Latest Odisha News

BREAKING NEWS

ପୃଥିବୀକୁ କେବେ ହେଲେ ଆସିନାହାନ୍ତି ଏଲିଅନ: ପେଣ୍ଟାଗନ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର “କୋଇ ମିଲ ଗୟା” ତ ସମସ୍ତେ ଦେଖିଥିବେ ନିଶ୍ଚୟ । ଚଳଚ୍ଚିତ୍ରରେ ଏକ ଏଲିଅନ ପୃଥିବୀ ପୃଷ୍ଠକୁ ଆସି ଅନେକ ଅସମ୍ଭବ କାର୍ଯ୍ୟକୁ ଚୁଟକି ରେ ସମ୍ଭବ କରିଦେଇଥିଲା । ଚଳଚ୍ଚିତ୍ରକୁ ଦେଖି ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ତ ନିଶ୍ଚୟ ଆସିଥିବ । କ’ଣ ସତରେ ପୃଥିବୀକୁ କେବେ ଏଲିଅନ ଆସିଛନ୍ତି? ଏହାକୁ ନେଇ ଅନେକ କ୍ଷେତ୍ରରେ ଲାଗି ରହିଥିବା କଳ୍ପନାଜଳ୍ପନାକୁ ନେଇ ସ୍ପଷ୍ଟ ମତ ଦେଇଛି ଆମେରିକାର ପେଣ୍ଟାଗନ । ପୃଥିବୀକୁ ଆଜି ପର୍ଯ୍ୟନ୍ତ କେବେ ହେଲେ ଏଲିଅନ ବା ଅନ୍ୟ କୌଣସି ଗ୍ରହର ପରଜୀବୀ ଆସିନାହାନ୍ତି ବୋଲି କହିଛି ପେଣ୍ଟାଗନ୍ ।

ସୂଚନା ଅନୁସାରେ, ହଜାରେ ବର୍ଷ ପୂର୍ବରୁ ଏଲିଅନମାନେ ପୃଥିବୀ ପୃଷ୍ଠ ପରିକ୍ରମା କରି ଆସୁଛନ୍ତି ବୋଲି ପୃଥିବୀର ମହାକାଶ ବିଜ୍ଞାନୀମାନଙ୍କର ଯେଉଁ ଧାରଣା ଥିଲା ସେଥିରେ ଗୋଟେ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛି ପେଣ୍ଟାଗନ୍ । ତେବେ ୧୯୬୦ ମହିହାରେ ଆମେରିକାର ଆକାଶରେ ଅନେକ ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଏହା ଏଲିଅନଙ୍କ ୟୁଏଫଓ ହୋଇଥିବା ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ଅନେକ ସମୟରେ ବିଭିନ୍ନ ଦେଶର ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଏହା ଉପରୁ ପରଦା ଉଠାଇଛି ପେଣ୍ଟାଗନ । ପେଣ୍ଟାଗନ କହିଛି ଯେ, ଏହି ଉଡନ୍ତା ବସ୍ତୁ କୌଣସି ଏଲିଅନଙ୍କ ୟୁଏଫଓ ନୁହେଁ ବରଂ ଆମେରିକା ପ୍ରତିରକ୍ଷା ବିଭାଗର ଏକ ଗୁପ୍ତଚର ବିମାନ । ଏବେ ସୁଦ୍ଧା ଏଲିଅନଙ୍କ ପୃଥିବୀ ସହ ସମ୍ପର୍କ ସ୍ଥାପନା ନେଇ କୌଣସି ସଠିକ୍ ତଥ୍ୟ ମିଳିନାହିଁ । ତେଣୁ ଏବେ ପୃଥିବୀକୁ ଏଲିଅନ ଆସିଛନ୍ତି କି ନାହିଁ ତାହା ସ୍ପଷ୍ଟ କରାଯାଇପାରିବ ନାହିଁ ବୋଲି କହିଛି ପେଣ୍ଟାଗନ୍ । ତେବେ ଅନ୍ୟ ଦେଶମାନଙ୍କରେ ଦେଖାଯାଇଥିବା ୟୁଏଫଓ ଘଟଣା ନେଇ ଏଯାବତ୍ କୌଣସି ତଥ୍ୟ ଦେଇନାହିଁ ଆମେରିକା ପ୍ରତିରକ୍ଷା ବିଭାଗ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବୈଜ୍ଞାନିକମାନଙ୍କୁ ଦୁଇ ବିଚିତ୍ର ଶରୀରଧାରୀଙ୍କ ଦେହାବଶେଷ ମିଳିଥିଲା, ଯାହା ପୃଥିବୀ ପୃଷ୍ଠର ନୁହେଁ ବୋଲି ଆପାତତଃ ଅନୁସନ୍ଧାନକାରୀ ବୈଜ୍ଞାନିକମାନେ ଦୃଢ଼ୋକ୍ତି କରିଥିଲେ । ସେମାନଙ୍କ କହିବା ଅନୁଯାୟୀ, ଏଲିଅନମାନେ ପୃଥିବୀ ପୃଷ୍ଠରେ ଓହ୍ଲାଇଛନ୍ତି। କିନ୍ତୁ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି। ଯଦି ସେମାନଙ୍କୁ ନେଇ ଆସୁଥିବା ଯାନ ଦୁର୍ଘଟଣାଗ୍ରସ୍ତ ହୋଇଥା’ନ୍ତା ତେବେ ଯାନର ଧ୍ୱଂସାବଶେଷ ମଧ୍ୟ ମିଳିଥା’ନ୍ତା। କିନ୍ତୁ ଏଲିଅନଙ୍କର ଅକ୍ଷତ ଦେହାବଶେଷ ମିଳିଥିବାରୁ ସେମାନେ ପୃଥିବୀ ପୃଷ୍ଠରେ ଓହ୍ଲାଇଥିବା ଧାରଣା ଆପାତତଃ ବଢିଛି । ଏନେଇ ମେକ୍ସିକୋ ସଂସଦରେ ନିକଟରେ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ଏଲିଅନ୍‌‌ମାନେ ଭୂପୃଷ୍ଠରେ ଅବତରଣ କରିଥିଲେ।

Leave A Reply

Your email address will not be published.