ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଶେଷ ସ୍ୱରୂପ ମାଧବ, ସ୍ୱୟଂ ଜଗନ୍ନାଥଙ୍କୁ ମାଧବ ରୂପେ ନାମିତ କରାଯାଇ ନଥିଲେ ମଧ୍ୟ ରତ୍ନସିଂହାସନରେ ଯେଉଁ ସପ୍ତାବରଣ ମୂର୍ତ୍ତି ପୂଜା ପାଉଛନ୍ତି, ସେମଧ୍ୟରେ ମାଧବ ହେଲେ ପ୍ରଧାନ। କୁହାଯାଏ ଠିକ ଜଗନ୍ନାଥଙ୍କ ରୂପ ଧାରଣ କରି କ୍ଷୁଦ୍ଦାର ବି ମୂର୍ତ୍ତି ହେଲେ ମାଧବ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାମପାର୍ଶ୍ଵରେ ବିରାଜିତ ଥାନ୍ତି । ସମୟ ସମୟରେ ମଦନମୋହନ ଓ ରାମକୃଷ୍ଣଙ୍କ ପରି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ହିସାବରେ ମାଧବ ମଧ୍ୟ ପୂଜିତ ହୁଅନ୍ତି । କିନ୍ତୁ ପ୍ରସିଦ୍ଧ ରଥଯାତ୍ରା ସମୟରେ ଚତୁର୍ଦ୍ଧl ମୂର୍ତ୍ତି ରତ୍ନ ସିଂହାସନ ଛାଡି ଯାଉଥିଲା ବେଳେ, ମାଧବ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଭାବରେ ରତ୍ନ ସିଂହାସନରେ ବିଜେ କରିଥାନ୍ତି ।
ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିବା ପ୍ରତିଶୃତି ପ୍ରକାରେ ଶ୍ରୀମନ୍ଦିରର ରତ୍ନ ସିଂହାସନ ଶୂନ୍ୟ ରହେନି। ତେବେ ଏ ମାଧବଙ୍କ କଥା ଚିନ୍ତା କଲେ ଆଉ ଜଣେ ମାଧବଙ୍କ କଥା ମନେପଡେ, ସ୍କନ୍ଦ ପୁରାଣର ବିଶେଷ ଚର୍ଚ୍ଚାର ଠାକୁର “ନୀଳମାଧବ “. ଅବଶ୍ୟ ଦାରୁବ୍ରହ୍ମଙ୍କ ଆବିର୍ଭାବ ପୂର୍ବରୁ ପରଂବ୍ରହ୍ମ ସ୍ୱରୂପରେ ମଣି ବିଗ୍ରହ (ନୀଳମାଧବ )ନୀଳାଚଳରେ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ହେଉଥିଲେ । ଏହା ବ୍ରହ୍ମlଙ୍କର ପ୍ରଥମ ପରାର୍ଦ୍ଧ ବୋଲି ଧରାଯାଏ ଏବଂ ଦ୍ଵିତୀୟ ପରାର୍ଦ୍ଧ ଅର୍ଥାତ ସପ୍ତମ ମନ୍ୱନ୍ତରର ଦ୍ଵିତୀୟ ସତ୍ୟଯୁଗରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ହୋଇଥିଲା ।
ମହାପୁରୁଷ ବିଦ୍ୟା ନାମକ ଶାସ୍ତ୍ରରେ ତେଣୁ କୁହାଯାଏ :
