ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି । ତେବେ ଏହି ଉତ୍ତେଜନା ସମୟରେ ଆଜି (ଶନିବାର) ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ଅବଦାଲି । ପାକିସ୍ତାନ ସୋନମିଆନି ରେଞ୍ଜରେ ପରୀକ୍ଷଣ କରିଛି।
ଏହି ପରୀକ୍ଷଣ ସମ୍ଭବତଃ ପାକିସ୍ତାନର ପରମାଣୁ-ସମକ୍ଷ କ୍ଷେପଣାସ୍ତ୍ର ବାହିନୀର ତଦାରଖ କରୁଥିବା ଆର୍ମି ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ASFC) ଅଧୀନରେ କରାଯାଇଥିବା ଅପରେସନାଲ୍ ୟୁଜର୍ ପରୀକ୍ଷଣର ଏକ ଅଂଶ ଥିଲା।
ଶନିବାର ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଅବଦାଲି କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅବଦାଲି ୱେପନ୍ ସିଷ୍ଟମ୍ ନାମରେ ଜଣାଶୁଣା ଏହି କ୍ଷେପଣାସ୍ତ୍ରକୁ ସାମରିକ ଅଭ୍ୟାସ ‘ଏକ୍ସରସାଇଜ ଇଣ୍ଡସ୍’ ଅନ୍ତର୍ଗତ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସମୟରେ ପାକିସ୍ତାନ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଶାହବାଜ ଖାନ ଏବଂ ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନର ଡିଜି ମେଜର ଜେନେରାଲ ଶାହରୟାର ପରଭେଜ ବଟ୍ଟ ମଧ୍ୟ ଉପସ୍ଥିତ ଥିଲେ।
ପାକିସ୍ତାନ ସଶସ୍ତ୍ର ବାହିନୀର ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଶାଖା ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏକ ବିବୃତ୍ତିରେ କହିଛି ଯେ, ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ଲକ୍ଷ୍ୟ ଥିଲା ସେନାର ଯୁଦ୍ଧ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ କ୍ଷେପଣାସ୍ତ୍ରର ଆଧୁନିକ ନାଭିଗେସନ୍ ସିଷ୍ଟମ ସମେତ ପ୍ରମୁଖ ବୈଷୟିକ ପାରାମିଟରଗୁଡ଼ିକୁ ଯାଞ୍ଚ କରିବା।
Comments are closed.