ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ (ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ) ପର୍ଯ୍ୟନ୍ତ ପ୍ରାୟ ପନ୍ଦରଦିନ ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ ନିର୍ମିିତ ଅଣସର ଘରେ ସ୍ୱତନ୍ତ୍ର
ବ୍ୟବସ୍ଥା ମଧ୍ୟରେ ସ୍ଥାପନା କରାଯାଏ ଓ ଏହି ପକ୍ଷ ମଧ୍ୟରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳେନାହିଁ । ଏହି ସମୟରେ ତିନି ଠାକୁରଙ୍କ ସାଙ୍କେତିକ ଚିତ୍ର, ପୃଥକ ଭାବେ ସମ୍ପୃକ୍ତ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ । ଉକ୍ତ ଚିତ୍ରଗୁଡ଼ିକ ସାଧାରଣ ଧଳାକନା ବା ଧୋତିରେ ଖଡ଼ିଗୁଣ୍ଡ ଓ ତେନ୍ତୁଳି ମଣ୍ଡ ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପ୍ରସ୍ତୁତ କରାଯାଇଥିବା ପଟି ଉପରେ ଅଙ୍କିତ ହୋଇଥାଏ । ଉକ୍ତ ପଟିର ଆକାର ପ୍ରତ୍ୟେକଟି ସାଢେ ପାଞ୍ଚ ଫୁଟ ଉଚ୍ଚତା ଏବଂ ସାଢେ ଚାରି ଫୁଟ ଚଉଡ଼ା ବିଶିଷ୍ଟ ହୋଇଥାଏ । ଏଥିରେ ଅନନ୍ତ ବାସୁଦେବ, ଭୁବନେଶ୍ୱରୀ ଓ ଅନନ୍ତ ନାରାୟଣଙ୍କ ପ୍ରତିକୃତି ଯଥାକ୍ରମେ ବଳଭଦ୍ର, ସୁଭଦ୍ରା, ଓ ଜଗନ୍ନାଥଙ୍କ ପ୍ରତିନିଧି ସ୍ୱରୂପ ଅତି ସୁନ୍ଦର ଭାବରେ ପାରମ୍ପରିକ ଶୈଳୀରେ ଚିତ୍ର କରାଯାଇଥାଏ । ପାରମ୍ପରିକ ନିୟମ ଅନୁସାରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଢେଇ ପ୍ରଭୃତିରୁ ପ୍ରସ୍ତୁତ କଳା ଯଥାକ୍ରମେ ନାଲି, ହଳଦିଆ, ଧଳା ଓ କଳା ଆଦି ରଙ୍ଗ ପ୍ରସ୍ତୁତ କରାଯାଇ ଏହି ଚିତ୍ରର ଅଙ୍କନ କାର୍ଯ୍ୟ ସମାପନ କରାଯାଇଥାଏ । ଅଣସର ବେଳେ ଶ୍ରୀମନ୍ଦିରରେ ପୂଜିତ ଏହି ପଟିଦିଅଁଙ୍କଠାରୁ ଆଜି ଓଡ଼ିଶାର ପଟ୍ଟଚିତ୍ର ଶିଳ୍ପର ଉତ୍ପତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ପଟିଦିଅଁଙ୍କ ଅଙ୍କନ ସେବା ବ୍ୟବସ୍ଥା ଚିତ୍ରକାର ସଂପ୍ରଦାୟର ପ୍ରମୁଖ ପାରମ୍ପରିକ ସୌରଭ ବହନ କରେ । ପରମ୍ପରା ଅନୁସାରେ ଅଣସର ମଧ୍ୟରେ ଆଷାଢ଼଼ ଶୁକ୍ଳ (ରୁକୁଣା ହରଣ)ଏକାଦଶୀ ଦିନ ତିନି ବାଡର ଚିତ୍ରକାରମାନଙ୍କ ଘରେ ପଟିି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଥାଏ । ତା’ପରେ ଦ୍ୱାଦଶୀଠାରୁ ଅଙ୍କନ କାର୍ଯ୍ୟ ଆରମ୍ଭ ହୁଏ । ମାତ୍ର ସମୟର ସ୍ୱଳ୍ପତା ଦୃଷ୍ଟିରୁ ଚିତ୍ରକାରମାନେ ଶୀତଳ ଷଷ୍ଠୀଠାରୁ କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଏହି ଅବସରରେ ଚିତ୍ରକାର ପରିବାରର ପୁରୁଷମାନେ ହବିଷ ପାଳନ କରି ନିଷ୍ଠାର ସହ ପଟିଦିଅଁଙ୍କ ଚିତ୍ରାଙ୍କନ କାର୍ଯ୍ୟ କରିଥାଆନ୍ତି । ଚିତ୍ରରେ ନିୟମାନୁସାରେ ନକ୍ସା, ବର୍ଣ୍ଣ ବିନ୍ୟାସ, ଆୟୁଧ, ଅଳଙ୍କାର, ଧଡ଼ି, ପ୍ରଭୃତି ପରିବାରର ପୁରୁଖା ତଥା ଅଭିଜ୍ଞତା ସଂପନ୍ନ ଶିଳ୍ପୀଙ୍କ ଦ୍ୱାରା କରାଯାଇଥାଏ । ଏହି ଚିତ୍ରାଙ୍କନ ଅବସରରେ ତରୁଣ ଶିଳ୍ପୀମାନେ ମଧ୍ୟ ଉତ୍ସାହିତ ହୋଇ ସହଯୋଗ ମାଧ୍ୟମରେ ପଟି ଦିଅଁଙ୍କ ଅଙ୍କନ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିଥାଆନ୍ତି ଯାହା ଭବିଷ୍ୟତରେ ଉକ୍ତ ପରମ୍ପରାର ଧାରାକୁ ଚଳମାନ ରଖିବାରେ ସାହାଯ୍ୟ କରିଥାଏ ।
ପଟିଦିଅଁ (ଅଣସର ପଟି)ଙ୍କ ବିବରଣୀ:
ବଳଭଦ୍ର : ଅନନ୍ତ ବାସୁଦେବ ବା ଶେଷଦେବଙ୍କ ନାମରେ ପୂଜିତ । ଦେହବର୍ଣ୍ଣ-ଶୁଭ୍ର । ବସ୍ତ୍ର ନୀଳ ରଙ୍ଗ, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦା୍ମସନରେ ଏହି ରୂପ ଉପବିଷ୍ଟ । ଏହାଙ୍କ ପାଶ୍ୱର୍ଦେବତା: ବାମରେ ଇନ୍ଦ୍ର ତଥା ଦକ୍ଷିଣରେ ଶିବ ରହିବା ନିୟମ ରହିଛି । ଆୟୁଧ: ଉପର ବାମହସ୍ତ-ଶଙ୍ଖ, ଉପର ଦକ୍ଷୀଣ ହସ୍ତ- ଚକ୍ର ଓ ନିମ୍ନ ବାମ ହସ୍ତ -ହଳ, ନିମ୍ନ ଦକ୍ଷୀଣ ହସ୍ତରେ ମୁଷଳ ବିଦ୍ୟମାନ । ବେକରେ ଚମ୍ପା କଢ଼ି ମାଳ ଝୁଲିଥାଏ ।
ସୁଭଦ୍ରା: ଅନ୍ୟ ନାମ-ଯାଜ୍ଞସେନୀ ଏବଂ ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତା । ପଦା୍ମସନରେ ଉପବିଷ୍ଟ । ଦେହବର୍ଣ୍ଣ ପୀତ, ବସ୍ତ୍ର- ଶୁଭ୍ର ବର୍ଣ୍ଣରେ ସାମାନ୍ୟ ଛିଟ ରହିଥାଏ । ପାଶ୍ୱର୍ଦେବୀ-ଜୟା ଓ ବିଜୟା । ଆୟୁଧ-ଉପର ଦୁଇ ହାତରେ ପଦ୍ମ ରହିଥିବା ବେଳେ ତଳ ବାମହସ୍ତରେ ବରଦ ମୁଦ୍ରା ଓ ଦକ୍ଷିଣ ତଳ ହାତରେ ଅଭୟ ମୁଦ୍ରା ଅଙ୍କିତ ହୋଇଥାଏ । ବେକରେ ପଦ୍ମ କଢ଼ି ମାଳ ରହିଥାଏ । ମୁଖମଣ୍ଡଳରେ ସ୍ମିତହାସ୍ୟ ଫୁଟି ଉଠିଥାଏ ।
