Latest Odisha News

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ପାଲା

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀର ସର୍ବ ବୃହତ ଜଗନ୍ନାଥ ମନ୍ଦିରଠାରେ ଗତ ୭ତାରିଖ ରଥଯାତ୍ରାଠାରୁ ସୁନା ବେଶ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ ସମାରୋହରେ ଅଂଶ ବିଶେଷ ଭାବରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମ ଅଧିନରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଓଡ଼ିଶା ଓ ଭାରତବର୍ଷର ବହୁ ଖ୍ୟାତାନାମା କଳାକାର ତାଙ୍କ କଳା ପରିବେଷଣ କରୁଛନ୍ତି।

ସେହି ସାଂସ୍କୃତିକ ସମାରୋହର ବିଶେଷ ଆକର୍ଷଣ ଭାବରେ ପ୍ରସିଦ୍ଧ ପାଲା ଗାୟିକା ସ୍ବର୍ଣ୍ଣପ୍ରଭା ଲେଙ୍କାଙ୍କର ଅଭିନବ ଧରଣର ପାଲା ପରିବେଷଣ ଥିଲା। “ସତୀ ତୁଳସୀ” ଶୀର୍ଷକ ପାଲା ଉପସ୍ଥାପନ କରିବା ଉଚ୍ଚକୋଟିର ଉଚ୍ଚରାଣ ଶୈଳୀ ତଥା ସର୍ବୋପରି ସୁନ୍ଦର, ସୁମଧୁର ଓ ସୁଲଳିତ ଗାୟନକ୍ରମ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା। ସ୍ବର୍ଣ୍ଣପ୍ରଭାଙ୍କର ପ୍ରାଞ୍ଜଳ ଏବଂ ଜୀବନ୍ତ ଢଙ୍ଗରେ ପଦ୍ମ ପୁରାଣରେ ମା’ ବୃନ୍ଦାବତୀଙ୍କର ବୈଶିଷ୍ଟ୍ୟ ବର୍ଣ୍ଣନା, ଭକ୍ତମାନଙ୍କୁ ଭଗବତ ସତ୍ତାର ଅନୁଭୂତି ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥିଲା। ନାରାୟଣଙ୍କର ମସ୍ତକରେ ରହି ତୁଳସୀ ପୂଜା ପାଇବାର ଉପାଖ୍ୟାନ ଉପସ୍ଥିତ ଶ୍ରୋତାମାନଙ୍କୁ ବିହ୍ଵଳିତ କରିଥିଲା।

ଏହି ସାଂସ୍କୃତିକ ଆସର ଅବସରରେ ବରିଷ୍ଠ ସାମ୍ବାଦିକ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀ ଦ୍ବିବେଦୀ ପାଲା ଗାୟିକା ସ୍ବର୍ଣ୍ଣପ୍ରଭା ଲେଙ୍କା ଏବଂ ତାଙ୍କର ସାଥି କଳାକାର ବୃନ୍ଦ ଯଥା ତପନ କୁମାର ପାଲ, ରତ୍ନାକର ଜେନା, ବିପିନ ପାଲ, ସୁଶାନ୍ତ ପଢ଼ିଆରୀ ଓ ଅଭିମନ୍ୟୁ ଲେଙ୍କା ପ୍ରମୁଖଙ୍କୁ ମନ୍ଦିର ତରଫରୁ ଅଙ୍ଗବସ୍ତ୍ର ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଦିଲ୍ଲୀପ ସ୍ୱାଇଁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଅଭିରାମ ସୁତାର ସମ୍ବର୍ଦ୍ଧନା ପ୍ରକ୍ରିୟାରେ ସହଯୋଗ କରିଥିଲେ।

ସ୍ବର୍ଣ୍ଣପ୍ରଭା ପତି ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିବା ବେଳେ ଚଳିତବର୍ଷର ସାଂସ୍କୃତିକ ସମାରୋହ ଅଭୂତପୂର୍ବ ସଫଳତା ହାସଲ କରିବା ପଛରେ ମୁଖ୍ୟ ସଙ୍ଗଠକ ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କର ଭୂମିକା ବେଶ ମହତ୍ୱପୂର୍ଣ୍ଣ ଥିଲା।

Comments are closed.