ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର କାରଣ ପଚାରିବାରୁ ଜଣେ ପାଳିଆ କହିଲେ, ‘ଆଜ୍ଞା ମରୁଡିରେ ତ ଧାନଗଛ ଜଳିଲାଣି, ଆଉ ପାଲା ଶୁଣିବାକୁ ଆସିବ କିଏ ।’ ହଠାତ୍ ବାହିନୀପତି କହିଲେ, ‘ଆସନ୍ତାକାଲି ବର୍ଷା ହେବ ।’ ସହକର୍ମୀ କହିଲେ,‘ଆପଣ କଣ ଇନ୍ଦ୍ର କି ? ବାହିନୀପତି କହିଲେ, ‘ଯଦି କାଲି ବର୍ଷା ନହେବ ମୁଁ ବ୍ରାହ୍ମଣ ପିଲା ନୁହେଁ, ପଇତା ଛିଣ୍ଡାଇଦେବି ।’
କଥା ବିଜୁଳି ବେଗରେ ଆଖପାଖ ଅଞ୍ଚଳରେ ଖେଳିଗଲା । ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିଗଲା । ବାହିନୀପତି କିପରି ବର୍ଷା କରିବେ ତା ଦେଖିବାକୁ ପରଦିନ ଅଗଣିତ ଜନସମାଗମ ହୋଇଥାଏ । ସନ୍ଧ୍ୟା ସୁଦ୍ଧା ଆକାଶ ପୂରା ନିର୍ମଳ ଥାଏ । ସେଦିନ ଥାଏ ବାହିନୀପତିଙ୍କର ପ୍ରଥମ ପାଳି । ଋଷ୍ୟଶୃଙ୍ଗ ଜରତା ଉପାଖ୍ୟାନ ଚାଲିଥାଏ । ହଠାତ୍ ରାତି ୧୦ଟା ବେଳକୁ ଖୁବ୍ ଜୋରରେ କଳାହାଣ୍ଡିଆ ମେଘ ଉଠାଇ ପ୍ରାୟ ୪୦ ମିନିଟ୍ ବର୍ଷା ହେଲା । ମଞ୍ଚ ନିକଟରେ ଥିବା ଶହଶହ ଲୋକ ତଟସ୍ଥ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଦେବଦୂତଙ୍କ ବ୍ୟତୀତ କିଏ ଏହା କରିପାରିବ । ଏହିପରି ଜଣେ ଯୋଗଜନ୍ମା ପାଲା ଗାୟକ ଥିଲେ ମାର୍କଣ୍ଡେୟ ବାହିନୀପତି ।
ପାଲା ଜଗତରେ ମାର୍କଣ୍ଡେୟ ବାହିନୀପତିଙ୍କ ପରି କୌଣସି ଗାୟକ ଏତେ କାବ୍ୟ, ନାଟକ, ଶାସ୍ତ୍ର, ପୁରାଣ କଣ୍ଠସ୍ଥ କରିପାରିନାହାଁନ୍ତି । ସେଥିପାଇଁ ତ’ ସେ ପାଲା ଜଗତରେ ଗାୟକ ‘ଲାଇବ୍ରେରି’ ବା ‘ପାଠାଗାର’ ଭାବେ ପରିଚିତ । ଅନେକ କହନ୍ତି ସେ ‘ଚଳନ୍ତି ପାଠାଗାର’ । ପାଠାଗାରରୁ ଯେମିତି ସବୁ ସୂଚନା ମିଳିଥାଏ, ଠିକ୍ ସେହିପରି ବାହିନୀପତିଙ୍କ ପାଖରେ ଥାଏ ସବୁ ପ୍ରଶ୍ନର ଉତ୍ତର । ତେବେ ଏହା କେବଳ ମାଆ ଉଗ୍ରତାରାଙ୍କ ଅସୀମ ଅନୁକମ୍ପାରୁ ସମ୍ଭବ ବୋଲି କୁହନ୍ତି ନିଜେ ବାହିନୀପତି ।
