ଧାରାବାହିକ ଉପନ୍ୟାସ : ଦେବୀ (୪୩)

0
15

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୩

ସେଦିନ ବାପାଙ୍କଠାରୁ ଆସ୍ତିପଦ ଶୁଣି ବୋଉ ଦିନେ ଏକ ବର୍ଷଣ ମୁଖର ସନ୍ଧ୍ୟାରେ ବିନୟ ଭାଇ ହାତରେ ଦେବ ଭାଇଙ୍କୁ ଡକେଇ ପଠେଇଥିଲା। ବିନୟ ଭାଇ ତାଙ୍କୁ ଘରେ ଛାଡ଼ିଦେଇ ଚାଲିଗଲେ ଚେସ୍ ଖେଳିବାକୁ। ଠିକ୍ ଏତିକିବେଳେ ହିଁ ବର୍ଷା ପଡ଼ିବା ସହ ହାଲ୍କା ପବନ ହେଲା। ଦେବ ଭାଇ ଆସି ସେ ପଢୁଥିବା ଘର ଭିତରେ ବସିଲେ। ବୋଉ ଚାଲିଗଲା ରୋଷେଇ କରିବାକୁ। ଦେବୀ ଆଗରେ ଥୁଆ ହୋଇଥିବା ନିଦାବିଷ୍ଣୁ ଲଣ୍ଠନ ପବନରେ ଚହଲି ଉଠୁଥିଲା। ଦେବୀ ତଳକୁ ମୁହଁ କରି ବସି ଅଙ୍କ କଷୁଥିଲା।

ଦେବ ଭାଇ ବଡ ବିଚିତ୍ର ଲୋକ। ଉପରୁ ଭପରୁ ଜଣା ପଡନ୍ତି ସତେ ଯେମିତି ଖୁବ୍ ରାଗି। ହେଲେ ଭିତରୁ ଭିତରୁ ତାଙ୍କ ପରି କେହି ନାହାନ୍ତି। ତାଙ୍କ କଥାରେ ଏକ ଯାଦୁ ଥାଏ। ସେ ନିମିଷକରେ ସମସ୍ତଙ୍କୁ ବଶ କରି ପାରନ୍ତି। ତାଙ୍କ ହସ ଯେମିତି ଏକ ଫାଶ ।ଥରେ ପଡ଼ିଲେ ଆଉ ବାହାରିବା ଅସମ୍ଭବ।

ଦେବୀ ମନେମନେ ସେ ଫାଶରେ ପଡ଼ିବାକୁ ଇଚ୍ଛା କରେ। ତା କୁମାରୀ ମନରେ ଦେବ ଭାଇଙ୍କୁ ନେଇ କେତେ କଥା ଲେଖିହୋଇଯାଏ । ତାକୁ ଲାଗେ ସେ ଧନ୍ୟ ହୋଇଯାଇଛି। ତା ଭଳି ସୁଖି ମଣିଷ ଆଉ କେହି ନାହିଁ। ତା ପାଦ ଆଉ ମାଟିରେ ଲାଗେନା। ସେ ମନ ସହିତ ସଚରାଚର ପୃଥିବୀ ବୁଲିଯାଏ।

ଦେହରେ ଫୁଲମାନଙ୍କ ରଙ୍ଗ ବୋଳି ଦେବ ଭାଇଙ୍କୁ ପ୍ରଜାପତି କରାଏ। ଆଉ କେତେବେଳେ ନିଜକୁ ଭସେଇ ଦିଏ ପ୍ରେମର ବହମତି ନଈରେ।

ବର୍ଷା ହେଲା ବୋଧେ। ବୋଉ ଚାଲିଗଲା ଆର ଘରକୁ। ଏକ ଅବିଶ୍ୱାସୀ ଅନ୍ଧାର ଭିତରେ ବସିଥିଲେ ଦେବ ଭାଇ ଆଉ ଦେବୀ। କେବଳ ମିଛ ଭିତରେ ସତ ପରି ନିଷ୍ପ୍ରଭ ଆଲୋକଦାୟୀ ଲଣ୍ଠନଟି ଜଳୁଥିଲା।

କ’ଣ ପଢ଼ୁଛୁ?

ନିସ୍ତବ୍ଦ ପୃଥିବୀରେ ପ୍ରଥମ ଶବ୍ଦପାତ ପରି ଦେବୀ ଶୁଣିଲା ଦୁଇଟି ଶବ୍ଦ। ସେ ଶବ୍ଦ ଦୁଇଟିରେ ଅୟୁତ ଯୁଗର ନିରବତାକୁ ଭାଙ୍ଗି ଗୋଟିଏ ପୃଥିବୀକୁ ନିଦରୁ ଉଠେଇବା ପାଇଁ ଇପ୍ସିତ ଶକ୍ତି ଥିଲା। ଦେବୀ ପାଟିରେ କିଛି ଭାଷା ସ୍ପୁରିଲା ନାହିଁ।

ଆରେ ପଚାରୁଛି ପରା । କେଉଁ ବିଷୟ ପଢ଼ୁଛୁ।

ଦେବଭଇ ଆଉଥରେ ପ୍ରଶ୍ନ କଲେ ।ଏ ଇ ପ୍ରଶ୍ନ ଭିତରେ ଲୁଚିରହିଥିଲା ଗୋଟେ କୁଆଁରୀ ହୃଦୟ ଭିତରେ ପଶିବାର ଚୁକ୍ତିପତ୍ର।
କ୍ରମଶଃ……