Latest Odisha News

BREAKING NEWS

ପାଇକ ବିଦ୍ରୋହ: ଜାଣନ୍ତୁ ବୀର ପାଇକମାନଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ

ଭୁବନେଶ୍ୱର: ୧୮୧୭ ମସିହାରେ ଓଡିଆ ପାଇକ ଭାଇମାନେ ହିଁ ଆରମ୍ଭ କରିଥିଲେ ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ । ଯାହାକୁ ‘ପାଇକ ବିଦ୍ରୋହ’ ନାମରେ ନାମିତ କରାଯାଇଥିଲା ।

ପାଇକ ବିଦ୍ରୋହକୁ ମନେ ପକାଇ ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ସେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ମଧ୍ୟ କରିବେ ବୋଲି ସୂଚନା ମିଳିଛି ।

ଏହି ପରିପ୍ରେକ୍ଷୀରେ ଝଲସିଉଠିଛି ‘ପାଇକ ବିଦ୍ରୋହ’ର ମୁକସାକ୍ଷୀ ପାଲଟିଥିବା ବରୁଣେଇ ପାହାଡ । ଏଥିସହିତ ଝଟକୁଛି ବୀର ପାଇକଙ୍କ ସ୍ମାରକୀ ପୀଠ ।

ଜାଣନ୍ତୁ ବୀର ପାଇକମାନଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ…

ଇଂରେଜମାନଙ୍କ ଅତ୍ୟାଚାରରୁ ମାଟି ମାଆକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ପାଇକ ଭାଇମାନଙ୍କ ଉଦ୍ୟମରେ ୧୮୧୭ ମସିହାରେ ଆରମ୍ଭ ହୋଇଥିଲା ଏହି ବିଦ୍ରୋହ । ଯାହାର ମଙ୍ଗ ଧରିଥିଲେ ରାଜା ମୁକୁନ୍ଦ ଦେବଙ୍କ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ଏହାପରେ ପାଇକ ଭାଇ ମାନଙ୍କୁ ଏକାଠି କରି ଇଂରେଜଙ୍କ ବିରୋଧରେ ଦେଇଥିଲେ ରଣହୁଙ୍କାର ।

ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବିଦ୍ରୋହର ବହ୍ନି ବ୍ରିଟିଶ ସରକାଙ୍କ ନିଦ ହଜାଇ ଦେଇଥିଲା । ପରେ ଇଂରେଜମାନଙ୍କର ଚକ୍ରାନ୍ତରେ ଫସିଯାଇ ସେ ମୃତ୍ୟୁ ଦଣ୍ଡ ପାଇଥିଲେ ମଧ୍ୟ ବିଦ୍ରୋହକୁ ଦମନ କରିବା ଲାଗି ବ୍ରିଟିଶ ମାନଙ୍କ ପାଇଁ ସହଜ ହୋଇନଥିଲା ।

‘ସିପାହୀ ବିଦ୍ରୋହ’ର ୪୦ ବର୍ଷ ପୂର୍ବେ ଓଡିଶାରେ ଏହି ପାଇକ ବିଦ୍ରୋହ ସଙ୍ଗଠିତ ହୋଇଥିବା ବେଳେ ଏହା ବ୍ରିଟିଶ ସରକାରଙ୍କ ରେୁଦଣ୍ଡକୁ ଏକପ୍ରକାର ଦୋହଲାଇ ଦେଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ବିଦ୍ରୋହର ମୁଖ୍ୟ କରୁଣାକର ସର୍ଦ୍ଦାର, ନାରାୟଣ ପରମଗୁରୁ, ବାମଦେବ ପାଟ୍ଟଯୋଶୀ, ଜୟୀ ରାଜଗୁରୁ ପ୍ରମୁଖ ଗିରଫ ହୋଇ ପରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ ମୁକୁନ୍ଦ ଦେବଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଇଂରେଜ ସରକାରଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ଏକପ୍ରକାର ସଫଳ ହୋଇପାରିନଥିଲା ଏହି ବିଦ୍ରୋହ ।
୧୮୫୭ ମସିହାରେ ‘ସିପାହୀ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ୱାଧୀନତାର ଆଖ୍ୟା ଦିଆଯାଇଥିଲେ ମଧ୍ୟ ଏହାର ବହୁ ବର୍ଷ ପୂର୍ବରୁ ଓଡିଶା ମାଟିରେ ହୋଇଥିଲା ‘ପାଇକ ବିଦ୍ରୋହ’ ।
ଓଡିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକମାନଙ୍କ ସାହସ ଏବଂ ଯୁଦ୍ଧ କୌଶଳ ଯୋଗୁଁ ଓଡିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗବିଜୟ ଓଡିଆ ଜାତିର ଗୌରବ ବୃଦ୍ଧି କରିଥିଲା ।

ବୀର ପାଇକମାନଙ୍କ ଦେଶଭକ୍ତି, ବୀରତ୍ୱ ଓ ସଂଗ୍ରାମ ଯୋଗୁଁ ଓଡିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା ।

Leave A Reply

Your email address will not be published.