ପୁରୀ ଜିଲ୍ଲା ଚିଲିକା ତଟବର୍ତୀ ଭୁଷଣ୍ଡପୁର ଗାଁ । ଏଇ ଗାଁର ବାଲିପାଟପୁର ସାହିରେ ୧୯୨୨ ମସିହା ଭାଦ୍ରବ କୃଷ୍ଣପକ୍ଷ ଚତୁର୍ଥୀ ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥିଲା ଏକ ଯୋଗଜନ୍ମା ଶିଶୁପୁତ୍ର । ବାପା ସଦାଶିବ ବାହିନୀପତି ଓ ମାଆ ଗେହ୍ଲିମଣିଙ୍କର ସାନ ପୁଅ, ନାଁ ରଖିଥିଲେ ମାର୍କଣ୍ଡେୟ । ପରିବାର ଲୋକଙ୍କ ଅତିଶୟ ସ୍ନେହ ଶ୍ରଦ୍ଧା ପାଇ ପିଲାଟି ବଢିବାକୁ ଲାଗିଲା । ଧିରେଧିରେ ପାଠପଢା ବୟସ ହେଲା, ହେଲେ ପଢାପଢିରେ ତାର ଜମା ମନ ନଥାଏ । ସାଙ୍ଗସାଥୀ ପିଲାଙ୍କ ସହ ଖେଳିବା ବୁଲିବାରେ ସାରାଦିନ କଟୁଥିଲା । ବଡ କଷ୍ଟରେ ତୃତୀୟ ଶ୍ରେଣୀ ପାସ୍ କଲେ, ଏହାପରେ ଆଉ ପଢା ସମ୍ଭବ ହେଲାନି । ସାଙ୍ଗସାଥୀଙ୍କ ସହ ଖେଳିବା ବୁଲିବା, ସଂକୀର୍ତନ କରିବା, ଯାତ୍ରା ଦଳରେ ଅଭିନୟ କରିବାରେ ମାର୍କଣ୍ଡେୟଙ୍କ ସମୟ କଟୁଥିଲା ।
ପୁଅକୁ ବାଟକୁ ଆଣିବା ପାଇଁ ବାପା ଅନେକ ଚେଷ୍ଟାକରି ବିଫଳ ହେବା ପରେ ପାରଂପରିକ ପୂଜାପାଠ କର୍ମ କର୍ମାଣୀ ଶିଖାଇବାକୁ ପ୍ରୟାସ କଲେ । ବହୁ ଚେଷ୍ଟା ପରେ ଗାଁର ଚଣ୍ଡେଶ୍ୱର ଦାସ ମାର୍କଣ୍ଡେୟଙ୍କୁ ସାମାନ୍ୟ ପୂଜାପାଠ ଶିଖାଇଲେ ।
ସେହିପରି କୁସୁମୀ ଗାଁର ପଣ୍ଡିତ ଦାସରଥି ମିଶ୍ରଙ୍କଠାରୁ କେତେକ କର୍ମକର୍ମାଣୀ ଶିଖିଲେ । ପାଲା ଜଗତରେ ଆକସ୍ମିକ ଭାବେ ମାର୍କଣ୍ଡେୟଙ୍କର ପ୍ରବେଶ ହୋଇଥିଲା । ସେତେବେଳକୁ ତାଙ୍କୁ ୧୮ ବର୍ଷ । ନେତ୍ରମାଳୀ ବେହେରାଣୀ ନାମଙ୍କ ଜଣେ ବ୍ୟକ୍ତିଙ୍କରର ଏକ ପାଲା କରିବାର ଆବଶ୍ୟକତା ପଡିଲା । ସେ ସମୟରେ ଭୁଷଣ୍ଡପୁର ଅଂଚଳରେ ମାତ୍ର ଜଣେ ଗାୟକ ଥାଆନ୍ତି ଭିକାରୀ ସାହୁ । ତେବେ କୌଣସି କାରଣରୁ ସେ ଆସିପାରିଲେ ନାହିଁ । ଫଳରେ ନେତ୍ରମାଳୀ ପ୍ରଚାର କଲେ ଯିଏ ପାଲା କରିଦେବ ଟଙ୍କାଏ ପଚିଶ ପଇସା ଆଉ ଏକ ମୃଦଙ୍ଗ ନେବ । ଏହା ଶୁଣି ମାର୍କଣ୍ଡେୟ ପାଲା ଗାଇବାକୁ ପ୍ରସ୍ତୁତ ହୋଇଗଲେ । ସାଙ୍ଗ ସାଥିମାନଙ୍କୁ ନେଇ ମନୋହର ଫାସିଆରା ପୂଜା ପାଲାଟି ଅତି ସୁନ୍ଦର ଭାବେ ପରିବେଷଣ କଲେ । ଏହା