Latest Odisha News

ରହସ୍ୟଘେରରେ ପାରଳାଖେମୁଣ୍ଡି ACFଙ୍କ ମୃତ୍ୟୁ, ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ନାନା ପ୍ରଶ୍ନବାଚୀ ଉଠିଛି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ସନ୍ଦେହ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପାରଳାଖେମୁଣ୍ଡି ଥାନାରେ ପୁଅର ମୃତ୍ୟୁ ପଛରେ ତିନି ଜଣଙ୍କ ସଂପୃକ୍ତି ଅଭିଯୋଗରେ ଏତଲା ଦେଇଥିଲେ ସୌମ୍ୟରଞ୍ଜନଙ୍କ ବାପା । ଏହାପରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଏମାନଙ୍କ ଭିତରେ ଅଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇ କରୁଥିବା ଗାର୍ଡ ।

ବୋହୂ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନଙ୍କ ବାପା । ସେମାନଙ୍କୁ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡ ସହଯୋଗ କରିଥିବା ଏପଆଇଆରରେ ଉଲ୍ଲେଖ କରିଛନ୍ତି ତାଙ୍କ ବାପା । ଏସମ୍ପର୍କରେ ପୁଅ ତାଙ୍କୁ ପୂର୍ବରୁ କହିଥିଲା ବୋଲି ତାଙ୍କ ବାପା କହିଛନ୍ତି । ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବା ସହ ନ୍ୟାୟ ଦାବି କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ।

ଗତ ୧୨ ତାରିଖରେ ରାତିରେ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ହୋଇଥିଲେ । ତାଙ୍କ ଶରୀରର ୮୦ଭାଗରୁ ଅଧିକ ପୋଡ଼ି ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ କଟକ ଏକ ଘରୋଇ ହସ୍ପିଟାଲକେ ଆଖି ବୁଜିଥିଲେ ସୌମ୍ୟରଞ୍ଜନ ମହାପାତ୍ର । କେମିତି ନିଆଁ ଲାଗିଲା ସେକଥା ପତ୍ନୀ ଜାଣି ନଥିବା କହିଛନ୍ତି ।

ସେପଟେ ମୁହଁ ଖୋଲିଛନ୍ତି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ପୋଲିସ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ପୋଲିସ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜବାନବନ୍ଦୀ ରେକର୍ଡ କରିଛି । ଯେଉଁଥିରେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଥିବା ସେ ବୟାନରେ କହିଥିବା ପୋଲିସ କହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ ଚଳିଇଛି ପୋଲିସ ।

Leave A Reply

Your email address will not be published.