Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୦

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହlତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି ମାନେ ଶରୀରରେ ସାତଟି ସତ୍ତାର ଅନୁଭୂତି ପାଆନ୍ତି। କାରଣ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅତି ନିକଟରେ ରତ୍ନବେଦୀ ଉପରେ ସେତେବେଳେ ସମ୍ପୂର୍ଣ୍ଣ ସପ୍ତାବରଣ ବ୍ରହ୍ମ ଦର୍ଶନ ହୁଏ । ଅର୍ଥାତ ରତ୍ନବେଦିରେ ଉପସ୍ଥିତ ସମସ୍ତ ସାତ ବିଗ୍ରହ ଭକ୍ତଙ୍କ ଦୃଷ୍ଟି ଗୋଚର ହୁଏ। ଯଥା ଶ୍ରୀବଲଭଦ୍ର, ମା ସୁଭଦ୍ରା, ଶ୍ରୀଜଗନ୍ନାଥ, ଶ୍ରୀସୁଦର୍ଶନଙ୍କ ସହ ଶ୍ରୀଦେବୀ, ଭୁଦେବୀ ଓ ମାଧବ ସାଧାରଣ ଭକ୍ତର ଏକ ଦିବ୍ୟ ଦେହlତୀତ ଭାବ ଜାଗ୍ରତ ହେଉଥିବା ସମୟରେ, ଯୋଗୀ ବା ସାଧକ ଭକ୍ତଟିଏ ଦେହlତୀତ ଭାବର ଚରମସ୍ଥିତି ରେ ରହି ସ୍ଵ ଶରୀର ରେ ସାତ ପ୍ରକାର ଭେଦ ରେ ଅନୁଭବ କରନ୍ତି, ଯଥା : ସ୍ଥୁଳ ଶରୀର , ସୁକ୍ଷ୍ମ ଶରୀର , କାରଣ ଶରୀର, ମାନସ ଶରୀର , ଆତ୍ମିକ ଶରୀର, ଦେବ ଶରୀର, ବ୍ରହ୍ମ ଶରୀର ।

