ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
କାଲି ଭଳି ଲାଗୁଛି। କେତେବେଳେ ଚାଳିଶ ବର୍ଷ ବିତିଗଲାଣି ଜଣାପଡ଼ିଲାନି। ଯାନିଯାତ୍ରାକୁ ନେଇ ପିଲାଦିନେ ଯେଉଁ ଉତ୍କଣ୍ଠା, ଆଗ୍ରହ ଏବଂ ଅପେକ୍ଷା ଥିଲା, ତାହା ହୁଏତ ଆଜି ନାହିଁ। କିନ୍ତୁ ସେଦିନ ସବୁ ମନେପଡ଼ିଲେ ଲାଗୁଛି, ସତେ ଯେମିତି ସେଇ ଅଭୁଲା ମୁହୂର୍ତ୍ତ ସବୁ ଫେରି ଆସନ୍ତା କି? ମୋତେ ଠିକ୍ ମନେ ଅଛି। ମୋ ବୟସ ସେତେବେଳକୁ ଏଇ ପାଞ୍ଚ ବର୍ଷ ଖଣ୍ଡେ ହେବ। ଗାଁର ମକର ଯାତ୍ରା ଛାଡ଼ି ଦେଲେ, ଆମ ପାଇଁ ସବୁଠୁ ବଡ଼ ଯାତ୍ରା ଥିଲା ଗାଁ ପାଖ ସହରରେ ଚନ୍ଦନ ଯାତ୍ରା, ଯାହାକୁ ଭେଣ୍ଡିଆ ପିଲେ କହନ୍ତି ଚାନ୍ଦିନୀ ଯାତ୍ରା, ଆଉ ଗୋଟିଏ ପଟେ ଦୋଳଯାତ୍ରା ବେଳେ ହେଉଥିବା ପଞ୍ଚଦୋଳ ଯାତ୍ରା। ପିଲାଦିନେ ଆମ ପାଇଁ ଅପେରା, ଯାତ୍ରା ପାର୍ଟି କେବେ କେମିତି ଆସୁଥିଲେ ଏହି ସବୁ ଯାତ୍ରା ସମୟରେ। କିନ୍ତୁ ସବୁଠୁ ବଡ଼ ଆକର୍ଷଣ ଥିଲା ପାରମ୍ପରିକ ଲୋକନୃତ୍ୟ। ପାଲା, ଦାସକାଠିଆ, ଘୁଡ଼ୁକି, ସଖୀନାଟ, ରାଧାପ୍ରେମ ଲୀଳା, କୃଷ୍ଣଲୀଳା, ଭାରତଲୀଳା ଏବଂ ରଜାନାଟ ବା ପ୍ରହ୍ଲାଦନାଟକ।
ଏହି ସବୁ ଲୋକନୃତ୍ୟ ପାଇଁ ମଞ୍ଚ ଦରକାର ନାହିଁ। ଚାରିଟା ଖୁଣ୍ଟି ପୋତିଦେଇ, ତା ଉପରେ ଚାନ୍ଦୁଆ ଗୋଟାଏ ଭିଡ଼ିଦେଲେ ତାହା ହିଁ ପାଲଟିଯାଏ ମଞ୍ଚ। ତଳେ ଗୋଟିଏ ପାଲ କିମ୍ବା ଦୁଇଟା ବଡ଼ ବେରୁଆଁପଟି କିମ୍ବା ହେଁସ ପାରିଦେଲେ, ତାରି ଉପରେ ବସି ଯାଆନ୍ତି କଳାକାର ଏବଂ ସେଇଠି ହିଁ ପରିବେଷିତ ହୁଏ ସେମାନଙ୍କ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ। ଦର୍ଶକ ସେମାନଙ୍କୁ ଘେରେଇ ହୋଇ ବସିଥାନ୍ତି।
ପଞ୍ଚଦୋଳ ଯାତ୍ରା ଦେଖିବା ପାଇଁ ମୁଁ ଖୁବ୍ ଜିଦ୍ କରିଥିଲି। ଗାଁଠୁ ପାଞ୍ଚ କିଲୋମିଟର ଗଲେ ପଞ୍ଚଦୋଳ ଦେଖିହେବ। ହେଲେ ଯିବା ପାଇଁ ତ କିଛି ଗାଡ଼ିଘୋଡ଼ାର ବ୍ୟବସ୍ଥା ନାହିଁ। ଜେଜେ କହିଲେ, ତୁ ଚିନ୍ତା କରନା। ମୁଁ ତତେ ଯାତ୍ରା ଦେଖେଇ ନେବି। ଜେଜେ ସବୁବେଳେ ସତର୍କ ଏବଂ ସବୁକଥାରେ ଆକଟ କରନ୍ତି। ତାଙ୍କ ନିତିଦିନିଆ ସମୟ ସାରଣୀ ଥିଲା କିଛି ଏମିତି। ରାତି ଅଢ଼େଇଟାରୁ ତିନିଟା ଭିତରେ ସେ ଗାଧୁଆପାଧୁଆ ସାରି, ତା ପରେ ପୂଜାପାଠରେ ଲାଗିପଡ଼ନ୍ତି। ସକାଳ ପାଞ୍ଚଟା ପୂର୍ବରୁ ଭାଗବତର ଏକାଦଶ ସ୍କନ୍ଧ ପଢ଼ାଠୁ ଆରମ୍ଭ କରି ପୁରାଣ ପଢ଼ା, ସୂର୍ଯ୍ୟନମସ୍କାର ଏବଂ ଅନ୍ୟାନ୍ୟ ସମସ୍ତ ପାଠ ସରିଯାଏ। ସେଥର ବି ଜେଜେ ମୋତେ ତାଙ୍କ ସମୟ ସାରଣୀରେ ପକାଇଦେଲେ। ଯାତ୍ରା ଦେଖିବାକୁ ଯିବାର ଆଗ୍ରହ ଏତେ ଥିଲା ଯେ, ମୋ ଆଖିରେ ଆଉ ନିଦ ନଥିଲା। ଘରେ ଡିବି ଆଲୁଅରେ ମାଆ ମୋ ମୁଣ୍ଡକୁଣ୍ଡାଇ ଦେଇ କପାଳରେ ଗୋଟିଏ କଳାଟୋପା ବି ଲଗାଇ ଦେଇଥିଲା। ଜଣା ନାହିଁ ମାଆ କାହିଁକି ସେ କଳାଟୋପା ଲଗାଉଥିଲା? ହଁ ଛଅମାସ ବର୍ଷକର ପିଲାକୁ କଳାଟୋପା ଲଗାଇବାରେ କିଛି ଅସୁବିଧା ନାହିଁ। ପାଞ୍ଚବର୍ଷର ହେଲା ଯାଏଁ କାହାକୁ କିଏ କଳାଟୋପା ଲଗାଏ? ମନେ ମନେ ରାଗ ଲାଗୁଥିଲେ ବି, ମାଆକୁ କିଛି କହିପାରୁନଥାଏ। ଜେଜେଙ୍କ ସାଙ୍ଗରେ ବାହାରିଲି ଯାତ୍ରା ଦେଖିବା ପାଇଁ। ପାଞ୍ଚ କିଲୋମିଟର ଯିବି କେମିତି? ଜେଜେ ମୋତେ ଶହେ ମିଟର ଚଲାନ୍ତି, ତା ପରେ ଅଧାକିଲୋମିଟର କାନ୍ଧରେ ବସାଇ ଚାଲନ୍ତି। କହିବାକୁ ଗଲେ ମୋଟାମୋଟି ଭାବେ ସେ ମୋତେ କାନ୍ଧରେ ଚନ୍ଧୁକରି ଯାତ୍ରା ଦେଖାଇବାକୁ ନେଲେ। ପଞ୍ଚଦୋଳ ଯାତ୍ରା ପଡ଼ିଆରେ ପହଞ୍ଚିଲା ବେଳକୁ ପୂର୍ବାକାଶରେ ସିନ୍ଦୂରା ଫାଟୁଥାଏ।
ଜେଜେ ପ୍ରଥମେ ମୋତେ ଠାକୁର ବିମାନ ପାଖରେ ପହଞ୍ଚାଇ ଗୋଟିଏ ପରେ ଗୋଟିଏ ବିମାନ ଆଗରେ ମୁଣ୍ଡିଆ ମରାଇଲେ। ତା ପରେ ନେଲେ ଯାତ୍ରା ଦେଖିବା ପାଇଁ। ପ୍ରତି ଯାତ୍ରା ଦଳ ପାଖରେ ଲୋକମାନେ ଏମିତି ଭାବେ ଘେରି ରହିଥିଲେ ଯେ, ମୁଁ ପଛରୁ ଯାଇ କେମିତି କିଛି ଦେଖିପାରନ୍ତି? ତେଣୁ ଜେଜେ ପୁଣିଥରେ ମୋତେ କାନ୍ଧରେ ବସାଇଲେ। ତା ପରେ ଗୋଟିଏ ପରେ ଗୋଟିଏ ଦଳ ପାଖକୁ ବୁଲାଇ ଦେଲେ। ଚିହ୍ନାଇ ଦେଲେ ଇଏ ହେଉଛି ରଜାନାଟ ବା ପ୍ରହ୍ଲାଦ ନାଟକ। ଜୀବନରେ ପ୍ରଥମ ଥର ପାଇଁ ଦେଖିଥିଲି ହିରଣ୍ୟକୁ ଭଗବାନ ନୃସିଂହ ବିଦାରଣ କରିବାର ଦୃଶ୍ୟ, ଯାହା ଆଜିବି ମୋ ମନରେ ତାଜା ହୋଇ ରହିଛି। ଭାରତଲୀଳାରେ ଅର୍ଜୁନ ଛୋଟିଆ ଖଣ୍ଡାଟିଏ ଧରି ଚକ୍ରକାଟି ଯେଉଁ ଉଦଣ୍ଡ ନୃତ୍ୟ କରେ, ତାହା ସହିତ ବି ପରିଚିତ କରାଇଥିଲେ ଜେଜେ। ଏମିତି ହିଁ ବିଭିନ୍ନ ଲୋକନୃତ୍ୟ ଦଳ ସହିତ ପରିଚିତ କରାଇଲା ପରେ ଶେଷରେ ପାଲାଦଳ ପାଖରେ ବସିଗଲେ ସେ। ସାହିତ୍ୟ ଓ ଶାସ୍ତ୍ର ପ୍ରତି ରୁଚି ଥିବାରୁ ସେଇଠି ଟିକିଏ ଅଧିକ ସମୟ କଟିଗଲା। ସେତେବେଳକୁ ସମୟ ପାଖାପାଖି ସକାଳ ସାଢ଼େ ଛଅ।
ଜେଜେ କହିଲେ, ଖରା ବଢ଼ିଲେ ଚାଲି ଚାଲି ଗାଁକୁ ଫେରିବା ମୁସ୍କିଲ। ତେଣୁ ଚାଲ ପ୍ରଥମେ କିଛି ପଞ୍ଚଦୋଳ ଯାତ୍ରା ଜଳଖିଆ ଖାଇନେବା। ଆମେ ଚକୁଳି ଚଣାତରକାରି ଖାଇଲୁ। ସେଇଠୁ ଜେଜେ ପଚାରିଲେ, କଣ ନେବୁ, ରସଗୋଲା ନା ଗୁଲୁଗୁଲା? ଟଙ୍କାଏରେ ଗୋଟିଏ ରସଗୋଲା ଆଉ ଦଶଟା ଗୁଲୁଗୁଲା। କଣ ଦରକାର ତତେ। ପିଲାଲୋକ ମୁଁ। ମୋତେ ଗୋଟିଏ ଅପେକ୍ଷା ଦଶଟା ନିଶ୍ଚିତ ଆକର୍ଷିତ କରିବ। ତେଣୁ କହିଲି ଗୁଲୁଗୁଲା ଦରକାର। ଜେଜେ ଦି ଟଙ୍କାର ଗୁଲୁଗୁଲା ପୁଡ଼ା ବାନ୍ଧିଦେଲେ। ତା ପରେ ଯାତ୍ରା ମିଠା ଭାବେ ଚନ୍ଦ୍ରକାନ୍ତି, ଫେଣି, ସାକର, ଲବଙ୍ଗଲତା ଏବଂ ଲଡୁର ଗୋଟାଏ ମିଶାମିଶି ପୁଡ଼ା ବନ୍ଧା ହେଲା। ହେଲେ ସେତିକିରେ କି ମୁଁ ସନ୍ତୁଷ୍ଟ? ମୋର ଏକାଜିଦ୍, ମୋ ପାଇଁ ଖେଳାଣା କିଣିଦିଅ।
ପିଲାଦିନେ ଆଉ କୋଉ ପ୍ଲାଷ୍ଟିକ୍ ଖେଳଣା ଏମିତି ଥିଲା ଯେ? ଅବଶ୍ୟ ସେ ଯେଉଁସବୁ ଖେଳଣା ମିଳୁଥିଲା, ତାହା ହଜାରେ ଗୁଣରେ ଆଜିର ପ୍ଲାଷ୍ଟିକ୍ ଖେଳଣାଠୁ ଭଲ। ଖଣ୍ଡେ ବାଉଁଶ କାଠି ଓ ବେଙ୍ଗ ଚମଡ଼ାରେ ତିଆରି ବେଙ୍ଗ ବାଇଦ, ପବନ ଚକ୍ରୀ, କାଠି ରଙ୍ଗଫଳ ଏବଂ ଚକଲାଗିଥିବା ଗୋଟିଏ ଛୋଟିଆ କାଠ ଘୋଡ଼ା ଓ ଗୋଟିଏ ବଡ଼ ବେଲୁନ୍, ସେ ସବୁ କିଣିଦେଲେ ଜେଜେବାପା ମୋ ପାଇଁ। ଯାତ୍ରା ପଡ଼ିଆରୁ ପୁଣି ଫେରିଲୁ ଘରମୁହାଁ ହୋଇ। ଜେଜେଙ୍କ କାନ୍ଧରେ ବସି ଯାତ୍ରା ଦେଖି ଫେରିଲା