Latest Odisha News

BREAKING NEWS

ତାଲିବାନ୍‌ଠୁ ସାହାଯ୍ୟ ମାଗୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ

ଭୁବନେଶ୍ୱର: ଆଗାମୀ ଦିନରେ କାଶ୍ମୀରରେ କିଛି ବଡ ଧରଣର ଅଘଟଣ ପାଇଁ ଯୋଜନା ରଚିଛନ୍ତି ଏକାଧିକ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ । ଏପରିକି ଗତରାତିରେ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ରହିଛି ।

ଅଗଷ୍ଟ୧୫’ରେ ଆଫଗାନିସ୍ତାନ କବ୍‌ଜା କରିଥିଲା ଆତଙ୍କବାଦୀ ସଙ୍ଗଠନ ତାଲିବାନ । ସେବେଠୁ ଭାରତ ବିରୋଧୀ ତଥା ତାଲିବାନର ସମର୍ଥନକାରୀ ଆତଙ୍କବାଦୀ ସଙ୍ଗଠନଗୁଡିକ ସକ୍ରିୟ ହୋଇଉଠିଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଲସ୍କର-ଏ-ତୋଏବା, ଜୈସ୍‌-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦ୍ଦିନ ।

ଭାରତୀୟ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବେ ଅଧିକ ମାତ୍ରାରେ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି । ତେବେ ଏପରି ବି ଖବର ମିଳିଛି ଯେ, ଜୈସ୍‌-ଏ-ମହମ୍ମଦର ୫ଜଣ ଆତଙ୍କବାଦୀ ପିଓକେର ଜାଣ୍ଡ୍ରୋଟରେ ପହଂଚିସାରିଛନ୍ତି । ଖୁବଶୀଘ୍ର ସେମାନେ ମେନ୍ଧର ଅଂଚଳ ଦେଇ ଜାମ୍ମୁ ଓ କାଶ୍ମୀରର ପୁଂଛ୍ ଜିଲ୍ଲାରେ ପ୍ରବେଶ କରିବାକୁ ଯୋଜନା କରିଛନ୍ତି । ଖାସ ଏହି କାରଣରୁ ବୋର୍ଡର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଭାରତ ବିରୋଧୀ ନାରାବାଜି ସମେତ ଅନେକ ଭିଡିଓ ଏବେ ସ୍ଥାନ ପାଇଛି । ମରାଠୀ ଖବରକାଗଜ ଲୋକମତ୍ ଅନୁଯାୟୀ ଗତ ଅଗଷ୍ଟ ମାସର ତୃତୀୟ ସପ୍ତାହରେ ଜୈସ୍‌-ଏ-ମହମ୍ମଦ ଓ ତାଲିବାନର ନେତାମାନେ କାନ୍ଧାରରେ ଏକ ବୈଠକରେ ଏକତ୍ରିତ ହୋଇଥିଲେ । ଶୁଣିବାକୁ ମିଳିଛି ଏହି ମିଟିଂରେ କୁଆଡେ ଜୈସ-ଏ-ମହମ୍ମଦ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଲିବାନଠୁ ସହାୟତା ଆଶା କରିଥିଲା । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଫଗାନିସ୍ତାନରେ ତାଲିବାନର କବ୍‌ଜା ପରେ ନିଶ୍ଚିତ ଭାବେ ପାକିସ୍ତାନୀ ଆତଙ୍କବାଦୀଙ୍କ ସାହାସ ବଢିଛି ।

Leave A Reply

Your email address will not be published.