Latest Odisha News

BREAKING NEWS

ପାକିସ୍ତାନ ସେନାରେ ହତିଆର ସଂକଟ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଶାନ୍ତି ଚରମରେ ରହିଥିବା ବେଳେ ଯୁଦ୍ଧ ଆଶଙ୍କା ବି କରାଯାଉଛି । ଭାରତର ସମ୍ଭାବ୍ୟ ସାମରିକ ଆକ୍ସନ ଭୟରେ ପାକିସ୍ତାନ ହାଇ ଆଲର୍ଟରେ ରହିଛି । ତେବେ ଚର୍ଚ୍ଚା ହେଉଛି, ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ୪ଦିନ ବି ମଇଦାନରେ ତିଷ୍ଠି ପାରିବନାହିଁ । ଏହାର ସବୁଠୁ ବଡ଼ କାରଣ ହେଉଛି ଅନ୍ୟ ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି । ପାକିସ୍ତାନ ନିଜ ଓ୍ବାର୍ ରିଜର୍ଭରୁ ବହୁତ ପରିମାଣର ଗୋଳାବାରୁଦ ୟୁକ୍ରେନକୁ ବିକ୍ରି କରିଦେଇଛି । ଆର୍ଥିକ ସଂକଟ ସହ ଯୁଝୁଥିବା ପାକିସ୍ତାନ ସେନା ପାଖରେ ୪ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ହିଁ ହତିଆର ରହିଛି । ତେଣୁ ପ୍ରଶ୍ନ ଉଠୁଛି, ଭାରତକୁ ଧମକ ଦେଉଥିବା ପାକିସ୍ତାନ ଯୁଦ୍ଧ ହେଲେ କେମିତି ଭାରତର ସାମନା କରିବ?

ପାକିସ୍ତାନ ସେନାରେ ହତିଆର ସଂକଟ !

ୟୁକ୍ରେନକୁ ବହୁ ପରିମାଣର ଗୋଳାବାରୁଦ ବିକ୍ରି ସହ ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବା ପିଓଏଫର ଉତ୍ପାଦନ କ୍ଷମତା ହ୍ରାସ ପାଇଁ ପାକିସ୍ତାନରେ ହତିଆର ସଂକଟ ଦେଖା ଦେଇଥିବା ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଏହି ପ୍ରସଙ୍ଗ ନେଇ ମେ ୨ତାରିଖରେ ହୋଇଥିବା ସ୍ବତନ୍ତ୍ର କୋର କମାଣ୍ଡର୍ସ ସମ୍ମେଳନରେ ଉଠା ଯାଇଥିଲା । ଗୋଳା ବାରୁଦ ଅଭାବରୁ ଭାରତ ପରି ମଜବୁତ ପ୍ରତିପକ୍ଷକୁ ବେଶୀ ଦିନ ପର୍ଯ୍ୟନ୍ତ ପାକିସ୍ତାନ ସାମନା କରିପାରିବନି ବୋଲି କୁହାଯାଉଛି । ତେବେ ଭାରତ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ମଧ୍ୟରେ ପାକିସ୍ତାନ ସୀମାରେ ଗୋଳା ବାରୁଦ ଡିପୋ ନିର୍ମାଣ କରିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାବେଦ ବାଜଓ୍ବା ମଧ୍ୟ ଏହାକୁ ସ୍ବୀକାର କରିଥିଲେ । ଭାରତ ସହ ଲମ୍ବା ସଂଘର୍ଷର ସାମନା କରିବାକୁ ପାକିସ୍ତାନ ସେନା ପାଖରେ ଗୋଳାବାରୁଦ ଓ ଆର୍ଥିକ ଶକ୍ତି କମ୍ ରହିଥିବା ସେ କହିଥିଲେ ।

ଆର୍ଥିକ ସଂକଟ…କେମିତି କରିବ ମୁକାବିଲା?

ଲମ୍ବା ସମୟ ଧରି ଆର୍ଥିକ ସଂକଟ ସହ ଯୁଝୁଛି ପାକିସ୍ତାନ । ଭାରତ ସହ ମୁକାବିଲା ପାଇଁ ଗୋଳା ବାରୁଦର ଅଭାବ ସହ ଖରାପ ଆର୍ଥିକ ସ୍ଥିତି ଯୋଗୁଁ ପାକିସ୍ତାନ ଦୁର୍ବଳ ସ୍ଥିତିରେ ରହିଛି । ଦେଶରେ ମହଙ୍ଗା ମାଡ଼ ଚରମରେ ରହିଛି । ଜିଡିପି ତୁଳନାରେ ଋଣର ପାହାଡ ଠିଆ ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ବି ନିମ୍ନସ୍ତରରେ ରହିଛି । ସ୍ଥିତି ଏମିତି ଯେ, ପାକିସ୍ତାନୀ ସେନାରେ ଇନ୍ଧନ ଅଭାବ ଯୋଗୁଁ ରାସନ କାଟିବାକୁ ପଡୁଛି । ଏପରିକି ସେନା ଅଭ୍ୟାସ ବି ସ୍ଥଗିତ ରଖିବାକୁ ପଡୁଛି । ଏଭଳି ସ୍ଥିତିରେ ଭାରତ ସହ ମୁକାବିଲା କରିବା ପାକିସ୍ତାନ ପାଇଁ କଷ୍ଟ ହେବ ।

୪ଦିନ ତିଷ୍ଠି ପାରିବନି ପାକିସ୍ତାନ !

ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଲେ ବଡ଼ ଜବାବି ହମଲା ନେଇ ଧମକ ଦେଉଛନ୍ତି ପାକିସ୍ତାନୀ ନେତା । ହେଲେ ଦେଶର ଆର୍ଥିକ ସ୍ଥିତି ଯାହା ଭାରତ ଆଗରେ ୪ଦିନ ବି ଯୁଦ୍ଧ ମଇଦାନରେ ତିଷ୍ଠି ପାରିବନି ପାକିସ୍ତାନ । ଦେଶର ଗୋଳାବାରୁଦ ଭଣ୍ଡାର କେବଳ ୯୬ଘଣ୍ଟା ପର୍ଯ୍ୟନ୍ତ ଭାରତ ସହ ଯୁଦ୍ଧ କରିବାରେ ସକ୍ଷମ ବୋଲି ସୂତ୍ରରୁ ଜଣାପଡିଛି । ସାଧାରଣତଃ ପାକିସ୍ତାନରେ ସେନା ଶକ୍ତି ବୃଦ୍ଧିକୁ ଫୋକସ୍ କରାଯାଏ । ତେବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇଥିବା ସୋସିଆଲ୍ ମିଡିଆରେ ଗତ ଏପ୍ରିଲ ମାସରେ କୁହାଯାଇଥିଲା । ଏହାପରେ ଗୋଳାବାରୁଦ ଅଭାବ ପାକିସ୍ତାନ ପ୍ରତିରକ୍ଷା ବିଭାଗର ଚିନ୍ତା ବଢାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ଜବାବୀ ହମଲା ନେଇ ଆଶଙ୍କା କରୁଛି ଦେଶ । ତେବେ ବିଦେଶକୁ ଅସ୍ତ୍ରଶସ୍ତର ବିକ୍ରି କରିଥିବା ପାକିସ୍ତାନ ପାଖରେ ମୁକାବିଲା ପାଇଁ ଆବଶ୍ୟକ ହତିଆର ଓ ଗୋଳାବାରୁଦ ନାହିଁ ।

Comments are closed.