Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୫
ମୁଁ ଭାବୁଛି ସୁକାନ୍ତି ସହ ମୁଁ ନିଜେ ଯିବି । ତାକୁ ନେଇ ଛାଡ଼ି ଆସିବି ତା’ ବାପଘରେ । ଏ ଭିତରେ ସେ ମୋ ସହ ବହୁତ କ୍ଲୋଜ ହେଇସାରିଲାଣି । ସେ ଗଲେ ତ’ ଭଲ ଲାଗିବନି , କିନ୍ତୁ ତା’ ସୁରକ୍ଷା ଆଗ ।
ଯିବା ଆସିବା ଦୁଇଦିନ ଲାଗିବ । ଲାଗୁ । ତା’ର ଏମିତି ଅବସ୍ଥାରେ ମୁଁ ନିଜେ ନେଇ ଛାଡ଼ି ଆସିଲେ ହିଁ ସୁରକ୍ଷିତ ଲାଗିବ, ଆଉ ମତେ ଶାନ୍ତି । ରଘୁବୀର ନ’ ଯାଉ । ବରଂ କିଛି ଦିନ ପରେ ଯିବ । ତୁମେ କ’ଣ କହୁଛ କୁମାର?
ଚିନ୍ତିତ ହେଇପଡିଲା କୁମାର । ସେ ଡ଼୍ରାଇଭରକୁ ନେଇ ଏକା ଯିବେ । ଗଲା ବେଳେ ସୁକାନ୍ତି ଥିବ, ଫେରିବା ବେଳେ ଏକୁଟିଆ ହେଇଯିବେ । ତାଙ୍କ ଅବସ୍ଥା ଏବେ ଭଲ ନାହିଁ । ମାନସିକ ଭାବେ ଠିକ୍ ନାହାନ୍ତି । ଡ଼କ୍ଟରଙ୍କ କହିବା ମୁତାବକ ତାଙ୍କ ପାଖରେ ନିହାତି ଜଣେ ରହିବା ଦର୍କାର । କେମିତି ହବ? କେମିତି
ବୁଝେଇବ ତାଙ୍କୁ ।
ନାଇଁ ମୁଁ ସେ କଥା କହୁନି, ମାନେ ସୁକାନ୍ତି ଗାଁ’ ରେ କ’ଣ ଏ ସହର ପରି ସୁବିଧା ଥିବ? ମେଡ଼ିକାଲ ସୁବିଧା? ରଘୁବୀର କ’ଣ ବୁଝୁନି? ଏଠି ରହୁନି!
ସବୁ ସୁଖ, ଆଉ ସୁବିଧା ହସ୍‌ପିଟାଲ୍‌ରୁ ମିଳେନା । କେବଳ ଯେ’ ସହରରେ ମିଳେ, ତା’ ବି ନୁହେଁ । ଏମିତି କିଛି ସମୟ ଥାଏ, ଯେବେ ଆପଣାର ମିଣିଷ ହିଁ ବେଶୀ ଲୋଡ଼ା ପଡେ । କୈଣସି ମେଡ଼ିକାଲ,  ମେଡ଼ିସିନ ଓ ଡ଼କ୍ଟରଠାରୁ ବି ଶକ୍ତିଶାଳୀ ହେଇପାରେ ସେ’ ପରଶ । ଜୀବନର ଏମିତି କିଛି ମୁହୁର୍ତ୍ତ ଥାଏ, ଯେଉଁଠି ନିଜର ମିଣିଷ ଓ ଆତ୍ମୀୟତା ଥିଲେ, କଷ୍ଟ ସବୁ ପାଣିଫୋଟକା ପରି ମିଳେଇଯାଏ ।
ସେ ତା’ ବୋଉ ପାଖକୁ ଯିବ ପରା । ଏମିତି ବେଳେ, ବୋଉଟେ ତ’ ନିହାତି ଲୋଡ଼ା ନା’ । ଶେଷ ବାକ୍ୟଟି କହୁକହୁ ଆରାଧ୍ୟାର ଆଖି ଜକେଇ ଆସିଲା । ସେ ଅନ୍ୟମନସ୍କ ଭାବେ ବାହାରକୁ ଚାହିଁଲା ।
କୁମାର ଏଥର ପୁରା ଚୁପ୍ ହେଇ ଗଲା । ସେ ଜାଣେ କଥାଟା ସମ୍ପୂର୍ଣ୍ଣ ସୁକାନ୍ତି ପାଇଁ ନ’ଥିଲା, ନିଜର ଉଦ୍ଦେଶ୍ୟ ବି ନିହିତ ଥିଲା । ଆରାଧ୍ୟାର ବାପା, ମା’ ପିଲା ବେଳୁ ନାହାନ୍ତି । ମାମୁଁ ମାଇଁ ପାଖରେ ରହି ବଢିଛି ସେ । ସାର୍ ଥରେ କହୁଥିଲେ । ସେ ନିଜେ ବି କହିଥିଲେ ।
କ୍ରମଶଃ  
Leave A Reply

Your email address will not be published.