Latest Odisha News

BREAKING NEWS

ଭରା ନଈରେ ଯାତାୟାତ କରୁଛନ୍ତି ଲୋକେ, ବାଜିରେ ଲାଗୁଛି ଶହ ଶହ ଜୀବନ

ନୂଆପଡା: ଗମନାଗମନର ସମସ୍ୟା । ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କଲେ । ହେଲେ ହୋଇପାରିଲାନି ରାସ୍ତା କି ବ୍ରିଜ୍ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଲୋକଙ୍କ ବାଟ ଓଗାଳୁଛି ଅଇରୀ ନଦୀ । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ସ୍ଥିତି ବେହାଲ ହୋଇପଡୁଛି । ବର୍ଷା ଦିନରେ ଭରା ନଦୀରେ ପାର ହୋଇ ବାଜିରେ ଲାଗୁଛି ଶହ ଶହ ଜୀବନ । ଏଭଳି ଖବର ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରୁ ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବଡ଼ମୂଳା ଗାଁ ନିକଟରେ ଯାଇଛି ଅଇରୀ ନଦୀ । ଆଉ ଏଇ ନଦୀ ଦେଇ ନୀତିଦିନ ଯାତାୟାତ କରୁଛନ୍ତି ଶହ ଶହ ଲୋକ । କିନ୍ତୁ ନଦୀ ପାର ହେଲା ବେଳେ ମନରେ ଥାଏ ଅଜସ୍ର ଭୟ । ଅନ୍ୟ ଋତୁରେ ଚଳିଯାଉଥିଲେ ମଧ୍ୟ ବର୍ଷା ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ନୀତିଦିନ ଏହି ଭଳି ପ୍ରଖର ସ୍ରୋତ ରେ ଯାତାୟାତ କରିବାକୁ ପଡେ ସ୍ଥାନୀୟ ଲୋକଙ୍କୁ ।   ଖଡ଼ିଆଳ ବ୍ଲକ ବଡମୁଲା ଅଇରୀ ନଦୀରେ ସେତୁ ନିର୍ମାଣ ହେବାର ଥିଲା ହେଲେ ଗାଁର ତଳ ମୁଣ୍ଡରେ ଏକ ସେତୁ ନିର୍ମାଣ ହୋଇଛି । ତେଣୁ ଏହି ନଦୀର ମୁଡ଼ା ଘାଟରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବୀ କରୁଛନ୍ତି ଲୋକେ । ଏହି ନଦୀ ପାର ହୋଇ ସୀମାନ୍ତ ବଲାଙ୍ଗୀର ଜିଲ୍ଲାର ଅନେକ ଗାଁର ଲୋକେ ଯାତାୟାତ କରିଥାନ୍ତି । ଖଡ଼ିଆଳକୁ ଯିବାକୁ ହେଲେ ଅନ୍ୟତ୍ର ରାସ୍ତା ଅଛି ମାତ୍ର ତାହା ବହୁତ ବାଟ ହେଉଥିବାରୁ ମୁଡ଼ା ଘାଟରେ ବିଜୁ ସେତୁ ଟିଏ ନିର୍ମାଣ ହେଲେ ବହୁତ କମ ସମୟ ରେ ଖଡ଼ିଆଳ ସହରକୁ ହେବ ବୋଲି କହିଛନ୍ତି ଅଞ୍ଚଳ ବାସି । ତେଣୁ ଶୀଘ୍ର ଅଇରୀ ନଦୀ ମୁଡ଼ା ଘାଟ ଠାରେ ସେତୁ ନିର୍ମାଣ ପାଇଁ ଦାବୀ କରିଛନ୍ତି ଲୋକେ । ସେପଟେ ଆବଶ୍ୟକ ଅନୁସାରେ ଆଗାମୀ ଦିନରେ ପ୍ରସ୍ତାବ ଦିଆଯିବ ବୋଲି ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.