Latest Odisha News

ପାରଳା ACF ମୃତ୍ୟୁ ମାମଲା: ଆସିଲା ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଦୁଇ ମାସ ପରେ ବି ଖୋଲିନି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହାରି ଭିତରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସୌମ୍ୟରଞ୍ଜନ ମହାମାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ । ଏହାପରେ ତଦନ୍ତକାରୀ ଟିମ୍ ରିପୋର୍ଟକୁ ନେଇ ତର୍ଜମା କରୁଛି । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ପୂର୍ବରୁ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସେତେବେଳେ ସେମାନେ ଦେଇଥିବା ବୟାନ ଓ ଏବେ ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟକୁ କ୍ରାଇମବ୍ରାଞ୍ଚ ମିଳିତ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । କିଏ କଣ ମିଛ କହିଛନ୍ତି ? କି ତଥ୍ୟ ଲୁଚାଇଛନ୍ତି ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ନେଇ କ୍ରାଇମବ୍ରାଞ୍ଚ ।

ଗତକାଲି ବିଦ୍ୟାଭାରତୀଙ୍କ ଗିରଫ, ଗଜପତି ଡିଏଫଓଙ୍କୁ ବଦଳି ସହ ଅନ୍ୟମାନଙ୍କୁ ମାମଲାରେ ପକ୍ଷଭୁକ୍ତ କରିବା ଦିବାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ଦାବିପତ୍ର ଦେଇଥିଲେ ସୌମ୍ୟଙ୍କ ବାପା । ଦୁଇ ମାସ ପରେ ବି ପୁଅର ମୃତ୍ୟୁ ରହସ୍ୟ ପୋଲିସ କି କ୍ରାଇମବ୍ରାଞ୍ଚ ଭେଦି ନପାରିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଏବେ ଅପେକ୍ଷା କେବେ ଖୋଲିବ ସୌମ୍ୟଙ୍କ ମୃତ୍ୟୁ ସସପେନ୍ସ ଉପରୁ ପରଦା ।

Leave A Reply

Your email address will not be published.