Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଅତ୍ୟନ୍ତ ବିସ୍ମୟକର କାରଣ କେତେବେଳେ ସେ ନିର୍ଗୁଣ, ନିରାକାର ତ କେତେବେଳେ ସଗୁଣ, ସାକାର। ସେଥିପାଇଁ ଭକ୍ତ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ। ଏଇ ଯେମିତି ଗୋଟିଏ ପ୍ରଶ୍ନ ରତ୍ନସିଂହାସନକୁ ନେଇ ! ସତରେ କଣ ଦିବ୍ୟ ରତ୍ନସିଂହାସନ ତ୍ୟାଗ କରି ପ୍ରଭୂ ଅନ୍ୟ ସିଂହାସନରେ ବସି ପୂଜା ପାଇଛନ୍ତି , ଏଇ ଶ୍ରୀମନ୍ଦିର ଭିତରେ ? ଏହାର ଉତ୍ତରରେ ଇତିହାସ କହେ ହଁ । ଅନେକ ଥର ଏପରି ଘଟିଛି। ଆସନ୍ତୁ ଆଜି ଜାଣିବା ସେ କଥା।

ଇତିହାସ କହେ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ୍ତ ବର୍ତ୍ତମାନ ଦେଖୁଥିବା ଶ୍ରୀମନ୍ଦିରରେ ନିର୍ମିତ୍ତ ରତ୍ନସିଂହାସନ ଅନେକ ବାର ବିଧର୍ମୀମାନଙ୍କର ଆକ୍ରମଣର ଶିକାର ହୋଇଛି। ମୁଖ୍ୟତଃ ୧୩୬୦ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ସୁଲତାନ ଫିରୋଜ ତୋଗଲକ ଗଙ୍ଗ ବଂଶୀୟ ରାଜା ଭାନୁଦେବଙ୍କ ରାଜ୍ୱତ ସମୟରେ ଶ୍ରୀମନ୍ଦିର ଲୁଣ୍ଠନ କରିଥିଲେ। ସେ ସମୟରେ ରତ୍ନ ଆଶାରେ ରତ୍ନସିଂହାସନ ସମ୍ପୂର୍ଣ ଧ୍ବଂସ କରିଦେଇଥିଲା। ସେହିଭଳି ୧୭୩୬ରୁ ୧୭୫୦ ମସିହା ଭିତରେ ଭୋଇ ବଂଶର ରାଜତ୍ୱ କାଳରେ ଓଡ଼ିଶା ମୁସଲମାନ ଶାସନରେ ଥିବାରୁ ଅନେକ ଥର ବିଧର୍ମୀ ଆକ୍ରମଣର ଶିକାର ହୋଇ ରତ୍ନ ସିଂହାସନ ମଧ୍ୟ ଧ୍ବଂସ ହୋଇଥିଲା।

୧୭୫୭ ମସିହାରେ ଓଡ଼ିଶା ମରହଟ୍ଟା ଶାସନକୁ ଆସିବା ପରେ ରତ୍ନସିଂହାସନ ସହ ଶ୍ରୀମନ୍ଦିରର ମରାମତି ହୋଇଥିଲା। ଏହି ନିକଟରେ ୧୯୯୨ ମସିହା ଅଗଷ୍ଟ ୧୩ ତାରିଖ ଗହ୍ମl ପୁର୍ଣିମା ଦିନ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ରାୟ ଏକ ଟନ ଓଜନ ବିଶିଷ୍ଟ ଦୁଇଟି ପଥର ଖଣ୍ଡ ଶ୍ରୀବଳଦେବଙ୍କ ସମ୍ମୁଖ ପୋଖରୀଆରେ ଖସି ପଡିଥିଲା।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଶାଳ ଓ ଶାଗୁଆନ କାଠରେ ନିର୍ମିତ୍ତ ଏକ ଅସ୍ଥାୟୀ ସିଂହାସନ ଭିତରକାଠ ପାଖରେ ନିର୍ମାଣ କରାଇ ୧୯୯୨ ମସିହା ନଭେମ୍ବର ୨୯ ତାରିଖରେ ଶ୍ରୀବିଗ୍ରହମାନଙ୍କୁ ବିଜେ କରାଇ ଥିଲେ. ଗର୍ଭଗୃହ ମରାମତି ପାଇଁ ଏଠାରେ ୧୯୯୩ ମସିହା ଜୁନ ୩ ତାରିଖ ପର୍ଯ୍ୟନ୍ତ ଶ୍ରୀଜୀଉମାନେ ପୂଜା ପାଇଥିଲେ । ଏହାପରେ ଅଣସର ଓ ରଥଯାତ୍ରା ସାରି ଶ୍ରୀଜୀଉମାନେ ରତ୍ନ ସିଂହାସନରେ ୨/ ୭/ ୧୯୯୩ ରେ ବିଜେ କରିଥିଲେ।

ସମ୍ପ୍ରତି ଏହି କାଷ୍ଠ ସିଂହାସନଟି ନୀଳାଦ୍ରି ମ୍ୟୁଜିୟମରେ ଭକ୍ତଙ୍କ ଦର୍ଶନ ପାଇଁ ରଖା ଯାଇଛି।।ଏହା ପ୍ରଭୁଙ୍କର ଲୀଳା ନୁହେଁ ତ ଆଉ କ’ଣ ? ଆସନ୍ତୁ ସେହି ରତ୍ନ ସିଂହାସନରେ ବିଜେ ମାଧବ, ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ କରିବା। କାରଣ “ନୀଳାଦ୍ରି ମହୋଦୟ ” ଗ୍ରନ୍ଥ କହନ୍ତି :-

“ରତ୍ନ ସିଂହାସନେ ଦିବ୍ୟେ ବର୍ତ୍ତତେ ନୀଳମାଧବ, ଉଭାୟୋ ପାର୍ଶ୍ଵୟୋସ୍ତସ୍ୟ ଧରାଲଷ୍ମୀଶ୍ଚ ସଂସ୍ଥିତେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.