ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ମହାମାରୀ ସମୟରେ ଏପରି କ୍ଵଚିତ କିଛି ଜିନିଷ ଦେଖିବାକୁ ମିଳେ ଯାହା ବିପର୍ଯ୍ୟସ୍ତ କିମ୍ବା ଅବନତିର ଶିକାର ନ ହୋଇଛି। ମଣିଷ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ଜୀବିକା ଛିନ୍ନ ଭିନ୍ନ, ମଣିଷ ମନର ଦମ୍ଭ ଓ ଆଶା ହୋଇଛି ବିକ୍ଷିପ୍ତ। କିନ୍ତୁ ଏହି ସର୍ବଗ୍ରାସୀ ବିନାଶ କାଳରେ ମଧ୍ୟ ଏମିତି ଗୋଟିଏ ଜିନିଷ ରହି ଯାଇଛି ଯାହା ଏ ବିଭୀଷିକା ଭିତରେ ମଧ୍ୟ ତାର ଦାମ୍ଭିକତା, ଲୋକପ୍ରିୟତା ଓ ଗୁରୁତ୍ୱ ବଜାୟ ରଖିଛି, ବରଂ ଦରକାର ସ୍ଥଳେ ବଢ଼ାଇ ପାରିଛି। ହଁ, ଆଜ୍ଞା! ଜିନିଷଟିର ନାମ ହେଲା ମଦ। କୋଭିଡ ମହାମାରୀର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ପାନୀୟର ବାନା ଫର ଫର ହୋଇ ଉଡୁଛି ସବୁଠି।
ଦୁଇ ବର୍ଷ ତଳେ ପ୍ରଥମେ ଭୂତାଣୁର ଆକୃତି ଓ ପ୍ରକୃତି ଯେତେବେଳେ ବିଶେଷଜ୍ଞ ମାନେ ଚିହ୍ନିଲେ, ସେତେବେଳେ ଜଣା ପଡିଲା ଯେ ଭୂତାଣୁଟି ଯେତେ ମାରାତ୍ମକ ହେଲେ କ’ଣ ହେଲା, ଦୁଇଟି ଜିନିଷ ଆଗରେ ଏହା ମୁଣ୍ଡ ଟେକି ପାରିବ ନାହିଁ, ଯଥା ସାବୁନ ଫେଣ ଓ ମଦ୍ୟ ପଦାର୍ଥରର ମୂଳ ଉପାଦାନ, ଆଲକୋହଲ। ସେହି ଦିନଠୁ ହାତ ସଫା କରିବାର ତରଳ ପଦାର୍ଥ ବା ସାନିଟାଇଜର ବଜାରକୁ ଆସିଗଲା ଯେଉଁଥିରେ ମୁଖ୍ୟ ଉପାଦାନ ଥିଲା ଆଲକୋହଲ। ଯଦି ମଣିଷର ଅତି ପ୍ରିୟ ପାନୀୟର ମୁଖ୍ୟ ଉପାଦାନ ସେହି ଆଲକୋହଲ ଓ ତାହାକୁ ପାନ କରି ମଣିଷ ଏତେ ଆନନ୍ଦ ଉପଭୋଗ କରୁଛି ତେବେ ଭୂତାଣୁ-ମାରକ ହିସାବରେ ଏହି ସାନିଟାଇଜରରେ ଦୁଇଗୁଣ ମଜା ଲୁଚି ରହିଛି, ଯଥା ମହାମାରୀକୁ ଏହା ରୋକିବ ଓ ମଣିଷକୁ ସୁଖ ପହଞ୍ଚାଇବ। ଏମିତି ଏକ ଚିନ୍ତାଧାରା ଜନ୍ମିଥିଲା ମହାମାରୀର ଆଦ୍ୟ ଅବସ୍ଥାରେ। ଦୁଃଖର କଥା ଏହି ସରଳିଆ ଚିନ୍ତାଧାରାକୁ ଆଧାର କରି କେତେ ଲୋକ କୋଭିଡ ପ୍ରତିରୋଧକ ହିସାବରେ ସାନିଟାଇଜର ପିଇ ଯାଇଥିଲେ ଓ ସଙ୍କଟାପନ୍ନ ମଧ୍ୟ ହୋଇ ଯାଇଥିଲେ। ତା’ ଛଡ଼ା ଆଉ କେତେକ ଘର ସଫେଇର ଉପାଦାନ ଯଥା ଫିନାଇଲ କିମ୍ବା ଡ଼ିସଇନଫେକ୍ଟଣ୍ଟ ପିଇ ପ୍ରାଣ ମଧ୍ୟ ହରାଇଥିଲେ। ଅବଶ୍ୟ ଏଭଳି