ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ, ଆଇଏମଏଫ ଠାରୁ ଋଣ ତା ଉପରେ ପୁଣି ମହଙ୍ଗା ମାଡ଼, ଏବେ ନାକରେ କାନ୍ଦୁଛି ପାକିସ୍ତାନ। ଭାରତକୁ ଶତ୍ରୁ ମନେ କରୁଥିବା ଏବଂ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ସାମରିକ ଶକ୍ତି ବୃଦ୍ଧି କରିବାରେ ସମସ୍ତ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଯାହା ଜନସାଧାରଣଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ପାଲଟିଛି। ଆଇଏମଏଫ ସମେତ ବିଶ୍ୱର ଦେଶମାନଙ୍କ ସମ୍ମୁଖରେ ଭିକ୍ଷା ପାତ୍ର ଧରି ଛିଡ଼ା ହୋଇଥିବା ପାକିସ୍ତାନର ଅବସ୍ଥା ଏହି କଥାରୁ ଅନୁମାନ କରାଯାଇପାରେ ଯେ ସେଠାକାର ଲୋକମାନେ ଦାରିଦ୍ର୍ୟର ଶ୍ୱାସରୁଦ୍ଧ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନବାସୀ ।
ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ୪.୮୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ପରେ, ପାକିସ୍ତାନରେ ପେଟ୍ରୋଲ ଏବେ ଲିଟର ପିଛା ୨୫୮.୪୩ ଟଙ୍କା ହୋଇଯାଇଛି। ସେହିପରି, ଏବେ ହାଇ ସ୍ପିଡ୍ ଡିଜେଲ ମଧ୍ୟ ପାକିସ୍ଥାନୀ ଟଙ୍କା ୭.୯୫ ବୃଦ୍ଧି କରାଯାଇଛି। ଏହା ପରେ, ପାକିସ୍ତାନରେ ଡିଜେଲର ମୂଲ୍ୟ ଆକାଶଛୁଆଁ ହୋଇ ପ୍ରତି ଲିଟର ୨୬୨.୫୯ ଟଙ୍କା ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଏହି ନୂତନ ଦର ଆଗାମୀ ପନ୍ଦର ଦିନ ପାଇଁ ଲାଗୁ କରାଯାଇଛି।
ନିକଟରେ ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ସତର୍କ କରାଯାଇଥିଲା ଯେ ଏହି ବର୍ଷ ପାକିସ୍ତାନରେ ପ୍ରାୟ ଏକ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିପାରନ୍ତି। ଏସବୁ ମଧ୍ୟରେ, ପାକିସ୍ତାନରେ ମୁଦ୍ରାସ୍ଫୀତି ନିରନ୍ତର ବୃଦ୍ଧି ପାଉଛି। ଅର୍ଥାତ୍, ଗୋଟିଏ ପଟେ, ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେଉଥିବା ବେଳେ, ଅନ୍ୟପଟେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ଦେଶର ଅର୍ଥନୀତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି।
ସୂଚନାଯୋଗ୍ୟ ଯେ ପାକିସ୍ତାନ ଆଇଏମଏଫ ଠାରୁ ଆଉ ଏକ ବେଲଆଉଟ୍ ପ୍ୟାକେଜ୍ ପାଇବା ପାଇଁ ଏହି ପଦକ୍ଷେପ ନେଇଛି। ଏହାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ ଖୁସି କରିବା। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସେଠାକାର ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇବ। ପ୍ରକୃତରେ, ଆଇଏମଏଫ ଏବେ ପାକିସ୍ତାନ ଉପରେ ନିଜର ମନମୁଖୀ ସର୍ତ୍ତାବଳୀ ଲାଗୁ କରୁଛି, କାରଣ ଏହା ଜାଣେ ଯେ ପାକିସ୍ତାନ ପାଖରେ ଏହାକୁ ଅମାନ୍ୟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି କାରଣରୁ ସମ୍ପ୍ରତି ଆଇଏମଏଫ ନଗଦରେ ଦେୟ ଦେଉଥିବା ଲୋକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅତିରିକ୍ତ ଦୁଇ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା। ଡିଜିଟାଲ୍ ପେମେଣ୍ଟ ଉପରେ ମଧ୍ୟ ୨ ଟଙ୍କା ରିହାତି ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ, ଆଇଏମଏଫ ଦ୍ୱାରା ପେଟ୍ରୋଲ, ଡିଜେଲ ଏବଂ ପେଟ୍ରୋଲରେ ଚାଲୁଥିବା ଯାନବାହନ ଉପରେ କାର୍ବନ ଟିକସ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।
Comments are closed.