Latest Odisha News

BREAKING NEWS

ପଞ୍ଚସଖା ଶିକ୍ଷାସେତୁ: ୨୩ ଜିଲ୍ଲାରେ କାର୍ଯ୍ୟକାରୀ ହେବ ୬୦୯ ପ୍ରକଳ୍ପ

ଭୁବନେଶ୍ବର:ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୭.୨୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନିମନ୍ତେ ମଞ୍ଜୁର ଦିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସମ୍ପ୍ରଦାୟ ପ୍ରାୟ ୨ କୋଟି ୪୩ ଲକ୍ଷ ୨୫ ହଜାର ୬୬୯ ଟଙ୍କାର ଆର୍ଥିକ ଅବଦାନ ଦେଇଛନ୍ତି । ସେମାନଙ୍କ ଅବଦାନରେ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନ ମିଶାଇ ମୋଟ ୭ କୋଟି ୨୯ ଲକ୍ଷ ୭୭ ହଜାର ୭ ଟଙ୍କାର ୬୦୯ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ଆସିଛି ।

ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡିକରେ ଆର୍ଥିକ ସାକ୍ଷରତା ପାଠ ଛାତ୍ରଛାତ୍ରୀଙ୍କୁ ପଢାଯିବ । ଏଥି ନିମନ୍ତେ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସେମାନେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ କାରବାର, ବ୍ୟାଙ୍କିଂ ବ୍ୟବସ୍ଥା, ଟଙ୍କା, ସଞ୍ଚୟ, ବ୍ୟୟ ଆଦି ଆର୍ଥିକ ବ୍ୟବସ୍ଥା ଉପରେ ଶିକ୍ଷାଦାନ କରିବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଥିବା ଡିଇଓ, ବିଇଓ ଓ ସିଆରସିସିମାନଙ୍କ ବୃତ୍ତିଗତ ବିକାଶ ନିମନ୍ତେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

Leave A Reply

Your email address will not be published.