Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୪

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ପରମ ପାବନ କ୍ଷେତ୍ର ଏହି ପୁରୁଷୋତମ କ୍ଷେତ୍ର। ଚୈତନ୍ୟ ଭାଗବତରେ ଏହାର ସୁନ୍ଦର ବର୍ଣ୍ଣନା
ସିନ୍ଧୁ ତୀରେ ବଟ ମୂଳେ ନୀଳାଚଳ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅତି ରମଣୀୟ ସ୍ଥାନ । ଏହି କ୍ଷେତ୍ରର ରମ୍ୟ ରୂପ ବିଶେଷ ଭାବରେ ସମୁଦ୍ର (ମହୋଦଧି )ର ଉପସ୍ଥିତି ଯୋଗୁ ସମ୍ଭବ ହୋଇଛି। ସାରା ଭାରତର ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ୱତନ୍ତ୍ର ସ୍ଥାନ ରହି ଆସିଛି। ଉଭୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ବିଚାର କଲେ ମହୋଦଧିର ଆବଶ୍ୟକତା ସବୁଠୁ ଅଧିକ। ସ୍ବର୍ଣ୍ଣଭ ବେଳାଭୂମିର ଆକର୍ଷଣ ସହ, ପ୍ରଭୂ ଜଗନ୍ନାଥଙ୍କ ଦର୍ଶନର ଦୁର୍ଲଭ ଅବସର ଭକ୍ତ /ପର୍ଯ୍ୟଟକ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥାଏ।

ଅନ୍ୟ ଆକର୍ଷଣଟି ହେଲା ସମୁଦ୍ର ସ୍ନାନ, ପର୍ଯ୍ୟଟକମାନେ ନିଶ୍ଚିତ ଭାବେ ଥରେ ବି ଏହି ସ୍ନାନର ମଜା ନେଇଥାନ୍ତି। କିନ୍ତୁ ତୀର୍ଥ ସ୍ନାନ କରିବାର ଏକ ସ୍ୱତନ୍ତ୍ର ନିୟମ ପାଳନ କରିବାର ପରମ୍ପରା ରହିଛି। ସମସ୍ତ ପୁରାଣ ଅର୍ଥାତ ବ୍ରହ୍ମ ପୁରାଣ, ନାରଦ ପୁରାଣ, ତଥା ସ୍କନ୍ଦ ପୁରାଣ ବର୍ଣ୍ଣିତ ମାର୍ଗରେ ବିଶେଷ ଫରକ ଦୃଶ୍ୟ ହୁଏନି। ତେଣୁ ସ୍ନାନର ମୁଖ୍ୟ ନିୟମ ହେଲା ଶ୍ରୀକ୍ଷେତ୍ରର ଉଆଁସ ଦାଣ୍ଡରେ ବିରାଜିତ ଉଗ୍ରସେନଙ୍କ ଅନୁମତି ଭିକ୍ଷା କରିବା ପରେ ହିଁ ସ୍ନାନ କରିବା ବିଧେୟ। ଉଗ୍ରସେନଙ୍କ ଦର୍ଶନ ଓ ପାର୍ଥନା ପରେ ମହୋଦଧି ଆଡ଼କୁ ଅଗ୍ରସର ହେଲେ ପଡେ ଏହି ମହାତୀର୍ଥ ରକ୍ଷକ ମହାବୀରଙ୍କ ଆସ୍ଥାନ କୁହାଯାଏ । ଏହି ମହାବୀର ହେଉଛନ୍ତି ତ୍ରେତୟା ଯୁଗର ଅଙ୍ଗଦ ମହାରାଜ, ଗଣlମଲ୍ଲ ସାହିର ଏହି ସ୍ଥାନରେ ଅତୀତରେ ମହର୍ଷି କଣ୍ଡୁଙ୍କ ଆଶ୍ରମ ଥିଲା, ତାହାର ଦର୍ଶନ ପରେ ମହାତୀର୍ଥର ଅଧିଷ୍ଠାତ୍ରୀ ଦେବୀ ଶ୍ମାଶନକାଳୀ ସେହି ଉଆଁସ ଦlଣ୍ଡରେ ବିରାଜିତ ହୋଇଥିବାରୁ ଏହାଙ୍କ ଦର୍ଶନ ସାରି ଓ ଅନୁମତି ଭିକ୍ଷା କରି ପୁଣି ଆଗକୁ ଗଲେ ଦୁଇଟି ଦୁର୍ଲଭ ସ୍ଥାନ ଦେଖିବାକୁ ମିଳେ। ପ୍ରଥମେ ରାବଣ ଦ୍ୱାରା ସ୍ୱର୍ଗକୁ ସିଢି ନିର୍ମାଣର ଅବଶେଷ କିଛି ଅର୍ଦ୍ଧନିର୍ମିତ ଖୁମ୍ବ ଓ ଭାଇ ବୋହୁ ଦେଢଶୁର କୂପ। ଏହି କୂପଟି ବର୍ତ୍ତମାନ ପିଣ୍ଡ ଦାନ ପାଇଁ ବ୍ୟବହାର ହେଉଛି। ଶେଷରେ ପହଞ୍ଚିଲେ ମହୋଦଧି ତଟରେ, ହାତ ଯୋଡି ପାର୍ଥନା କରିବେ ଶ୍ରୀଜଗନ୍ନାଥଙ୍କୁ “ନମସ୍ତେ ଭଗବାନ ବିଷ୍ଣୁ ଜଗତ ବ୍ୟାପିଂଶ୍ଚରାଚର, ନିର୍ଭିଘ୍ନଂ ସିଦ୍ଧିମାୟାତୁ ସିନ୍ଧୁ ସ୍ନାନଂ ମମ ପ୍ରଭୋ ନମସ୍ତେ ଜଗଦାମୀଶ ଶଙ୍ଖ ଚକ୍ର ଗଦାଧର, ଦେହି ଦେବମମାନୁଜ୍ଞାଂ ତବତୀର୍ଥ ନିଷେବତେ। ଅର୍ଥାତ ହେ ଜଗଦୀଶ, ଶଙ୍ଖ ଚକ୍ର ଗଦାଧାରୀ ମୋତେ ସମୁଦ୍ର ସ୍ନାନ ପାଇଁ ଅନୁମତି ଦିଅନ୍ତୁ। ଆଗକୁ ଆହୁରି ପ୍ରାଞ୍ଜଳ ଭାବରେ ଅନ୍ୟ ସ୍ନାନ ପରର ଵିଧି ବିଧାନ ଆଲୋଚନା କରିବା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଦୃଢ଼ ଭକତି ଯୋଗ ବଳେ
ପଶେ ମୋ ଚରଣ କମଳେ ।
ମୁଁ ବ୍ରହ୍ମ ଉତ୍ପତି ପାଳନ
ସଂସାର ପ୍ରଳୟ କାରଣ ।
ସର୍ବଭୂତ ଙ୍କ ଆତ୍ମା ମୁହିଁ
ମୋର ଭଜନେ ମୋତେ ପାଇଁ ।
ମୋର ଭକତି ବିନୁ ନର
ନୁହଇ ଭବଜଳୁ ପାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.