ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକିଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର କାରଣ )ନିତ୍ୟ ପୁରୁଷଙ୍କର ସୁକ୍ଷ୍ମ ରୂପ ତେଣୁ ଉଭୟ ନିତ୍ୟ (ଅକ୍ଷର ପୁରୁଷ )ଓ ଅନିତ୍ୟ (କ୍ଷର ସଂସାର )ଗୋଟିଏ ସତ୍ତାର ଦୁଇଟି ସ୍ୱରୂପ ମାତ୍ର ସେଥିପାଇଁ କୁହାଯାଏ “ଜଗଦାନନ୍ଦ କନ୍ଦାୟ ପ୍ରଣତାତ୍ରିହରାୟ ଚ, ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ ।”
ବୋଧହୁଏ ଏହି କାରଣରୁ ଅନିତ୍ୟ ଜଗତକୁ ନିତ୍ୟ ଜଗନ୍ନାଥଙ୍କ ସହ ସବୁବେଳେ ଯୋଡି କୁହାଯାଏ ଜଗତ ନାଥ ଜଗନ୍ନାଥ, ଆଉ ସୃଷ୍ଟି ଓ ସ୍ରଷ୍ଟାଙ୍କୁ ଏକ ବା ଅଭିନ୍ନ ବୋଲି ବିବେଚନା କରାଯାଏ । ସ୍ରଷ୍ଟାର ପରିଦୃଶ୍ୟମାନ ଅଂଶଟିକୁ ସୃଷ୍ଟି ବୋଲି ବିବେଚନା କରାଯାଏ । ପ୍ରତି ବ୍ୟଷ୍ଟି ହିଁ ତାଙ୍କ ସମଷ୍ଟି ପ୍ରଭୁଙ୍କର ପରା ପ୍ରକୃତିକୁ ବ୍ୟଷ୍ଟି ବୋଲି ଓ ଅପାର ପ୍ରକୃତିକୁ ସମଷ୍ଟି ବୋଲି ବିବେଚନା କରାଯାଏ । ଏସବୁ ଅଡୁଆ ତଡୁଆ ତତ୍ତ୍ୱ ଭଳି ପ୍ରତୀୟମାନ ହେଲେ ମଧ୍ୟ ପୁରୁଷୋତ୍ତମଜଗନ୍ନାଥଙ୍କୁ ଜାଣିବା ବା ସଠିକ ଭାବରେ ଅନୁଭବ କରିବାପାଇଁ ଏହି ଜ୍ଞାନର ଆବଶ୍ୟକତା ଅଛି । ସେଥିପାଇଁ କୁହାଯାଏ ପ୍ରଭୁଜଗନ୍ନାଥଙ୍କୁ ଥରେ ବୁଝିଗଲେ, ଦୁନିଆରେ ଆଉ କିଛି ଜାଣିବାକୁ ବାକି ରହେନି । ଯଥା ଯସ୍ମିନ ବିଜ୍ଞାତେ ସର୍ବମିଦଂ ବିଜ୍ଞାତମ ଭବତୀ (ଉପନିଷଦ ବାକ୍ୟ ) । ଏବେ କୁହନ୍ତୁ ତ ଶ୍ରୀଜଗନ୍ନାଥ ନିତ୍ୟ, ଅନିତ୍ୟ ନା ନିତ୍ୟାନିତ ।
ଜୟ ଜଗନ୍ନାଥ
Comments are closed.