ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ପୂର୍ବରୁ, କାରଣ ବାରି ପୂର୍ଣ୍ଣ ମୁକ୍ତିପ୍ରଦ ରୋହିଣୀକୁଣ୍ଡ ଓ ଅକ୍ଷୟବଟ (ବର୍ତ୍ତମlନ କଳ୍ପବଟ )ମଧ୍ୟ ସ୍ଥଳରେ ସ୍ଵର୍ଣ ପଦ୍ମ ଆସନରେ ନୀଳକାନ୍ତମଣି ଶରୀର ଧାରଣ କରି ଏକାଶିତ ଆଙ୍ଗୁଳ ଉଚ୍ଚତା ବିଶିଷ୍ଟ ବିଗ୍ରହ ନୀଳମାଧବ, ଏକ ସ୍ପଟିକ ମଣିମୟ ବେଦୀରେ ବିରାଜିତ ଥିଲେ। ଯଥା “ତତପୂର୍ଣ୍ଣଂ କlରଣାମ୍ଭୋଭି ସ୍ପର୍ଶନାଦେବ ମୁକ୍ତିଦମ, ତସ୍ୟାପ୍ରାକତଟମାସ୍ଥାୟ ନିଁଳେନ୍ଦ୍ରମଣି ନିର୍ମିତା, ଇନ୍ଦ୍ରନୀଳମୟୋ ଦେବ ଆସ୍ତେ ଚକ୍ରଗଦାଧରଃ ଏକାଶିତ୍ୟାଙ୍ଗୁଳମିତଃ ସ୍ଵର୍ଣପଦ୍ମ ପରି ସ୍ଥିତଃ”‘(ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ ) କାରଣବାରି ପୂର୍ଣ୍ଣ ରୋହିଣୀକୁଣ୍ଡ ଓ ପ୍ରଳୟଜଳରେ ବୁଡ଼ୁ ନଥିବା କଳ୍ପବଟ ଉଭୟଙ୍କ ଉପସ୍ଥିତି ତେଣୁ ଅନନ୍ତ କାଳର, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ପଞ୍ଚତୀର୍ଥ ପରିକ୍ରମାରେ ରୋହିଣୀ କୁଣ୍ଡ ଏକ ବିଶେଷ ସ୍ଥାନ ପାଏ । ଆଗରୁ ଶଙ୍ଖକ୍ଷେତ୍ରର ଠିକ ନାଭି ସ୍ଥଳରେ ଏହି ତୀର୍ଥ ବିରାଜମାନ କରୁଥିଲା। ଜନସ୍ମୃତି ଅନୁସାରେ ନୀଳମାଧବଙ୍କ ଅନ୍ତର୍ଦ୍ଧlନ ସମୟରେ ରୋହିଣୀ କୁଣ୍ଡ ମଧ୍ୟ ବାଲୁକା ରାଶିରେ ଅଦୃଶ୍ୟ ହୋଇ ଯାଇଥିଲା। ବର୍ତ୍ତମାନ ଜଳ କ୍ରୀଡା ମଣ୍ଡପ ପାଖରେ, ବିମଳାଙ୍କ ମନ୍ଦିର ସାମନାରେ ପ୍ରତୀକ ଭାବରେ ଏକ କ୍ଷୁଦ୍ର କୁଣ୍ଡ ନିର୍ମାଣ କରା ଯାଇ। ତାହାକୁ ରୋହିଣୀ କୁଣ୍ଡ ଭାବରେ ବିବେଚନା କରାଯାଉଛି। ସତ୍ୟଯୁଗରେ ଏକ ତୃଷାର୍ତ୍ତ କାକ ଏହି କୁଣ୍ଡର କାରଣବାରିରେ ବୁଡି ଚତୃଭୁଜ ହୋଇ ମୋକ୍ଷ ଲାଭ କରି ଥିବାର କାହାଣୀ ଏଥିରେ ଅଙ୍କିତ ହୋଇଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଭାଷାରେ “ବିନl ତୃଷାତୁରେ ଚତୁରେ କୁଣ୍ଡ ପତନେ ଯହିଁ, କାକ ର ହେଲା କର ଚାରି କିସ ବିଚାର ତହିଁ ।” ବ୍ରହ୍ମ ପୁରାଣ ମତରେ ଏହି କୁଣ୍ଡ ଅତ୍ୟନ୍ତ ଗଭୀର ଥିଲା ଏବଂ କାରଣ ବାରି ପର୍ଯ୍ୟନ୍ତ ସୁନ୍ଦର ପାବଛ ଶ୍ରେଣୀ ଥିଲା। ସେ ଯାହା ହେଉ ମହୋଦଧି ପରେ, ରୋହିଣୀ କୁଣ୍ଡ, ମାର୍କେଣ୍ଡିୟ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ, ଓ ଶ୍ୱେତଗଙ୍ଗା ପୁଷ୍କରିଣୀ ଶ୍ରୀକ୍ଷେତ୍ରର ସର୍ବମାନ୍ୟ ପଞ୍ଚ ତୀର୍ଥ ଅଟନ୍ତି.ସେଥି ମଧ୍ୟରୁ ରୋହିଣୀ କୁଣ୍ଡର ବିଶେଷତ୍ୱ ସବୁଠୁ ଅଧିକ । କାରଣ ଏହାର କାରଣବାରି ସ୍ପର୍ଶ ମାତ୍ରକେ ଜୀବ ମୁକ୍ତି ପାଇଥାଏ। ସଂସାରର ପ୍ରଳୟ କାଳରେ ଏହି କୁଣ୍ଡର ଜଳ ବୃଦ୍ଧିପ୍ରାପ୍ତ ହୋଇ ସାରା ସଂସାରକୁ ଗ୍ରାସ କରେ ଓ ପୁନଶ୍ଚ ଏହି କୁଣ୍ଡରେ ସମସ୍ତ ଜଳ ଲୀନ ହୋଇ ଯାଏ। ବର୍ତ୍ତମାନର ସ୍ଥିତିରେ ଏହା ଅସମ୍ଭବ ଲାଗୁଥିଲେ ମଧ୍ୟ ରୋହିଣୀ କୁଣ୍ଡ ଯେ ପ୍ରଭୁଙ୍କ ଲୀଳାର ଏକ ଅପୂର୍ବ ନିଦର୍ଶନ ତାହା ଅସ୍ବୀକାର କରି ହେବନି। ସେହିପରି କଳ୍ପବଟର ସ୍ଥିତି ଓ ଆକୃତି ଆଜି ସୀମିତ ହୋଇଥିଲେ ମଧ୍ୟ ଏହାର ମହିମା ଅପାର, କାରଣ ପ୍ରଳୟ କାଳରେ ଏହି ବୃକ୍ଷର ପତ୍ରରେ ବାଳମୁକୁନ୍ଦ ରୁପ ଧରି ପରଂବ୍ରହ୍ମ ବିରାଜମାନ କରିଥିଲେ ଏହାର ଗାଥା ସମସ୍ତଙ୍କୁ ଜଣା ଅଛି। ସେହି ପରଂବ୍ରହ୍ମଙ୍କୁ ହୃଦୟରେ ଚିନ୍ତି ତାଙ୍କରି ଆରାଧନା କରିବା
“ଦେଖ ଏ ନିତ୍ୟ ନୀଳାଚଳ, ସକଳ ତୀର୍ଥଙ୍କର ଆଳ, ଗୋପ ମଥୁରା ବୃନ୍ଦାବନ, ଦ୍ୱାରିକା ଆଦି ଯେତେ ସ୍ଥାନ
ସକଳେ ଏହି ସ୍ଥାନେ ପାଇ, ଆବର କାଶୀ ମଧ୍ୟ ହୋଇ, କୋଟିଏ ତୀର୍ଥ ଏ କ୍ଷେତ୍ରରେ ମହିମା କହିଲେ ନସରେ ।”
(ପ୍ରେମଭକ୍ତି ବ୍ରହ୍ମଗୀତା, କବି ଯଶୋବନ୍ତ )
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )