ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କଲା ପରିବହନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ନିଷ୍ପତ୍ତିରୁ ଓହରିଛି ବିଭାଗ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯାହା ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଅଟେ ।
ହାଇକୋର୍ଟ କହିଛନ୍ତି ଯେ, ଯଦି କୌଣସି ଗାଡ଼ିର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଛି, ତଥାପି ସେମାନଙ୍କୁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର କାହାର ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ ବାଧ୍ୟ କରିପାରିବେ ନାହିଁ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ‘ବାହନ’ ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଗାଡ଼ି PUCC ସମ୍ପର୍କିତ ମାମଲା ଶୁଣାଇ ହାଇକୋର୍ଟ ହୋଇଛି । ଶୁଣାଣି ବେଳେ ତେଲ ନମିଳିବା ନିଷ୍ପତ୍ତିକୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ପ୍ରତ୍ୟାହୃତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ଗାଡ଼ିରେ ପ୍ରଦୂଷଣ କାଗଜପତ୍ର ନଥିଲେ ସେମାନଙ୍କୁ ପେଟ୍ରୋଲ୍ କିମ୍ବା ଡିଜେଲ ମିଳିବ ନାହିଁ । ଏନେଇ ରାଜ୍ୟ ପରିବହନ ବିଭାଗ ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ଚିଠି ମଧ୍ୟ କରିଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିରେ ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯କୁ ଉଲ୍ଲଙ୍ଘନ କରାଯାଇଛି ବୋଲି ଚ୍ୟାଲେଞ୍ଜ ଆବେଦନରେ ଉଲ୍ଲେଖ କରାଯାଇଥିଲା ।