ଜଗନ୍ନାଥ: ପଦା୍ମସନରେ ଉପବିଷ୍ଟ ଏହି ରୂପ ଅନନ୍ତ ନାରାୟଣ ରୂପରେ ପୂଜିତ । ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ, ପାଶ୍ୱର୍ରେ ସପ୍ତଋଷି ବିଦ୍ୟମାନ । ଏହି ରୂପରେ ଆୟୂଧ ଭାବରେ ଉପର ବାମ ହାତରେ-ଶଙ୍ଖ, ଦକ୍ଷିଣରେ ଚକ୍ର ରହିଥିବାବେଳେ ନିମ୍ନ ବାମ ହାତରେ ଗଦା ଏବଂ ଦକ୍ଷିଣ ହସ୍ତରେ ପଦ୍ମ ଶୋଭା ପାଇଥାଏ । ଏହାଙ୍କ ବେକରେ ପଦ୍ମମାଳ ରହିଥାଏ ।
ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପ୍ରାୟତଃ ପଟିଦିଅଁଙ୍କ ଅଙ୍କନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସ୍ନାନ ପୂର୍ଣ୍ଣମୀ ଦିନ ଚିତ୍ରକାର ପରିବାରରେ ଏକ ଉତ୍ସବ ସମ୍ପନ୍ନ ହୋଇଥାଏ । ସଦ୍ୟ ଚିତ୍ରିତ ପଟିଦିଅଁଙ୍କୁ କାନ୍ଥରେ ଯତ୍ନର ସହ ଟଙ୍ଗା ଯାଇ ଦୀପ, ଧୂପ ତଥା ବନ୍ଦାପନା ସହ ଭୋଗ ଅର୍ପଣ କରାଯାଇଥାଏ ଏବଂ ବନ୍ଧୁବାନ୍ଧବ ତଥା ଭକ୍ତ ବିଶେଷଙ୍କ ଦର୍ଶନାର୍ଥେ ପ୍ରଦର୍ଶିତ ହୋଇଥାଏ । ସେହିଦିନ ସ୍ନାନ ବେଦୀରୁ ଶ୍ରୀଜୀଉମାନଙ୍କ ପହଣ୍ଡି ହେବା ପରେ ଶ୍ରୀମନ୍ଦିରରୁ ଆସିଥିବା ଶଙ୍ଖ, ବାଦ୍ୟ ଓ ବୀର କାହାଳୀର ଧ୍ୱନି ସହିତ ପୂଜାପଣ୍ଡା ସାମନ୍ତ ଚିତ୍ରକାର ଘରକୁ ଆସି ସେଠାରେ ପଟି ଦିଅଁଙ୍କୁ ପୂଜା ଭୋଗ ଅର୍ପଣ ସହିତ ବରଣ କରିଥାଆନ୍ତି । ତା’ପରେ ଏକ ମନୋଜ୍ଞ ପଟୁଆରରେ ସମ୍ପୃକ୍ତ ଚିତ୍ରକାର ପଟିଦିଅଁଙ୍କୁ ପାଟପତନୀରେ ସଯତ୍ନେ ଗୁଡ଼ାଇ ନେଇଯାଆନ୍ତି । ସିଂହଦ୍ୱାର ସ୍ଥିତ ଅରୁଣସ୍ତମ୍ଭ ନିକଟରେ ତିନି ବାଡ଼ର ପଟି ଏକତ୍ର ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ସ୍ନାନ ପୂର୍ଣ୍ଣମୀ ରାତ୍ରିରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ଅଣସର ଘରକୁ ପ୍ରବେଶ କରିବା ପରେ ଜୟବିଜୟ ଦ୍ୱାର ନିକଟସ୍ଥ ତାଟିରେ ପଟିଦିଅଁମାନଙ୍କୁ ଦରଜୀ ସେବକମାନଙ୍କ ଦ୍ୱାରା ରୁନ୍ଧା ଯାଇଥାଏ । ପଟିଦିଅଁମାନଙ୍କୁ କୌଣସି ପରିସ୍ଥିତିରେ ଭୂମିରେ ରଖାଯିବାର ବିଧି ନାହିଁ । ନୀତି ଅନୁସାରେ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଏହି ପଟିଦିଅଁମାନଙ୍କର ଦର୍ଶନ ମିଳିଥାଏ ଓ ନିୟମିତ ପୂଜା ବିଧି ସମ୍ପନ୍ନ କରାଯାଇ ସେହି ଦିନ ଓଲାଗି ହୋଇ ତାଟି ଫିଟା ଯିବା ପରେ ନବଯୌବନ ଦର୍ଶନ ସମ୍ପନ୍ନ ହୋଇଥାଏ । ନବକଳେବର ସମୟରେ ଦୀର୍ଘ ଦେଢ ମାସ ଧରି ଏହି ପଟ୍ଟି ଦିଅଁମାନେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିନଧି ଭାବେ ଅନ୍ୟ ଦେବଦେବୀଙ୍କ ସହ ଜଗମୋହନରେ ପୂଜିତ ହୋଇଥାନ୍ତି । ଏହାଙ୍କ ପଶ୍ଚାତ୍ଭାଗରେ ଅଣସର ପିଣ୍ଡିରେ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ ଅନୁଷ୍ଠିତ ହୋଇଥାଏ । ଏହି ପଟି ଦିଅଁମାନେ ଓଲାଗି ହେଲା ପରେ ସେ ଚିତ୍ରଗୁଡ଼ିକର ସଂରକ୍ଷଣ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ । ତେବେ ଶ୍ରୀମନ୍ଦିରର କୁର୍ମ ବେଢ଼ା ମଧ୍ୟରେ ଥିବା ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଚିତ୍ରଗୁଡ଼ିକ ପ୍ରଦର୍ଶିତ ହୋଇଥିବାର ଦେଖାଯାଏ ।
ପ୍ରକାଶଯୋଗ୍ୟ ଯେ ଓଡ଼ିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶହସ୍ରାଧିକ ଶ୍ରୀଜଗନ୍ନାଥ ମନ୍ଦିର ରହିଅଛି । ସେଥିମଧ୍ୟରୁ ଅନେକ ମନ୍ଦିରରେ ଅଣସର ନୀତି ପାଳନ କରାଯାଏ । ଏହି ଅବଧିରେ ଶ୍ରୀମନ୍ଦିରରେ ପୂଜିତ ପଟିଦିଅଁଙ୍କ ଅନୁରୂପ ଚିତ୍ର ପୂଜନ ପରମ୍ପରା ଅନୁସୃତ ହେଉଥିବାର ଜଣାଯାଏ । ଏଣୁ ବିଭିନ୍ନ ସ୍ଥାନରେ ପଟିଦିଅଁ ଚିତ୍ରଣ ଏକ ଗଣପରମ୍ପରାରେ ପରିଣତ ହୋଇଛି । ସୂଚନାଯୋଗ୍ୟ ବାଲେଶ୍ୱର ସହରରେ ଶିଳ୍ପୀ ତଥା କଳା ସଂସ୍କାରକ ଶ୍ରୀ କେଶୁ ଦାସଙ୍କ ଉଦ୍ୟମରେ ଗତ ଦଶ ବର୍ଷ ହେବ ପଟିଦିଅଁ ଚିତ୍ରଣ କାର୍ଯ୍ୟକ୍ରମ ଏକ ଉତ୍ସବ ଆକାରରେ ପାଳନ କରାଯାଉଛି । ଏଥିରେ ବହୁ ସଂଖ୍ୟକ ଶିଳ୍ପୀ ଯୋଗ ଦେଇ ସାମୁହିକ ଭାବରେ ବିଧି ଅନୁସାରେ ପଟିଦିଅଁମାନଙ୍କ ଚିତ୍ର କରି ଆଖପାଖର ବହୁ ଜଗନ୍ନାଥ ମନ୍ଦିରରେ ପୂଜନ ପାଇଁ ଯୋଗାଇ ଦିଆଯାଉଛି । କେଶୁ ଦାସଙ୍କ ଉଦ୍ୟମ ପ୍ରଶଂସନୀୟ ଏବଂ ଏହା ଆମ ରାଜ୍ୟର ପଟଚିତ୍ର ପରମ୍ପରାକୁ ପ୍ରସାରିତ କରିବାରେ ନିଶ୍ଚୟ ସହାୟକ ହେବ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.