ପ୍ରଥମ ପରାରଧେ ବ୍ରହ୍ମନୀଲେନ୍ଦ୍ରିମଣି ବିଗ୍ରହଃ, ଏବଂ ଗତେ ପରାର୍ଦ୍ଧତୁ ଦାରୁଦେହଧରଂ ପରମ। “ତତ୍ତ୍ୱ ଅନୁସାରେ ମାଧବ ହେଲେ ମା +ଧବ, ଅର୍ଥାତ ମା (ମାତୃଶକ୍ତି )ଙ୍କ ଧବ (ସ୍ୱାମୀ ବା ଈଶ୍ୱର ) । ଯଦି ସାରା ଜଗତରେ ତତ୍ତ୍ୱତଃ ଏକମାତ୍ର ପୁରୁଷ ହେଲେ ଶ୍ରୀଜଗନ୍ନାଥ (ପରଂବ୍ରହ୍ମ ), ତେବେ ତାଙ୍କରି ଅଂଶ ଶକ୍ତି ସ୍ୱରୂପ ହେଲେ ମାଧବ (ବ୍ରହ୍ମ ରୂପୀ ) । କିନ୍ତୁ ନୀଳମାଧବ ସ୍ୱୟଂ ପରଂବ୍ରହ୍ମ ଏବଂ କେହି କେହି ଶିଳାବ୍ରହ୍ମହିସାବରେ ମଧ୍ୟ ବିବେଚନା କରନ୍ତି । ଏଭଳି ମଧ୍ୟ କୁହାଯାଏ ମାୟାଶକ୍ତି ବା ଶରୀର ମଧ୍ୟରେ ଥିବା କୁଣ୍ଡଳିନୀ ଶକ୍ତିର ଯେ ଅଧିକାରୀ ସେ ମାଧବ । ସେଯାହା ବି ହେଉ ମାଧବ ଉଭୟ ପୁରୁଷ ଓ ନାରୀ ଶକ୍ତିର ଅଧିକାରୀ ଏବଂ ସଦା ଜାଗ୍ରତ ପରମ ଶକ୍ତି । ସୃଷ୍ଟିର ସଂଚାର ପାଇଁ ମାଧବ ଶକ୍ତି ର ପ୍ରୟୋଜନ ଏକାନ୍ତ ଆବଶ୍ୟକ।
ସେଥିପାଇଁ ବୋଧେ ନୀଳମାଧବ (ଶିଳାବ୍ରହ୍ମ)ଙ୍କୁ ଅତ୍ୟନ୍ତ ଜୀବନ୍ତ ଠାକୁର ଭାବରେ ଚିତ୍ରଣ କରାଯାଇଛି । ଶବର ରାଜା ବିଶ୍ୱାବସୁଙ୍କ ସହ ମାନବୀୟ ଲୀଳାରେ ସେ ମଜ୍ଜି ଥିବାର ଦୃଶ୍ୟ ବିଭିନ୍ନ ମାଧ୍ୟମରେ ଆମ ଦୃଷ୍ଟିକୁ ଆସିଥାଏ । ଏହା ଅବଶ୍ୟ ଶବର ରାଜା ବିଶ୍ୱାବସୁ ଙ୍କର ପlରବ୍ଧ ପୁଣ୍ୟ ଫଳ ହୋଇ ପରେ । କିନ୍ତୁ ପ୍ରଭୁ ନୀଳମାଧଵ ଙ୍କ ଅପୂର୍ବ ଲୀଳାକୁ ବି ଅସ୍ବୀକାର କରାଯାଇ ପାରିବନି । ହୁଏତ ସେହି ଲୀଳାର ପାରମ୍ପରିକ ଧାରା ଶ୍ରୀଜଗନ୍ନାଥଙ୍କ ଲୀଳାରେ ମଧ୍ୟ ଦୃଷ୍ଟି ଗୋଚର ହୁଏ ; ଯାହାକୁ ଆମେ ଶ୍ରଦ୍ଧାରେ କହୁ “ଲୋକବତ ତୁ ଲୀଳା କୈବଲ୍ୟଂ। ” ପୁଣି ପ୍ରଭୁ ନୀଳମାଧବଙ୍କ ବିଷୟରେ ଆଲୋଚନା କରିବା, ଏବେ ପ୍ରାର୍ଥନାର ସମୟ ।
“ଯଦୁନସା ନ ମନୁତେ ଯେନାଦୁର୍ମନୋ ମତମ, ତଦେବ ବ୍ରହ୍ମ ତ୍ବଂ ବିଦ୍ଧି ନେଦଂ ଯଦିଦମୁପlସତେ। “.
ଅର୍ଥାତ ଯାହାଙ୍କୁ ମନ ଦ୍ୱାରା ମନନ କରାଯାଏ ନାହିଁ, ବରଂ ଯାହାଦ୍ୱାରା ବା ଯିଏ ଥିବାରୁ ମନ ମନନ ଚିନ୍ତନ କରେ, ସେହିଁ ବ୍ରହ୍ମ ।
ଜୟ ଜଗନ୍ନାଥ (ଦ. ତ୍ରୀ ଉବାଚ )
Comments are closed.