Latest Odisha News

BREAKING NEWS

ଅଗଷ୍ଟ ୩ ଯାଏ ମମତାଙ୍କ ମନ୍ତ୍ରୀ ଓ ଅର୍ପିତା ଇଡି ହେପାଜତରେ ରହିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଉଭୟଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଶିକ୍ଷକ ଚାକିରି କରାଇଦେବା ନେଇ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଶନିବାର ଗିରଫ କରାଯାଇଥିଲା। ସେ ଶିକ୍ଷା ମନ୍ତ୍ରୀ ଥିବାବେଳେ ସରକାରୀ ସ୍କୁଲରେ ଶିକ୍ଷକ ଏବଂ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି ଦେବାରେ ତାଙ୍କ ଭୂମିକା ଥିବା ଅଭିଯୋଗ ହୋଇଥିଲା।

ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୧ କୋଟି ନଗଦ ଟଙ୍କା ମିଳିଥିଲା। ଇଡି ରେଡ୍ ବେଳେ ନୋଟ୍ ବିଡାର ଫଟୋ ସେୟାର କରିଥିଲା। ଯାହାକୁ ଦେଖିଲେ ଯେକିହି ଅଟକିଯିବ । ପରେ ବିଳମ୍ବିତ ରାତିରେ ମନ୍ତ୍ରୀଙ୍କୁ ଗିରଫ କରିଥିଲା ଇଡି। ଇଡି କହିଛି ଯେ ମନ୍ତ୍ରୀ ଅର୍ପିତା ମୁଖାର୍ଜୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କ ଘରେ ମିଳିଥିବା ନଗଦ ଅର୍ଥ ହେଉଛି ବେଆଇନ୍ ଭାବେ ଆୟ ହୋଇଥିଲା।

ଏହାପୂର୍ବରୁ ଆଜି ପାର୍ଥ ଚାଟାର୍ଜୀଙ୍କୁ କୋଲକାତାର ଏସ୍.କେ.କେ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ବିମାନବନ୍ଦରକୁ ନିଆଯାଇଥିଲା। ଭୁବନେଶ୍ୱରରେ ଅବତରଣ କରିବା ପରେ ପାର୍ଥ ଚାଟାର୍ଜୀଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଆଉ ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ହସ୍ପିଟାଲ ରିପୋର୍ଟରେ କହିଛି । ଆଜି ପାର୍ଥ କୋଲକାତା ଯିବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ଆଜି ସେ କୋଲକାତା ଫେରିପାରି ନାହାନ୍ତି। ଆସନ୍ତାକାଲି ସକାଳେ ନିଜ ରାଜ୍ୟକୁ ଫେରିବେ ବୋଲି ଜଣାପଡିଛି।

Comments are closed.