ଦେଖିବା ପରେ ଶୁଭେଚ୍ଛୁ ବନମାଳୀ କବିରାଜ ଏବଂ କୃଷ୍ଣମୋହନ ଅଧିକାରୀ ମାର୍କଣ୍ଡେୟଙ୍କୁ ପାଲା ଗାୟକ ହେବା ପାଇଁ ଉତ୍ସାହ ଦେଲେ । ଅଜା ଗାୟକ ମାଧବ ମହାପାତ୍ରଙ୍କ ଘରୁ ଆସିଲେ ଠାକୁର, ଚାମର ଆଉ ଗିନି । କୃଷ୍ଣମୋହନ ଅଧିକାରୀ ନିଜ ହାତରୁ ସମସ୍ତଙ୍କ ପାଇଁ ପୋଷାକ ଆଉ ଝାଞ୍ଜ କିଣିଦେଲେ । ଆରମ୍ଭ ହେଲା ମାର୍କଣ୍ଡେୟଙ୍କ ପାଲା ଜୀବନ । ବାଲ୍ୟଗୁରୁ ଦାଶରଥି ମିଶ୍ର ଏବଂ ଗୁରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ତତ୍ତ୍ୱାବଧାନରେ ପାଲା ଜଗତକୁ ପ୍ରବେଶ କଲେ ମାର୍କଣ୍ଡେୟ ।
ଏହା ପରେ ସଂସ୍କୃତ ଶିଖିବା ପାଇଁ ସେ ଚାଲିଲେ ପଣ୍ଡିତ ବିନାୟକ ମିଶ୍ରଙ୍କ ଘରକୁ । ସେଠାରେ ଅନେକ ପରିଶ୍ରମ କରି ସଂସ୍କୃତ ପଢିବାକୁ ଲାଗିଲେ, ହେଲେ ବିଶେଷ ମନେ ରହୁଥାଏ । ଏହି ସମୟରେ ବୋଡଙ୍ଗରା ଗାଁ’ର ନାରାୟଣ ତ୍ରିପାଠୀ ପରାମର୍ଶ ଦେଲେ ଇଷ୍ଟଦେବୀ ମାଆ ଉଗ୍ରତାରାଙ୍କ ଶରଣାପନ୍ନ ହେବାକୁ । ମାଆଙ୍କ ପୀଠରେ ସେ ଏକ ମନ୍ତ୍ରପୂତ କବଚ ଲାଭ କଲେ । କିଛିଦିନ ପରେ ଗାଁ’ରେ ଜଣେ ସନ୍ୟାସୀଙ୍କ ଆକସ୍ମିକ ଆବିର୍ଭାବ ଘଟିଲା । ସେ ମାର୍କଣ୍ଡେୟଙ୍କ ଜିହ୍ୱାରେ ନୀଳ ସରସ୍ୱତୀଙ୍କ ମନ୍ତ୍ର ଲେଖିଦେଇ ଚାଲିଗଲେ । ଏହାପରଠାରୁ ମାର୍କଣ୍ଡେୟଙ୍କର ସ୍ମରଣ ଶକ୍ତି ପ୍ରଖର ହୋଇଆସିଲା । ଏଣିକି ଯାହା ପଢିଲେ ସବୁ ମନେ ରହିଗଲା । କ୍ରମେ ବାହିନୀପତି ଜଣେ ଦକ୍ଷ ପାଲାଗାୟକ ଭାବେ ପରିଚିତ ହେବାକୁ ଲାଗିଲେ । ଓଡିଶାର ପୁରପଲ୍ଲୀରେ ଶହଶହ ରାତି ପାଲା ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କର ମନ ଜିଣିଲେ ।
ବିଭିନ୍ନ ସଂସ୍କୃତ କାବ୍ୟ, ନାଟକ, ଅଳଙ୍କାର, ନ୍ୟାୟ ଶାସ୍ତ୍ର ଆଦିରୁ ପର୍ଯ୍ୟାପ୍ତ ପରିମାଣର ଶ୍ଲୋକ, ଦୃଷ୍ଟାନ୍ତ, ଉଦାହଣକୁ ସେ କଣ୍ଠସ୍ଥ କରିଥିଲେ । ତାଙ୍କ ପାଲା ପରିବେଷଣ ଶୈଳୀ ଥିଲା ଅନନ୍ୟ । ଆଜି ମଧ୍ୟ ଶହଶହ ଗାୟକ ତାଙ୍କୁ ଅନୁକରଣ କରୁଛନ୍ତି । ଜଣେ କବି ଭାବରେ ମଧ୍ୟ ସେ ଥିଲେ ବେଶ୍ ପରିଚିତ । ଅନେକ ଭଜନ, ଜଣାଣ ସହ ‘ପର୍ଶୁରାମ’, ‘ସ୍ୟମନ୍ତକ ଈଳ’, ‘ଗର୍ବଗଞ୍ଜନ’ ଆଦି ଅନେକ କାବ୍ୟ ମଧ୍ୟ ସେ ରଚନା କରିଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କର ଅନେକ ପାଣ୍ଡୁଲିପି ଛପା ହୋଇପାରିନି ସତ, ହେଲେ ସେସବୁ ଆଜି ତାଙ୍କର ଶିଷ୍ୟ-ଶିଷ୍ୟାଙ୍କ ମାଧ୍ୟମରେ ପାଲାରେ ପରିବେଷଣ ହେଉଛି ।
୧୯୫୪ ମସିହାରେ ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଆୟୋଜନ କରିଥିବା ପାଲା ପ୍ରତିଯୋଗିତାରେ ସେ ପ୍ରଥମ ହୋଇଥିଲେ । ୧୯୫୪ ମସିହାରେ କଟକ କଳାବିକାଶ କେନ୍ଦ୍ର ସଙ୍ଗୀତ ସମ୍ମିଳନୀରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖ ବାହିନୀପତିଙ୍କୁ ଗାୟକ ରତ୍ନ ଉପାଧିରେ ଭୂଷିତ କରିଥିଲେ । ନୀଳଶୈଳ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଗାୟକ ବିଷାରଦ ଉପାଧି ପ୍ରଦାନ କରାଯାଇଥିଲା । ହୀରାକୁଦ ନଦୀବନ୍ଧ ଉଦଘାଟନ ସମୟରେ ବାହିନୀପତି ପାଲା ପରିବେଷଣ କରିବାର ସୁଯୋଗ ପାଇଥିଲେ । ଉଚ୍ଚକୋଟିର ପାଲା ପରିବେଷଣ ପାଇଁ ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ବାହିନୀପତି । ପୁରୀ ଦୋଳବେଦୀରେ ପାଲା ପରିବେଷଣ କରି ସେ ବହୁ ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କ ଦକ୍ଷତାରେ ବ୍ରାଉନ ୟୁନିଭର୍ସିଟି ମଧ୍ୟ ଶତମୁଖ ହୋଇଛି ।
ପାଲା ଆକାଶର ଏହି ଉଜ୍ଜ୍ୱଳତମ ନକ୍ଷତ୍ର ୧୯୮୧ ମସିହା ପୌଷ ମାସ କୃଷ୍ଣପକ୍ଷ ଚତୁର୍ଥୀ ସୋମବାର ରାତିରେ ପାର୍ଥିବ ଜଗତରୁ ବିଦାୟ ନେଇଥିଲେ । ଏହି ଅମ୍ଳାନ ପ୍ରତିଭା ଆଜି ସ୍ୱଶରୀରେ ନାହାଁନ୍ତି ସତ, ହେଲେ ପାଲା ଜଗତକୁ ସେ ଯେଉଁ ଦାନ ଦେଇଯାଇଛନ୍ତି ତାରି ମାଧ୍ୟମରେ ଆଜି ବି ବଞ୍ଚି ରହିଛନ୍ତି । ଯେତେଦିନ ପାଲା ଥିବ ସେତେଦିନ ଉଜ୍ୱଳ ଜ୍ୟୋତିଷ୍କପରି ସେ ପାଲା ଆକାଶରେ ଜାଜ୍ଜ୍ୱଲ୍ୟମାନ ହେଉଥିବେ ।
Comments are closed.