ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩
କବିତା ପଢ଼ି ଜଣେ କବି
ପାରେନି ନୂଆ କିଛି ଭାବି
ଅନୁକରଣ ବାରଂବାର
ହୁଅଇ ଅଭ୍ୟାସ ତାହାର
ଅନ୍ୟ କବିର ପଛୁଆଳ
ହୋଇ ବିତାଇ ଦିନକାଳ
ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ
ତହିଁରୁ ପାଏ ସେ ସଂତୁଷ୍ଟି
ବାସ୍ତବ ଜୀବନ ସହିତ
ନ ହୋଇ କେବେ ବି ଜଡ଼ିତ
କଳ୍ପଲୋକରେ କରି ବାସ
ପାଏ ସେ ନିଜସ୍ବ ଉଲ୍ଲାସ
ସମସ୍ୟାବଳିର ଜନକ
ସମାଧାନର ପ୍ରସ୍ତାବକ
ହେବାଟା ଅଟେ ଅସଂଭବ
ତେଣୁ ଭୋଗୁଛୁଁ ପରାଭବ
ପ୍ରତି ମୁହୂର୍ତ ଅଭିନବ
କରିଜାଣିଲେ ଅନୁଭବ
ଅନୁଭବର ଭାଷାଂତର
ହୁଅଇ ସାହିତ୍ୟ ସଂଭାର
ଦ୍ବିରୁକ୍ତି ପାଇଁ ନାହିଁ ସ୍ଥାନ
ଏପରି ଅନନ୍ୟ ଜୀବନ
କରିଲେ ପ୍ରତ୍ୟକ୍ଷ ଲିଖନ
ଭାଷାଟେ ହୁଏନାହିଁ ମ୍ଳାନ
ସ୍ମୃତିଆଶ୍ରୟୀ ହେଲେ ଭାଷା
ବଢ଼େନି କାହାର ଭରସା
ଗୋଟିଏ କଥା ବାରଂବାର
ଲେଖିବା ନୁହେ ଦରକାର
ଭାବନା ହୋଇଲେ ନିର୍ମଳ
ଭାଷା ବି ହୁଅଇ ସରଳ
ଅଯଥା ଜ୍ଞାନ ପ୍ରଦର୍ଶନ
ଭାଷାକୁ କରେ ଭାବଶୂନ୍ୟ
ଭାଷାର ଏ ଲକ୍ଷଣାବଳି
ନ ବୁଝି ପୂର୍ବକୃତି ଭଳି
ଯାହା ବି କରିବା ଲିଖନ
ତାହା ବସ୍ତୁତଃ ମୂଲ୍ୟହୀନ
ଅଭ୍ୟାସ ବଶବର୍ତୀ ହୋଇ
ଲିଖନରତ ରହି ଥାଇ
କେବଳ ଆତ୍ମତୃପ୍ତି ପାଇ
ଭାଷାକୁ ହୁଏନି ବଂଚାଇ
ସାହିତ୍ୟକାର ପାଇ ଖ୍ୟାତି
କର୍ତବ୍ୟ ପାସୋରି ଦିଅଂତି
ଉଚ୍ଚାସନରେ ପାଇ ସ୍ଥାନ
କରଂତି ଜୀବନଯାପନ
ସାହିତ୍ୟ ମର୍ଯାଦା ମଂଡିତ
ହେଲେ ବି ଭାଷା ଅନାଦୃତ
ଏହି ଉତ୍କଟ ବିଡ଼ଂବନା
ଦେଉଛି ଅସହ୍ୟ ଯଂତ୍ରଣା