ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର ।
ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପାଇଁ ପାଉନି ସାହସ। କାରଣ ଜୀବନକୁ ବାଜି ଲଗାଇ ଭରା ନଦୀ ପାର ହେବାକୁ ପଡ଼ିବ ହେଲେ ତଥାପି ଭାଙ୍ଗିନି ମନୋବଳ। ରୋଗୀକୁ ଖଟିଆରେ ବୋହି ନଦୀ ପାର୍ ହେଉଛନ୍ତି ଗାଁ ଲୋକେ । ଅଧା ପନ୍ତରୁଆ ପୋଲ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ଗାଁ ଲୋକେ । ରାୟଗଡ଼ାର ଖିଲିମିସ ଗୁଡା ଗାଁରେ ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ନଦୀ ସାଜିଛି ବାଧକ। ଗ୍ରାମର ସତ୍ୟ ବତି ମଣ୍ଡାଙ୍ଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଜେମଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖଟିଆରେ ନଦୀ ପାର କରାଇ ନେଇଥିଲେ । ପୂର୍ବରୁ ଅନେକ ସମୟରେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲକୁ ଆଣିଛନ୍ତି ନାଗାବଳୀ ନଦୀ କୂଳରେ ଥିବା ଏହି ଗ୍ରାମର ଲୋକେ । ତେବେ ଏହି ଦୃଶ୍ୟ ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
ଏବେ ଗାଁ ରେ ଝାଡାବାନ୍ତିରେ ଅନେକ ଲୋକ ଆକ୍ରାନ୍ତ ହୋଇ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀଙ୍କ ସହାୟତା ମିଳିପାରି ନାହିଁ । ପୋଲ ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମବାସୀ ଅନେକ ସମୟରେ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ତିଳେ ମାତ୍ର କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଯଦି ନିକଟରେ ବିଭାଗୀୟ ଅଧିକାରୀ ପୋଲ ନିର୍ମାଣ କରିବାରେ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।
Comments are closed.