ଏହି ବ୍ରହ୍ମ ଶରୀରର ଅନୁଭୂତି ହିଁ ସର୍ବୋଚ୍ଚ ଅନୁଭୂତି। ଏହି ଅବସ୍ଥାରେ ଭକ୍ତ ଓ ଭଗବାନ ଏକ ହୋଇ ଯାଆନ୍ତି। କେହି କେହି ସାଧକ ଓ ଯୋଗୀ ପ୍ରଭୁଙ୍କର ବିରାଟ ପୁରୁଷ ସ୍ୱରୂପର ଆଭାସ ଏହି ଅବସ୍ଥାରେ ହିଁ ପାଆନ୍ତି। ଯାହାକୁ ଆମେ ପ୍ରଭୁଙ୍କର ବିଶ୍ଵରୂପ ଧାରଣ ବୋଲି ବିବେଚନା କରିଥାଉ। ମନ୍ୟୁଷ ଶରୀରରେ ଅବସ୍ଥିତ ସମସ୍ତ ଚକ୍ର ବିଶେଷତଃ ସହସ୍ରାଚକ୍ରକୁ ଛାଡି ଅନ୍ୟ ଛଅ ଚକ୍ର ଜାଗ୍ରତ ହୋଇ କୁଣ୍ଡଳିଣୀ ଉତ୍ଥାନର ମାର୍ଗ ପ୍ରଶସ୍ତ ହୁଏ। ଯୋଗ ଚୂଡ଼ାମଣି ଉପନିଷଦ ଓ ରୁଦ୍ରଯମାଳ ତନ୍ତ୍ର ବର୍ଣ୍ଣନା କରେ ଚକ୍ରମାନଙ୍କରେ ପଡ଼ିଥିବା ତାଲା, ସାଧନା ରୂପକ ଚାବିରେ ଖୋଲି ଯାଇଥାଏ। ସାଧକ ପ୍ରଭୁଙ୍କର ବିରାଟ ପୁରୁଷ ସ୍ୱରୂପର ଉପଲବ୍ଧି କରିବାମାତ୍ରେ କୁଣ୍ଡଳିନୀ କ୍ରିୟା ଦ୍ୱାରା ମୋକ୍ଷର ଦ୍ୱାର ଖୋଲିଯାଏ। ସେଥିପାଇଁ କଥିତ ଅଛି ପରଂବ୍ରହ୍ମ ସ୍ୱରୂପରେ ପ୍ରଭୁଙ୍କ ଦର୍ଶନ ଭକ୍ତକୁ ମୁକ୍ତି ଦିଏ। କିନ୍ତୁ ବର୍ତ୍ତମାନ ଆମେ ଜାଣିଲେ ପ୍ରଭୁଙ୍କର ପରଂବ୍ରହ୍ମ ସ୍ୱରୂପ ଦର୍ଶନ ସହଜ ଲାଭ୍ୟ ନୁହେଁ। ଆମର ଦେହତୀତ ଭାବର ଅନୁଭବ ବି ସହଜ ନୁହେଁ। ଏଥିପାଇଁ ଦୃଢ଼ ସାଧନା ଲୋଡ଼ା, ଯାହାକୁ ଆପଣମାନେ ତପସ୍ୟା ବି କହିପାରିବେ। ଏହି ତପସ୍ୟା ପାଇଁ ସଂସାର ତ୍ୟାଗ ବା ବନଗମନ ଆବଶ୍ୟକ ହୁଏନି। କେବଳ ଭାବ ଭକ୍ତିର ସହ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଦରକାର। ଆସନ୍ତୁ ତେବେ କରିବା ପ୍ରଭୁଙ୍କର ଆରାଧନା ।

“ଶ୍ରୀବିଷ୍ଣୁ ଶ୍ରବଣେ ପରୀକ୍ଷିତ ଭବତବୟାସକି, କୀର୍ତ୍ତନେ ପ୍ରହ୍ଲାଦ ସ୍ମରଣେ ତଦଉଁଘ୍ରସେବନେ ଲଷ୍ମୀ ପୃଥୁ ପୂଜନେ, ଅକ୍ରୁର ସ୍ତୁଭିବନ୍ଦନେ କପିପତି ଦାସ୍ୟଅର୍ଥେ ସଖେ ଅର୍ଜୁନ, ସର୍ବସ୍ୟାତ୍ମନିବେଦନେ ବଳିରଭୂତ କୃଷ୍ଣପ୍ରାପ୍ତି ରେଷlମ ପରମ (ଶ୍ରୀମଦ ଭାଗବତ )। ଅର୍ଥାତ ହରିନାମ କୀର୍ତ୍ତନରେ ଶୁକ ମୁନି, ସ୍ମରଣରେ ପ୍ରହ୍ଲାଦ, ପାଦସେବା ଦ୍ୱାରା ଲଷ୍ମୀ, ଅର୍ଚ୍ଚନାରେ ପୃଥୁ, ବନ୍ଦନରେ ଅକ୍ରୁର, ଦାସ୍ୟଭକ୍ତିରେ ହନୁମାନ, ସଖ୍ୟଭକ୍ତିରେ ଅର୍ଜୁନ, ଏବଂ ଆତ୍ମ ନିବେଦନରେ ବଳିରାଜା କୃଷ୍ଣ ପ୍ରାପ୍ତି ଫଳ ଲାଭ କରିଛନ୍ତି। ତେଣୁ ଆମର ମଧ୍ୟ କର୍ତ୍ତବ୍ୟ ଆମେ ସର୍ବଦା ଆତ୍ମ ନିବେଦନ ପୂର୍ବକ ପ୍ରଭୁଙ୍କର ନାମ ଜପ କରିବା।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.