ବୁଦ୍ଧି ସେମାନେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଠାରୁ ପାଇଥିଲେ। ସାନିଟାଇଜର ର ଆଲକୋହଲର ସାମାନ୍ୟ ସ୍ପର୍ଶରେ ଭୂତାଣୁ ଧ୍ୱଂସ ହେଇଯାଉଥିବା ବେଳେ ସେହି ତରଳ ଦ୍ରବ୍ୟକୁ ପିଇଲେ ଯେ ଭୂତାଣୁ ମରିବ ନାହିଁ ବରଂ ଭୂତାଣୁର ବାହକ ମଣିଷ ମରିଯିବ ଏ କଥା ମଣିଷ ବୁଝିଲା ବହୁ କଷ୍ଟରେ।
କୋଭିଡ ସମୟର ସମସ୍ତ କଟକଣା ଯଥା ଲକଡାଉନ ଓ ବେପାର ବନ୍ଦ ସମୟରେ ଅଯଥା ହଟହଟା ହେଇଥିଲେ ମଦ୍ୟ ନିଶାସକ୍ତମାନେ। ଘର ବାହାରେ ଯେତେ ବିପଦ ଥାଉ ପଛକେ ନିଜର ପ୍ରିୟ ପାନୀୟର ଦୈନିକ ଖୋରାକ ତ ଯେମିତି ହେଲେ ଯୋଗାଡ଼ କରିବାକୁ ପଡିବ, ଏଣୁ ସମସ୍ତ କଟକଣାକୁ ଫୁତ୍କାର କରି ବାହାରି ପଡୁଥିଲେ ଏହି ଶ୍ରେଣୀର ଗ୍ରାହକ ମାନେ। ଶେଷରେ ସରକାର ସେମାନଙ୍କର ମାନସିକ ଓ ଶାରୀରିକ ତାଡନାକୁ ଆଖିରେ ରଖି ଅନ୍ୟ ଅନେକ ଦରକାରୀ ସାମାନର ଦୋକାନ ବନ୍ଦ ରହୁଥିବାବେଳେ ମଦ୍ୟ ଜାତୀୟ ପାନୀୟର ଦୋକାନକୁ ଖୋଲା ରଖୁଥିଲେ। ସେତେବେଳେ ବଜାରର ସମସ୍ତ ଦିଗରେ ମୃତ୍ୟୁବତ ନୀରବତା ବିରାଜମାନ କରୁଥିବା ବେଳେ ମଦ ଦୋକାନ ଆଗରେ ଅଭୂତପୂର୍ଣ୍ଣ ଚଳଚଞ୍ଚଳତା ଓ ଉତ୍ସାହ ଦେଖିବାକୁ ମିଳୁଥିଲା। ଅସୀମ ଧୈର୍ଯ୍ୟର ସହ ମଦ୍ୟ ଗ୍ରାହକ ମାନେ ସମସ୍ତ ଶୃଙ୍ଖଳା ପାଳନ କରୁଥିଲେ ଓ ନିଜର ପ୍ରାଣପ୍ରିୟ ଜିନିଷଟି ସାଙ୍ଗରେ ଘେନି ଯାଉଥିଲେ।
କୋଭିଡର ବିଭୀଷିକା ଶୀର୍ଷରେ ଥିବା ସମୟରେ ଥରେ ଜଣେ ବ୍ୟକ୍ତି ବିଛଣା ଚଦରରେ ଘୋଡା ହୋଇଥିବା ଅସ୍ୱାଭାବିକ ଭାବରେ ଏକ ବଡ଼ ପୁଟୁଳିକୁ ବହୁ କଷ୍ଟରେ ଧରି ଆଗଉଥିବାର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଥିଲା। ସାମ୍ବାଦିକ ଯେତେବେଳେ ବ୍ୟକ୍ତି ଜଣଙ୍କୁ ସେ କଣ ନେଇଯାଉଛନ୍ତି ବୋଲି ପଚାରିଥିଲେ ସେ କ୍ୟାମେରା ଆଗରେ ତାଙ୍କ ମଦ ବୋତଲର ଗଣ୍ଠୁଲି ଖୋଲି ଦେଖାଇଥିଲେ ଓ କହିଥିଲେ ଯେ ତାଙ୍କ ବନ୍ଧୁ ବାନ୍ଧବ ଓ ସାହିବାଲାଙ୍କ ପାଇଁ ସେ ମଦ କିଣି ନେଉଛନ୍ତି। ସମସ୍ତେ ଯଦି ନିଜ ନିଜ ବୋତଲ କିଣିବାକୁ ଅସିଥାନ୍ତେ ତେବେ କେତେ ଭିଡ଼ ବଢି଼ଥାନ୍ତା! ବାସ୍ତବିକ ନିଶାସକ୍ତ ମାନଙ୍କର କୈଫୟତ ବେଳେ ବେଳେ ଖୁବ ଯୁକ୍ତିସଙ୍ଗତ ଲାଗେ। ଏହି ଶ୍ରେଣୀର ବ୍ୟକ୍ତି ବିଶେଷଙ୍କର ସଚ୍ଚୋଟପଣିଆ ପ୍ରତି ପୁଣି ପ୍ରଶଂସା ଶୁଣିବାକୁ ମିଳିଥିଲା ଉତ୍ତର ପ୍ରଦେଶର ଜନୈକ ସରକାରୀ କର୍ମଚାରୀଙ୍କ ମୁହଁରୁ। ସେ ପ୍ରଦେଶରେ ନିୟମ କରିଦିଆଯାଇଥିଲା ଯେ ମଦ କିଣିବା ବେଳେ ଖରିଦଦାର ପ୍ରମାଣ ଦେବେ ଯେ ସେ ପ୍ରତିଷେଧକ ଟିକା ନେଇଛନ୍ତି। ସାମ୍ବାଦିକ ଯେତେବେଳେ ପ୍ରଶ୍ନ କଲେ ଯେ ସମସ୍ତେ କ’ଣ ପ୍ରତିଷେଧକ ପ୍ରମାଣ ପତ୍ର ଧରି ଆସୁଛନ୍ତି, ସେତେବେଳେ ସରକାରୀ ଅଧିକାରୀ ଜଣକ ଉତ୍ତର ଦେଉଥିଲେ ଯେ ଯେଉଁ ମାନେ ପ୍ରମାଣ ପତ୍ର ଦେଖାଇ ପାରୁନାହାନ୍ତି ତାଙ୍କର ମୌଖିକ ପ୍ରମାଣରେ ଆମେ ମଦ ବିକ୍ରି କରି ଦେଉଛୁ, କାରଣ ନିଶାସକ୍ତମାନେ ସଚ୍ଚୋଟ ଓ ଏହି କ୍ଷେତ୍ରରେ ଅନ୍ୟ ମାନଙ୍କ ଭଳି ମିଛ କହିବେ ନାହିଁ।
କିନ୍ତୁ ସେମାନଙ୍କର ସଚ୍ଚୋଟତା ଓ ସରଳତାର ସୁଯୋଗ ନେଇ କିଛି ଠକ ବ୍ୟକ୍ତି ତାଙ୍କୁ ଚଞ୍ଚକତାର ଶିକାର ବନାଇଦେଇଥିଲେ। ବଜାର ବନ୍ଦ ଥିବାବେଳେ ଘରୁ ବସି ମଦ୍ୟ ପାନୀୟ ବରାଦ କରିବାର ମିଥ୍ୟା ବିଜ୍ଞାପନ ପ୍ରକାଶ କରି ଠକମାନେ ନିରୀହ ନିଶାପ୍ରିୟ ମାନଙ୍କଠାରୁ ତାଙ୍କର କଷ୍ଟ ଅର୍ଜିତ ଧନ ଲୁଟିନେଇଥିଲେ।
କାହା ପାଖରୁ କୌଣସି କାମ ହାସଲ କରିନେବା ପାଇଁ ମଦ୍ୟ ସବୁବେଳେ ଏକ ସଫଳ ପ୍ରୋତ୍ସାହନ ହିସାବରେ କାମ କରିଥାଏ। ଆମ ଦେଶର ମତଦାନ ସମୟରେ ମଦଦାନ କରି ପ୍ରାର୍ଥୀ ଓ ଦଳମାନେ ଭୋଟ ହାତେଇ ନେବାର ପରମ୍ପରା ଆଜି ପୁରୁଣା ହେଲାଣି। ଠିକ ସେହିପରି କୋଭିଡ ପ୍ରତିଷେଧକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେରିକା ଓ ଅନ୍ୟ କେତେକ ଉନ୍ନତ ଦେଶ ମାନଙ୍କରେ ବିୟର ଉତ୍କୋଚ ହିସାବରେ ବଣ୍ଟା ଯାଇଥିଲା ଓ ତାହାର ଭଲ ଫଳ ମଧ୍ୟ ମିଳିଥିଲା। ଆଉ ପୁଣି ମହାମାରୀ ସମୟରେ ଓଡ଼ିଶାରେ ମଦ୍ୟ ବିକ୍ରେତା ମାନଙ୍କର କ୍ଷତିର ଭାର ଲାଘବ କରିବା ପାଇଁ ଟିକସରେ ଭାରି ରିହାତି ଦିଆ ଯାଇଥିଲା।
ମୋଟା ମୋଟି ଦେଖିବାକୁ ଗଲେ ଏହି ବିଶ୍ୱ ବିପର୍ଯ୍ୟୟ ସମୟରେ ମଦ୍ୟ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ପାରିଛି।
(ମୋବାଇଲ:୯୪୩୭୦୮୯୬୫୫)
Comments are closed.