ନୂଆଦିଲ୍ଲୀ: ଭୟଙ୍କର ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେବାଳିଆ ହୋଇ ଏବେ ଏ, ଦେଶ ସେ ଦେଶ ପାଖରେ ଶରଣ ପଶିଥିବା ବେଳେ ଏବେ ଟଳମଳ ହେବାକୁ ବସିଲାଣି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା । ପାକ୍ ସେନାଙ୍କ ଉପରେ ଏବେ ଦାଉ ସାଧୁଛି ବିଏଲଏ । ଯାହାର ଭୟରେ ଏବେ ପାକିସ୍ତାନୀ ସୈନିକ ସେନା ଛାଡି ପଳାୟନ କରୁଛନ୍ତି । ପାକିସ୍ତାନରେ, ସାମ୍ପ୍ରତିକ ସମୟରେ ସେନା ଏବଂ ସୁରକ୍ଷା ବାହିନୀ ନିରନ୍ତର ଆକ୍ରମଣର ଟାର୍ଗେଟରେ ରହିଥିବା ବେଳେ ପାଖାପାଖି ୨୫୦୦ ସୈନ୍ୟ ସେନା ଛାଡି ପଳାୟନ କରିଥିବା ଦାବି ହୋଇଛି । ଯାହାକୁ ନେଇ ଏବେ ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ଉପରେ ଚଡକ ପଡିଛି ।
ଯାହା ଏବେ ପାକିସ୍ତାନୀ ସୁରକ୍ଷା ବ୍ୟବସ୍ଥା ଉପରେ ବଡ ବିପଦର ସଙ୍କେତ ଦେଇଛି । ଗୋଟେପଟେ ସୈନିକଙ୍କ ବାରମ୍ବାର ମୃତ୍ୟୁ ଏବଂ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ରହିଥିବା ବେଳେ ଏବେ ପାକ୍ ସୈନ୍ୟ ସେନା ଛାଡିବା ଘଟଣାରେ ପୂରା ଅସହାୟ ହୋଇପଡିଛି ପାକିସ୍ତାନ । କୁହାଯାଉଛି ଏହି ସବୁ କାରଣ ପାଇଁ ଅସହାୟ ସୈନିକମାନେ ଚାକିରି ଛାଡୁଛନ୍ତି । ସେନା ଛାଡି, ଅଧିକାଂଶ ସୈନିକ ସାଉଦି ଆରବ, କତାର, କୁଏତ ଏବଂ ୟୁଏଇରେ ଶ୍ରମିକ ଭାବରେ କାମ କରିବାକୁ ପଳାଇଛନ୍ତି । ଦେଶର ବର୍ତ୍ତମାନ ସ୍ଥିତି ଦେଖି ସେମାନେ ନିଜ ଜୀବନକୁ ବିପଦରେ ପକାଇବା ଅପେକ୍ଷା ବିଦେଶ ଯାଇ ଖଟି ଆର୍ଥିକ ସୁରକ୍ଷାକୁ ସୁଧାରିବାର ବାଟ ବାଛିଛନ୍ତି ।
ଆଉ ଏହାବି କୁହାଯାଉଛି ଯେ, ପାକିସ୍ତାନୀ ସେନା ଭିତରେ ଏବେ ପରିସ୍ଥିତି ବହୁତ ଖରାପ । ଏପରି ପରିସ୍ଥିତିରେ, ସୈନିକମାନେ ଦେଶରେ ଚାଲିଥିବା ନିରନ୍ତର ହିଂସା ଏବଂ ଅସୁରକ୍ଷା ମଧ୍ୟରେ ଲଢ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଏକରେ ଆର୍ଥିକ ସ୍ଥିତି ଦୁର୍ବଳ, ତା ସାଙ୍ଗକୁ ସୁରକ୍ଷା ପରିସ୍ଥିତି ଖରାପ ହେଉଥିବାରୁ ସୈନିକଙ୍କ ମନୋବଳ ହ୍ରାସ ପାଉଛି । ଆଉ ତା ଭିତରେ ସୈନ୍ୟଙ୍କ ପଳାୟନ ଖବର କେବଳ ସୁରକ୍ଷା ସମସ୍ୟା ପାଇଁ ବଡ ଚ୍ୟାଲେଞ୍ଜ ନୁହଁ ବରଂ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଉତ୍ତେଜନା ପାଇଁ ମଧ୍ୟ ବଡ ସଙ୍କଟ ।
ତେବେ ଗତ କିଛି ଦିନ ହେବ ବିଦ୍ରୋହୀ ସଂସ୍ଥା ବଲୁଚ ଲିବରେସନ୍ ଆର୍ମି ତଥା ବିଏଲଏ ପାକିସ୍ତାନ ସେନାଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଜାରି ରଖିଛି । ନିକଟରେ ଟ୍ରେନ୍ ଅପହରଣ ସହ ପାକ୍ ସେନା ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଘଟଣାକୁ ନେଇ ଏବେ କାଳେ ଭୟରେ ରହିଛି ପାକିସ୍ତାନ ସୈନ୍ୟ । ବିଶେଷକରି ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାରେ ପାକିସ୍ତାନ ସେନାଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି, ଯେଉଁଥିରେ ବହୁ ସଂଖ୍ୟକ ସେନା ମୃତ୍ୟୁବରଣ କରିଥିବା ଦାବି କରିଛି ବିଏଲଏ । ବିଦ୍ରୋହୀ ଗୋଷ୍ଠୀ ବିଏଲଏର ଲଗାତାର ଆକ୍ରମଣ ପରେ ଏବେ ପ୍ରାଣ ବଞ୍ଚାଇ ବହୁ ସଂଖ୍ୟକ ପାକିସ୍ତାନୀ ସୈନିକ ସେନା ଛାଡ଼ୁଛନ୍ତି । ଏପରି ପରିସ୍ଥିତିରେ, ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବା ପରିବର୍ତ୍ତେ ଉପସାଗରୀୟ ଦେଶଗୁଡ଼ିକରେ ଶ୍ରମିକ ଭାବରେ କାମ କରି ପେଟ ପୋଷିବାଟାକୁ ଉଚିତ୍ ବୋଲି ମନେକରିଛନ୍ତି । ତେବେ ସୈନିକମାନେ ଚାକିରି ଛାଡିବା ନେଇ, କାବୁଲ ଫ୍ରଣ୍ଟଲାଇନ୍ ଦାବି କରିଥିବା ବେଳେ ପାକିସ୍ତାନ ଗଣମାଧ୍ୟମ କିମ୍ବା ପାକିସ୍ତାନ ସେନା ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ ।