ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅବା ବର୍ତ୍ତମାନ ଆଲୋଚନା କରୁଥିବା ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଚାରିଯୁଗରେ ଅଛି । ସେଥିପାଇଁ ହିଁ ଆମେ ପରମ ପୁରୁଷ, ପରଂବ୍ରହ୍ମ, ପୁରୁଷୋତ୍ତମ, ଭାବରେ ପ୍ରଭୁଙ୍କର ଚର୍ଚ୍ଚା କରୁଛେ। ହଁ ନୀଳକନ୍ଦରରେ ପୂଜିତ ଚତୁମୂର୍ତ୍ତି ପ୍ରଥମେ ଥିଲେ କି ନାହିଁ ଏହି ପ୍ରଶ୍ନ ମନରେ ଆସିପାରେ!
ବାମନପୂରଣର ଏହି ବାକ୍ୟ ପ୍ରଣିଧାନ୍ୟ ଯୋଗ୍ୟ ଯଥା “ଚତୁମୂର୍ତ୍ତି ଜଗନାଥଃ ପୂର୍ବମେବ ପ୍ରତିଷ୍ଠିତଃ । “ଅର୍ଥାତ ସୃଷ୍ଟି ଆରମ୍ଭରୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧl ମୂର୍ତ୍ତି ବା ଚତୃବିଧ ରୂପ ପ୍ରକାଶିତ ଅଟନ୍ତିv ସମସ୍ତ ଶାସ୍ତ୍ର ମଧ୍ୟ ସ୍ୱୟଂ ଭଗବାନଙ୍କୁ ବାସୁଦେବ, ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ ଏହି ଚାରି ସ୍ୱରୂପରେ ବା ଚତୁବ୍ର୍ୟୁହ ରୂପରେ ଚିତ୍ରିତ କରିଛି। ଶ୍ରୀମଦ ଭାଗବତ ସମସ୍ତ ସ୍ୱରୂପକୁ ପରଂବ୍ରହ୍ମ ଜ୍ଞାନ କରିବାକୁ କହିଥାଏ ।
“ବାସୁଦେବ, ସକର୍ଷଣ, ପ୍ରଦ୍ୟୁମ୍ନ ପୂରୁଷସ୍ୱୟଂ, ଅନିରୁଦ୍ଧ ଇତି ବ୍ରହ୍ମନ ମୂର୍ତ୍ତିବ୍ୟୁହୋଅଭିଧିୟତେ । ” ଏହା ମଧ୍ୟ ବର୍ତ୍ତମାନ ବିରାଜିତ ଚତୃଦ୍ଧl ମୂର୍ତ୍ତି ଙ୍କ ଠାରେ ଆରୋପିତ, ଯଥା ଶ୍ରୀଜଗନ୍ନାଥ (ବାସୁଦେବ ), ଶ୍ରୀବଲଭଦ୍ର (ଶଙ୍କର୍ଷଣ ), ମା ସୁଭଦ୍ରା (ପ୍ରଦ୍ୟୁମ୍ନ )ଓ ଶ୍ରୀସୁଦର୍ଶନ (ଅନିରୁଦ୍ଧ ) ଭାବରେ କଳ୍ପିତ ହେଉଛନ୍ତି। ତଥାପି ସେ ଏକ ଓ ଅଭିନ୍ନ, ବେଦର ମୂଳ କାରଣ। ନିଜକୁ ସ୍ୱୟଂ ପ୍ରକାଶିତ କରି ବିଶ୍ୱରେ ସୃଷ୍ଟି, ସ୍ଥିତି ଓ ବିଲୟ (ପ୍ରଳୟ )ଲୀଳା ସମ୍ପୂର୍ଣ୍ଣ କରନ୍ତି। ଯଦିବା ଶାସ୍ତରେ ତାଙ୍କର ଭିନ୍ନ ଭିନ୍ନ ବର୍ଣ୍ଣନା ରହିଛି। କିନ୍ତୁ ସେ ଜୀବର ଆତ୍ମା ସ୍ୱରୂପ ବା ଭକ୍ତଟିଏ ଆତ୍ମସ୍ୱରୂପରେ ହିଁ ତାଙ୍କୁ (ପରମାତ୍ମା )ଙ୍କୁ ଠିକ ଉପଲବ୍ଧି କରିପାରିବେ। ଅବଶ୍ୟ ଏଥିପାଇଁ ଭକ୍ତଟିର ଅବା ସାଧକଙ୍କ ହୃଦୟଗ୍ରନ୍ଥି ଉନ୍ମୁକ୍ତ ହେବା ଆବଶ୍ୟକ.ହୃଦୟ ଗ୍ରନ୍ଥି ଖୋଲି ନରଖିଲେ ପ୍ରଭୁ ଅବସ୍ଥାନ କରିବେ କେଉଁଠି? ଉଦାହରଣ ସ୍ୱରୂପ ବର୍ଷାଜଳ ପୃଥିବୀର ସମସ୍ତ ସ୍ଥାନରେ ପତିତ ହେଲେ ମଧ୍ୟ ପଥୁରିଆ ଉଷର ଭୂମି ଏହି ଜଳକୁ ଧାରଣ କରିପାରେନି । କିନ୍ତୁ ଉର୍ବର ଭୂମି ଏହି ଜଳ ଧାରଣ କରି ପୃଥିବୀକୁ ଶଷ୍ୟଶ୍ୟାମଳ କରେ ଠିକ ସେହିପରି ଶୁଷ୍କ, କାମ, କ୍ରୋଧ ଆଦିରେ ପୂର୍ଣ୍ଣ ହୃଦୟ ପ୍ରଭୁଙ୍କର ଆତ୍ମ ସତ୍ତାର ଉପଲବ୍ଧି କରିବ କିପରି? ପ୍ରଥମେ ତ ନିଜର ହୃଦୟର ଗ୍ରନ୍ଥିକୁ ଜାଗ୍ରତ କରିବାକୁ ପଡିବ, ଏଥିପାଇଁ ନିରୋଳା ଭକ୍ତିର ସାଧନା କରି (ସତ ଭକ୍ତ )ଅବା କଠୋର ତପ ସାଧନା କରି (ଉତ୍ତମ ସାଧକ )ନିଜକୁ ପ୍ରସ୍ତୁତ କରିବାକୁ ହେବ। ଏହା ମଧ୍ୟ ଭାଗବତ କହେ “ଯ ଆଶୁ ହୃଦୟଗ୍ରନ୍ଥିଂ ନିର୍ଜୀହିଷୁ ପରମାତ୍ମନଃ, ବିଧିନୋପଚରେତ ଦେବଂ ତ୍ରନ୍ତ୍ରୋକ୍ତେନ ଚ କେଶବମ । ”
ଆସନ୍ତୁ ତେବେ ନିଜ ନିଜ ସାଧନ, ଓ ଭକ୍ତି ବଳରେ ପରଂବ୍ରହ୍ମଙ୍କ ଉପାସନା କରି, ନିଜ ହୃଦୟରେ ସ୍ଥାନ ଦେବା ଅବା ତାଙ୍କୁ ଆତ୍ମ ସ୍ୱରୂପରେ ଦର୍ଶନ କରିବା, ଆଉ କଵି ଯଶୋବନ୍ତ ଙ୍କ ଭାଷା ରେ ଆତ୍ମ ସମର୍ପଣ କରି ଗାଇବା :
“ବୋଲଇ ପ୍ରଭୁ ଜଗନ୍ନାଥ,
ତୁମ୍ଭ ଦର୍ଶନେ ମୁଁ ମୁକତ
ମୋର ସକଳ ପାପ କ୍ଷୟେ
ଦେଖିଲି ପ୍ରଭୁ ଦେବରାୟେ
ଦର୍ଶନ କଲି ବ୍ରହ୍ମ ରୂପ
ଖଣ୍ଡିଲି କୋଟି ଜନ୍ମ ପାପ।
ଜୟ ଜଗନ୍ନାଥ, (ଦ. ତ୍ରୀ. ଉବାଚ )