Latest Odisha News

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଚି ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ଫଳରେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ସେହିପରି ପାରାଦୀପକୁ ପେଟ୍ରୋକେମିକାଲ ହବ୍‌ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ବିଧାନସଭାରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୫୬ ବୃହତ୍‌ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ୍ ଓ ପ୍ଲାଣ୍ଟ ଲେବେଲ କନସଲେଟିଭ୍ କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି ।

୨୦୧୬ ମେକ ଇନ୍ ଓଡ଼ିଶାରେ ରାଜ୍ୟକୁ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା ଓ ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ଏଥି ମଧ୍ୟରୁ ୪ଟି ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ଟି ଖୁବ ଶୀଘ୍ର ଉତ୍ପାଦନ କରିବେ । ସେହିପରି ମେକ ଇନ୍ ଓଡ଼ିଶା ୨୦୧୮ରେ ଆସିଥିବା ୨୦୨ ଶିଳ୍ପ ପ୍ରସ୍ତାବ ମଧ୍ୟରୁ ୭୧ ଶିଳ୍ପର କାମ ଚାଲିଛି ଓ ୧୧ଟି ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି । ସେପଟେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିଥିବାରୁ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଉପରେ ଜୋର ଦିଆଯାଉଛି । ଏହି କ୍ରମରେ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ।

Comments are closed.