Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତିନି ଦିନ ହେବ ମାରାଥନ୍ ଜେରା ଚାଲିଛି । ଆଜି ଜେରାର ତୃତୀୟ ଦିନରେ ହାଜର ହୋଇଛନ୍ତି ସୌମ୍ୟଙ୍କୁ ସେଦିନ ଚିକିତ୍ସା କରିଥିଲା ୩ ଜଣ ଡାକ୍ତର । ପାରଳାଖେମୁଣ୍ଡି ସିଡିଏମଓ ଅଫିସରେ ସେମାନଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଟିମ୍ ।

କ୍ରାଇମବ୍ରାଞ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମଓ ପ୍ରମୋଦ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ଅଭିଳାଷ ପଣ୍ଡାଙ୍କୁ ଅନେକ କଥା ପଚାରିଛି । ସେମାନେ ସୌମ୍ୟ ପୋଡ଼ି ହୋଇଯିବା ପରେ ତାଙ୍କୁ ହସ୍ପିଟାଲରେ ଏମାନେ ଚିକିତ୍ସା କରିଥିଲେ । ସେଦିନ ମାଜିଷ୍ଟ୍ରେଟ୍ ଭାବରେ ତହସିଲଦାରଙ୍କ ଉପସ୍ଥିତିରେ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇଥିଲା ।

ଆଜି କ୍ରାଇମବ୍ରାଞ୍ଚ ଟିମ୍ ୩ ଡାକ୍ତରଙ୍କୁ ସେଦିନ ଚିକିତ୍ସା ବାବଦରେ ପଚରାଉଚରା କରିଥିବା ସୂଚନା ମିଳିଛି । ଏଥିସହ ସେଦିନ ହସ୍ପିଟାଲରେ କେଉଁମାନେ ଉପସ୍ଥିତ ଥିଲେ ? ସେମାନେ କେତେବେଳ ଯାଏ ସେଠାରେ ଥିଲେ ? କଣ କରୁଥିଲେ ସମସ୍ତେ ? ଗୁରୁତର ସୌମ୍ୟଙ୍କୁ ଗଜପତିରୁ କଟକ ନେବା ପାଇଁ କିଏ କହିଥିଲେ ?
କଣ ପାଇଁ ସୌମ୍ୟଙ୍କ ଜମାନବନ୍ଦୀ ନିଆଯାଇଥିଲା ? ଏଥିପାଇଁ କିଏ ଦେଇଥିଲେ ନିର୍ଦ୍ଦେଶ ? ଆମ୍ବୁଲାନ୍ସ କେତେବେଳେ ହସ୍ପିଟାଲରୁ ବାହାରିଥିଲା ? ଏଭଳି ଅନେକ ପ୍ରଶ୍ନ ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ପଚାରିଥିବା ସୂଚନା ମିଳିଛି । ସେମାନଙ୍କ ପାଖରୁ ମିଶିଥିବା ତଥ୍ୟ ଅନୁସାରେ ଆଗକୁ ହସ୍ପିଟାଲରେ ଯେଉଁମାନେ ଉପସ୍ଥିତ ଥିଲେ ସମସ୍ତେ ଜେରାର ସାମନା କରିପାରନ୍ତି ।

୫ ଦିନ ହେବ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁର ଖୋଳତାଡ ଆରମ୍ଭ କରିଛି । ଏହାରି ଭିତରେ ରୋଷେୟା, ସୌମ୍ୟଙ୍କର ଦୁଇ ଜଣ ସହଯୋଗୀ ଏସିଏଫ୍, ଦୁଇ ଜଣ ଫରେଷ୍ଟ ଗାର୍ଡ, ମାଳି, ଜଗୁଆଳି, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ବିଭିନ୍ନ ପର୍ୟ୍ୟାୟରେ ଜେରା କରି ସାରିଲାଣି ।

ଗତ ଦୁଇ ଦିନରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଜେରା କରି ରହସ୍ୟ ଖିଅ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ ଟିମ୍ । ପାରଳାଖେମୁଣ୍ଡିରେ ତଦନ୍ତ ସରିବା ପରେ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ ।

Leave A Reply

Your email address will not be published.