଛି ।

Leave A Reply

Your email address will not be published.