Latest Odisha News

BREAKING NEWS

ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ % ଆସନ ସଂରକ୍ଷଣ ଲାଗି ବିଲ୍ ପାସ୍ ହେଉ: ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର: ସଂସଦ ତଥା ରାଜ୍ୟ ବିଧାନସଭାମାନଙ୍କରେ ମହିଳା ମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ନେଇ ବିଲ୍ ପାସ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ତାଙ୍କ ପତ୍ରରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂସଦରେ ଏହି ବିଲ୍ ପାରିତ ହେବାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ ।

“କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକ ୧୯୯୦ ମସିହାର ପ୍ରଥମ ଭାଗରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ୩୩% ଆସନ ସଂରକ୍ଷଣ କରି ରାଜନୈତିକ କ୍ଷେତ୍ରରେ ଗଠନ ମୂଳକ ନିଷ୍ପତ୍ତି ନେବା ଲାଗି ମହିଳାମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଏହା ବ୍ୟତୀତ ସେ ମହିଳା ଓ ପୁରୁଷମାନଙ୍କ ଲାଗି ସମାନ ମଜୁରୀ ବ୍ୟବସ୍ଥା କରି ପୁରୁଷ ଓ ମହିଳା ଶ୍ରମିକଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବାରେ ସକ୍ଷମ ହୋଇଥିଲେ,” ବୋଲି ସେ କହିଛନ୍ତି ।

ଓଡ଼ିଶା ସରକାର ୨୦୧୧ ମସିହାରେ ପଞ୍ଚାୟତ ଓ ପୌରାଞ୍ଚଳ ପ୍ରତିନିଧିତ୍ୱ ଲାଗି ୫୦% ଆରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାଫଳରେ ମହିଳା ମାନଙ୍କୁ ମାନବସ୍ରୋତରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିବା ଲାଗି ଉତ୍ସାହିତ କରାଯାଇପାରୁଛି ।

“ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରୁଛି ଯେ, ଇତିମଧ୍ୟରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତି ଭାବେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ନେଇ ସଂକଳ୍ପ ହୋଇଛି,”ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରର ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ଏହି ଐତିହାସିକ ପଦକ୍ଷେପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ଏକ ଦୃଷ୍ଟାନ୍ତ ମୂଳକ ଶ୍ରଦ୍ଧାଞ୍ଜଳି ସ୍ୱରୂପ ହେବ ।

“ମହିଳାମାନଙ୍କ ସଶକ୍ତିକରଣ ରାଷ୍ଟ୍ରର ସଶକ୍ତିକରଣ ସଦୃଶ । ଏପରି କୌଣସି ସମାଜ ନାହିଁ, ଏପରି କୌଣସି ରାଜ୍ୟ ନାହିଁ, ଏପରି କୌଣସି ଦେଶ ମଧ୍ୟ ନାହିଁ ଯେଉଁଠି ମହିଳାଙ୍କୁ ସଶକ୍ତ ନକରି ଆଗକୁ ବଢିପାରିଛି । ଲିଙ୍ଗଗତ ସମାନତାର ସିଦ୍ଧାନ୍ତ ଆମ ସମ୍ବିଧାନରେ ସ୍ଥାପିତ ହୋଇଛି । ଆମ ଦେଶର ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ସର୍ବୋଚ୍ଚ ନିଷ୍ପତ୍ତି ମହିଳାମାନଙ୍କ ହାତରେ ରହିପାରିଲେ ଦେଶ ସମୃଦ୍ଧି ପଥରେ ଦ୍ରୁତଗତିରେ ଆଗେଇ ପାରିବ,” ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାନସଭାର ସମସ୍ତ ବିଧାୟକମାନଙ୍କ ସମର୍ଥନରେ ମହିଳାମାନଙ୍କ ଲାଗି ଏକ-ତୃତୀୟାଂଶ ସଂରକ୍ଷଣ ଲାଗି ପ୍ରସ୍ତାବ ଆଗତ ହୋଇଛି ।

ମହିଳାମାନଙ୍କ ଲାଗି ସଂରକ୍ଷଣ ବିଧେୟକ ବା ସମ୍ବିଧାନ (୧୦୮ତମ ସଂଶୋଧନ) ବେଧେୟକ, ୨୦୦୮, ସଂସଦରେ ସମାପ୍ତି ହୋଇଛି । ଏଥିରେ ସମସ୍ତ ବିଧାନସଭା ଏବଂ ସଂସଦରେ ମହିଳାମାନଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ଲାଗି ପ୍ରସ୍ତାବ ରହିଥିଲା ।

Leave A Reply

Your email address will not be published.