Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରି ଯାଇଛି । ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ। ଏହି ନବ ଯୌବନ ଦର୍ଶନ ପୂର୍ବରୁ, ଅର୍ଥାତ ଚତୁର୍ଦ୍ଦଶୀରେ ଚକା ଅପସରଲାଗି ହୋଇଥାଏ ଓ ପଟିଦିଅଁଙ୍କ ସହ ଅଣସର ତାଟି ସାମନାରେ ଖଟରେ ବିଜେ କରିଥିବା ସାତ ମୂର୍ତ୍ତି ଠାକୁରମାନଙ୍କ ଆଳତି ଓ ଅବକାଶ ନୀତି ପରେ ସ୍ୱ ସ୍ୱ ସ୍ଥାନକୁ ବିଜେ କରନ୍ତି । ଅର୍ଥାତ ଶ୍ରୀଦେବୀ (ଲଷ୍ମୀ )ଓ ଭୁଦେବୀ (ସରସ୍ବତୀ )ଖଟ ଶେଜ ଗୃହକୁ ଓ ଅନ୍ୟ ପାଞ୍ଚ ମୂର୍ତ୍ତି (ଦୋଳଗୋବିନ୍ଦ, ରାମ, ନୃସିଂହ, ମଦନମୋହନ ଓ କୃଷ୍ଣ )ଦକ୍ଷିଣ ଘରକୁ ବିଜେ କରନ୍ତି। ଯେଉଁ ତିନି ପଟି ଦିଅଁ ପୂଜା ପାଉଥିଲେ, ସେମାନଙ୍କୁ ବିମଳା ମନ୍ଦିର ନିକଟରେ ଥିବା ମଣ୍ଡଣି ଗୃହକୁ ନିଆଯାଏ।
କୋଠ ସୁଆଁଶିଆମାନେ ଅଣସର ଗୃହରୁ ତାଟି ଓ ଖଟ ବାହାର କରି ନିଅନ୍ତି। ଅମାବାସ୍ୟାର ପ୍ରତ୍ୟୁଷରୁ ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଆରମ୍ଭ ହୁଏ “ନବଯୌବନ ଦର୍ଶନ “. । ଏହା ପରେ ଆଉ ଏକ ବିଶିଷ୍ଟ ନୀତି ପାଳିତ ହୁଏ। ଘୋଷଯାତ୍ରା ପୂର୍ବରୁ, ତାହା ହେଉଛି “ନେତ୍ର ଉତ୍ସବ “।

ନବ ଯୌବନ ଦର୍ଶନ ପରେ ପରେ ଭିତରେ ପହଁରା ଯାଇ ଚୂନ ପାଣି ପଡେ। ତିନୋଟି ରୁପା ପିଙ୍ଗଣରେ ଚନ୍ଦନ ଆସି ପତି ମହାପାତ୍ରଙ୍କ ଦ୍ୱାରା ସଂସ୍କାରିତ ହୋଇଦଇତା ସେବକମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କୁ ଲାଗି କରାଯାଏ। ତିନି ଠାକୁର ତିନି ଖଣ୍ଡ ହିସାବରେ ନଅ ଖଣ୍ଡ ବୋଇରାଣୀ ପାଟ ପରିଧାନ କରନ୍ତି। ସୁଦର୍ଶନଙ୍କୁ ଗୋଟିଏ ପାଟ ଦିଆଯାଏ। ପତି ମହାପାତ୍ରଙ୍କ ଦ୍ୱାରା ଅକ୍ଷତ, କର୍ପୁର ଆଳତି ସାତଦୀପ ବନ୍ଦାପନା ପରେ, ପୂଜା ପଣ୍ଡାମାନେ ତିନି ଠାକୁରଙ୍କୁ ତିନିଟି କାଠି ସାହାଯ୍ୟରେ ନେତ୍ର ଲାଗି କରନ୍ତି।

ଏଥିପାଇଁ ଦତ୍ତ ମହାପାତ୍ର ମାନେ (ତିନି ଜଣ )ରୁପା ଗିନାରେ ଶୁଦ୍ଧ ଭାବରେ ପ୍ରସ୍ତୁତ କଳା ଯୋଗାଇ ଥାଆନ୍ତି। ଏହି ନୀତି ପରେ ମୁଦିରଥ ତିନି ଠାକୁରଙ୍କ ନିକଟରେ ତିନି ଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି (ନିଉଛlଳି ହୁଅନ୍ତି )। ଏହାପରେ ରାଜନୀତି ବନ୍ଦାପନା ହୋଇଥାଏ। ଅନ୍ୟାନ ନୀତି ପରେ ମହାସ୍ନାନ ହୋଇଥାଏ। ପୁଣି ସର୍ବାଙ୍ଗ ଚନ୍ଦନ ହୋଇ ଥାନ୍ତି।

ଶ୍ରୀଗୁଣ୍ଡିଚା ପୂର୍ବ ଦିନ ସକାଳ ଧୂପ ପରେ ତିନି ବାଡ଼ରୁ ଆଜ୍ଞା ମାଳ ପୂଜା ପଣ୍ଡା ମାନେ ଘଣ୍ଟା, ଛତା, କାହାଳି ସହ ନେଇ ତିନି ରଥରେ ଲାଗି କରନ୍ତି। ଏହାପରେ ତିନି ରଥ ସିଂହ ଦ୍ୱାର ନିକଟକୁ ଅଣାଯାଇ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯାଏ ଓ ପବିତ୍ର ଘୋଷ ଯାତ୍ରାର ସମସ୍ତ ପ୍ରସ୍ତୁତି ଆରମ୍ଭ ହୁଏ। ଆସନ୍ତୁ ଅପେକ୍ଷା କରିବା ସେହି ମୁହୂର୍ତ୍ତକୁ ଆଉ ବର୍ତ୍ତମାନ କରିବା ଆରାଧନା :
“ପତିତଙ୍କୁ ଦର୍ଶନ ଦେବାକୁ ପାଦେ ଗମନ,
କରନ୍ତି ପ୍ରଭୂ ଏସନ କୃପାନିଧାନ,
ଯାହା ପାଇଁଟି ସତ୍ୱର କରନ୍ତି ଗତି ମନ୍ଥର,
ଆସିବେ ଦେଖିବେ ନାରକୀୟେ ନିଦାନ
ସେ ଗତିକି ଲକ୍ଷୀ ନୁହଇ
ଏହି ରୂପେ ଧିରେ ଧିରେ ବିଜେ ଗୋସାଇଁ (କବି ଲୋକନାଥ ବିଦ୍ୟାଧରଙ୍କ ନୀଳାଦ୍ରି ମହୋତ୍ସବ କାବ୍ୟ)

ଜୟ ଜଗନ୍ନାଥ (ଦ.ତ୍ରି.ଉବାଚ )

Leave A Reply

Your email address will not be published.