ନୂଆଦିଲ୍ଲୀ: ଟ୍ରେନରେ ବହୁ ପ୍ରକାରର ଲୋକ ଯାତ୍ରା କରନ୍ତି। କିଏ ଫାଷ୍ଟ କ୍ଲାସରେ ଯାତ୍ରା କରୁଥିବା ବେଳେ କିଏ ସାଧାରଣ କୋଚରେ ଯାତ୍ରା କରିଥାନ୍ତି। ତେବେ ଟ୍ରେନ ମଧ୍ଯ ଲୋକମାନଙ୍କ ସୁବିଧା ପାଇଁ ଅନେକ କିଛି ସୁବିଧା ପ୍ରଦାନ କରୁଛି। କିନ୍ତୁ ଯେତେ ସୁବିଧା କଲେ ମଧ୍ଯ ଟ୍ରେନରେ ଚୋରିକୁ ରୋକାଯାଇପାରୁନାହିଁ ଯାହାର ପରିଣାମ ପରବର୍ତ୍ତୀ ସମୟରେ ଟ୍ରେନର କର୍ମଚାରୀମାନଙ୍କୁ ଭୋଗିବାକୁ ପଡିଥାଏ।
ନିକଟରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ପ୍ରୟାଗରାଜ ଟ୍ରେନରୁ ଜଣେ ବ୍ୟକ୍ତି ବେଡ୍ସିଟ୍ ଏବଂ ତଉଲିଆ ଚୋରି କରୁଥିବାବେଳେ ଧରାପଡିଥିଲେ। ଯାହାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଥିଲା।
ତେବେ ୨୦୧୭-୧୮ ମସିହାରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ପଶ୍ଚିମ ରେଳବାଇରୁ ୧.୯୫ ଲକ୍ଷ ତଉଲିଆ, ୮୧,୭୩୬ ବେଡସିଟ୍, ୫୦୩୮ ତକିଆ, ୫୫,୫୭୩ ତକିଆ କଭର ଓ ୭୦୪୩ କମ୍ବଳ ଚୋରି ହୋଇଛି ଏବଂ ପ୍ରାୟ ଏହାର ସମାନ ସଂଖ୍ୟକ ସେଣ୍ଟ୍ରାଲ ରେଳବାଇରୁ ମଧ୍ୟ ଜିନିଷ ଚୋରି ହୋଇଥିଲା। ତେବେ ଏହି ଚୋରି କାରଣରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମାରୁ ପ୍ରାୟ ୧୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କଟାଯାଇଥିଲା।
ତେବେ ଯଦି ଚୋରି କରୁଥିବା ବ୍ୟକ୍ତି ଜଣକ ଧରାପଡନ୍ତି ଓ ତାଙ୍କ ପାଖରୁ ଏସବୁ ମିଳେ, ତେବେ ପରବର୍ତ୍ତୀ ସମୟରେ ତାଙ୍କ ଉପରେ କେତେ ଜୋରିମାନା ଲାଗେ ଓ କଣ ଦଣ୍ଡ ରହିଥାଏ ଆସନ୍ତୁ ଜାଣିବା।
ରେଳବାଇ ପ୍ରୋପର୍ଟି ଆକ୍ଟ ୧୯୬୬ ଅନୁଯାୟୀ, ଯାତ୍ରା ସରିବା ପରେ ଯାତ୍ରୀ ମାନଙ୍କୁ ଦିଆଯାଇଥିବା କମ୍ବଳ, ବେଡସିଟ୍ ଏବଂ ତକିଆ ଆଟେଣ୍ଡାଣ୍ଟ କୁ ହସ୍ତାନ୍ତର କରିବା ଯାତ୍ରୀଙ୍କ ଦାୟିତ୍ୱ। କିନ୍ତୁ ଯଦି କେହି ଯାତ୍ରୀ ଏହା ଭୁଲିଯାଏ ଓ ତାଙ୍କ ଯିବା ପରେ ଯଦି ଅନ୍ୟ କେହି ଏ ସବୁକୁ ଚୋରି କରିନିଏ। ତେବେ ରେଳବାଇ ଉକ୍ତ ଯାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ରେଳବାଇ ପ୍ରୋପର୍ଟି ଆକ୍ଟ ୧୯୬୬ ଅନୁଯାୟୀ, ପ୍ରଥମ ଥର ଧରାପଡିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। କିମ୍ବା ଯଦି ମାମଲା ଗମ୍ଭୀର ହୋଇଥାଏ ତେବେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଭାରି ଜୋରିମାନା ଦେବାକୁ ପଡିଥାଏ।
Comments are closed.