ବେଳେ ସୂର୍ଯ୍ୟ ଟିକିଏ ଉପରକୁ ଉଠିସାରିଥିଲେ। ତେଣୁ ଜେଜେ ନିଜ ମୁଣ୍ଡରେ ବାନ୍ଧିଥିବା ପଗଡ଼ିଟାକୁ ଖୋଲି ମୋ ମୁଣ୍ଡରେ ବାନ୍ଧିଦେଲେ। ଆମେ ଜେଜେ ନାତିଙ୍କୁ ରାସ୍ତା କଡ଼େ କଡ଼େ ଆସୁଥିବା ଦେଖିଲାବେଳେ ଯେ କେହି ବି ଭାବୁଥିବ ଏତେ ଉଚ୍ଚା ଲୋକଟେ ପୁଣି ମୁଣ୍ଡରେ ବେଲୁନ୍ ବାନ୍ଧି କାହିଁକି ଚାଲୁଛି? ଜେଜେଙ୍କ କାନ୍ଧ ଉପରେ ବସିଥିବା କାରଣରୁ ମୋ ହାତରେ ଥିବା ବେଲୁନ୍ ଏବଂ ପବନ ଚକ୍ରୀ ଲାଗୁଥିଲା ଯେମିତି ଜେଜେଙ୍କ ମୁଣ୍ଡରେ ମୁକୁଟ ଭଳି ବନ୍ଧା ହୋଇଛି। ଏକ ବିଚିତ୍ର ରୂପ ତିଆରି ହେଉଥିଲା ସେତେବେଳେ।
ବାଟସାରା ମୁଁ ମୋ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିଦେଉଥିଲି ଜେଜେଙ୍କୁ। ହିରଣ୍ୟ ବିଦାରଣ ଦୃଶ୍ୟ ଦେଖିଥିବାରୁ ମୁଁ ଜେଜେଙ୍କୁ ପଚାରିଥିଲି ଭକ୍ତ ପ୍ରହ୍ଲାଦର କାହାଣୀ। ଜେଜେ ଅତି ପ୍ରାଞ୍ଜଳ ଭାବେ କହିଚାଲିଥିଲେ ସେହି କାହାଣୀ। ସେଇଦିନ ହିଁ ମୁଁ ଜାଣିପାରିଥିଲି ହିରଣ୍ୟ, ପ୍ରହ୍ଲାଦ ଓ ଭଗବାନଙ୍କ ନୃସିଂହ ଅବତାର ପଛର ରହସ୍ୟ। ଜେଜେଙ୍କଠାରୁ ଶୁଣିଥିବା ଶହ ଶହ କାହାଣୀରେ ଯୋଡ଼ା ହୋଇଥିଲା ଆଉ ଏକ କାହାଣୀ। ସକାଳ ପ୍ରାୟ ନଅଟା ସୁଦ୍ଧା ଆମେ ଘରକୁ ଫେରି ଆସିଥିଲୁ। ଘରେ ପହଞ୍ଚିଲା ପରେ ମୋତେ ଲାଗୁଥିଲା ସେ ସମସ୍ତ ଖେଳଣା, ଯାତ୍ରାର ମିଠା ଆଉ ଦେଖିଥିବା ଯାତ୍ରା ଏବଂ ଶୁଣିଥିବା କାହାଣୀ ସବୁ ମୋତେ ଯେମିତି ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ କରିଦେଇଛନ୍ତି। ହଠାତ୍ ମୋ ଉଚ୍ଚତା ବଢ଼ିଯାଇଛି ଏବଂ ମୋ ସମସାମୟିକ ପିଲାମାନଙ୍କଠୁ ମୁଁ ଢେର ବଡ଼ ହୋଇଯାଇଛି।
ଏବେ ଯେତେବେଳେ ମୋ ପିଲାମାନେ ମୋ ବାପାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି ଏବଂ କାହାଣୀ କହିବା ପାଇଁ ଜିଦ୍ କରୁଛନ୍ତି, ସେତେବେଳେ ମୁଁ ପୁଣିଥରେ ଫେରି ଯାଉଛି ସେହି ପିଲାଦିନର ପଞ୍ଚଦୋଳକୁ।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.