Latest Odisha News

35 ମିନିଟ ଡେରିରେ ସିନେମା ଚାଲିବାରୁ ଫାଇନ, କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦର୍ଶକ

ନୂଆଦିଲ୍ଲୀ: PVR Cinemas, INOXକୁ ଜରିମାନା । ବେଙ୍ଗଳୁରୁର ଖାଉଟି ଅଦାଲତ PVR Cinemas, INOX ଉପରେ ୬୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଷେକ ଏମ୍. ଆର୍. ନାମକ ଜଣେ ୩୦ ବର୍ଷୀୟ ଯୁବକ, PVR Cinemas, INOX ଏବଂ BookMyShow ବିରୋଧରେ ଅଦାଲତ ଯାଇଥିଲେ । ୨୦୨୩ରେ ଅଭିଷେକ ବୁକ୍ ମାଇଁ ସୋ’ ଜରିଆରେ ଟିକେଟ୍ କରି ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଅପରାହ୍ନ ୪ଟା ୫ରେ ଆରମ୍ଭ ହେବ ବୋଲି ଟିକେଟରେ ଉଲ୍ଲେଖ ଥିଲା । କିନ୍ତୁ ଆରମ୍ଭ ହେଲା ସାଢ଼େ ୪ଟାରେ । ୪ଟା ୫ ମିନିଟରୁ ସାଢ଼େ ୪ଟା ଯାଏଁ ଖାଲି ବିଜ୍ଞାପନ ଚାଲିଲା । ଯାହାକୁ ନେଇ ଦର୍ଶକ ବିରକ୍ତି ଅନୁଭବ କରିଥିଲେ ।

ଫିଲ୍ମ ଦେଖି ସାରିବା ପରେ ଅଭିଷେକଙ୍କର ଆଉ କିଛି ଗୁରୁତ୍ବପୂର୍ଣ୍ଣ କାମ ଥିଲା । ତେବେ ଫିଲ୍ମ ବିଳମ୍ବରେ ଆରମ୍ଭ ହୋଇଥିବାରୁ ବିଳମ୍ବରେ ସରିଲା । ଅଭିଷେକ ତାଙ୍କ ଗୁରୁତ୍ବପୂର୍ଣ୍ଣ କାମ କରିପାରି ନଥିଲେ । ଯାହା ତାଙ୍କୁ ମାନସିକ ସ୍ତରରେ ବହୁ ଅସନ୍ତୋଷ ଏବଂ ଟେନସନ୍ ଦେଇଥିଲା । ଯେଉଁଥି ପାଇଁ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସେ । ସମୟ ହିଁ ଟଙ୍କା ବୋଲି ମାମଲାର ଶୁଣାଣି ବେଳେ କହିଥିଲେ ଖାଉଟି ଅଦାଲତ । ତେଣୁ ଅଭିଷେକଙ୍କୁ ୬୫ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କୁ ସଚେତନ କରିବାକୁ କିଛି ସରକାରୀ ବିଜ୍ଞାପନ ଚାଲୁ କରିବାକୁ ଆଇନଗତ ବାଧ୍ୟବାଧକତା ଥିବା ଯୁକ୍ତି ବାଢ଼ିଥିଲା PVR Cinemas, INOX । ଯାହା ଅଗ୍ରାହ୍ୟ କରି ଦେଇଛନ୍ତି କୋର୍ଟ । ସେପଟେ BookMyShow ଏକ ଟିକେଟ୍ ପ୍ଲାଟଫର୍ମ ଥିବାରୁ ତାକୁ ଦଣ୍ଡିତ କରି ନାହାନ୍ତି ଖାଉଟି ଅଦାଲତ ।

Comments are closed.